ଶତ୍ରୁର ପ୍ରତ୍ୟେକ ଆହ୍ବାନର ଉଚିତ୍ ଜବାବ ଦେବା ପାଇଁ ଆମ ସେନାବାହିନୀ ସଂପୂର୍ଣ୍ଣ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆତଙ୍କବାଦ ବିରୋଧୀ ଅଭିଯାନ, ଅପରେସନ୍ ସିନ୍ଦୁରର ସଫଳତା ପରେ ବୁଧବାର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ଠାରେ ଏକ ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହି ବାଇକ୍ ଯାତ୍ରାକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ଏହି ଯାତ୍ରା, ସକାଳ ୮ଟାରେ କଳିଙ୍ଗ ଷ୍ଟାଡିଅମ ଠାରୁ ଆରମ୍ଭ ହୋଇ ରାଜଭବନ ପର୍ୟ୍ୟନ୍ତ ଯାଇଥିବା ବେଳେ, ପୋଲିସ ବାହିନୀ, ସୁରକ୍ଷା ବାହିନୀ, ଲୋକପ୍ରତିନିଧି ଏବଂ ସାଧାରଣ ଜନତା ଏହି ରାଲିରେ, ନିଜ ସହିତ ତ୍ରିରଙ୍ଗା ପତାକା ଧରି ବାଇକ ଚଳାଇ ବନ୍ଦେ ମା ତରଂ ଧ୍ଵନି ଦେଇ ସହର ପରିକ୍ରମା କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ଯେ, ଅପରେସନ୍ ସିନ୍ଦୁରର ସଫଳତା ପରେ ଆଜିର ଏହି ତ୍ରିରଙ୍ଗା ବାଇକ୍ ଯାତ୍ରା ଆତଙ୍କବାଦ ବିରୁଦ୍ଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ। ଜାତି, ଧର୍ମ ନିର୍ବିଶେଷରେ ସବୁ ଭାରତୀୟ ତ୍ରିରଙ୍ଗା ତଳେ ଯେତେବେଳେ ଏକଜୁଟ୍ ହେବେ, ସେତେବେଳେ କୌଣସି ଶକ୍ତି ଆମ ବିରୁଦ୍ଧରେ ସଫଳ ହେବେ ନାହିଁ । ତ୍ରିରଙ୍ଗାର ତିନି ରଙ୍ଗ ଆମକୁ ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଆଦର୍ଶରେ ଅନୁପ୍ରାଣିତ କରିଥାଏ। ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ ।
ସେ ପୁଣି କହିଥିଲେଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଆମେ ସବୁ ଭାରତୀୟ ନିରାପଦ। ପ୍ରଧାନମନ୍ତ୍ରୀ ମୋଦୀଜୀ କହିଛନ୍ତି ପ୍ରତ୍ୟେକ ଭାରତୀୟ ଶାନ୍ତି ଓ ସୁରକ୍ଷାର ସହ ରହିବା ପାଇଁ ଭାରତବର୍ଷ ଶକ୍ତିଶାଳୀ ହେବା ଜରୁରୀ । ସେ ଅପରେସନ ସିନ୍ଦୁରରେ ତାହା ପ୍ରମାଣିତ କରି ଦେଖାଇଛନ୍ତି। ଶତ୍ରୁର ପ୍ରତ୍ୟେକ ଆହ୍ବାନର ଉଚିତ୍ ଜବାବ ଦେବା ପାଇଁ ଆମ ସେନାବାହିନୀ ସଂପୂର୍ଣ୍ଣ ପ୍ରସ୍ତୁତ ।
ଏହି କାର୍ୟ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ, ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।