ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀର ଶୁଭ ଅବସରରେ ଓଡ଼ିଶାରେ ଆଦି କର୍ମଯୋଗୀ ଅଭିଯାନ ଅଧୀନରେ ବିଶେଷ ଗ୍ରାମ ସଭା ଆୟୋଜିତ ହୋଇଥିଲା। ଏହି ଅଭିଯାନରେ ସମଗ୍ର ରାଜ୍ୟରେ ୫,୫୦୦ରୁ ଅଧିକ ଗ୍ରାମ କାର୍ଯ୍ୟଯୋଜନା (Village Action Plans) ଅନୁମୋଦନ ପାଇଛି, ଯାହା ଆଦିବାସୀ ଅଞ୍ଚଳରେ ଅନ୍ତର୍ଭୁକ୍ତିମୂଳକ, ଅଂଶଗ୍ରହଣକାରୀ ଏବଂ ଉତ୍ତରଦାୟିତ୍ବ ଶାସନ ମିଶନର ଦୃଷ୍ଟିକୋଣକୁ ଆହୁରି ସୁଦୃଢ଼ କରି ପାରିଛି।
ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ (MoTA) ଦ୍ୱାରା ଆରମ୍ଭ କରାଯାଇଛି ଆଦି କର୍ମଯୋଗୀ ଅଭିଯାନ। ଏହା ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ (DA-JGUA)ର ଏକ ଅବିଚ୍ଛେଦ୍ୟ ଅଂଶ। ସେବା, ସମର୍ପଣ ଏବଂ ସଂକଳ୍ପ ଭାବନାରେ ପରିପୂର୍ଣ୍ଣ ଏହି ଅଭିଯାନ ତୃଣମୂଳ ସ୍ତରରେ ଅତ୍ୟାବଶ୍ୟକୀୟ ସେବାଗୁଡ଼ିକ ପ୍ରଦାନ କରିବ। ଓଡ଼ିଶାରେ ଏହି ଅଭିଯାନରେ ୨୨ଟି ଜିଲ୍ଲାର ୨୧୩ଟି ବ୍ଲକ୍ର ୭,୬୨୩ଟି ଗ୍ରାମ ସାମିଲ୍ ହୋଇଛି। କାର୍ଯ୍ୟାନ୍ବୟନ ପାଇଁ ୧ ଲକ୍ଷ ଆଦି ସାଥୀ ଓ ୩୦,୦୦୦ ଆଦି ସହଯୋଗୀଙ୍କୁ ସଂଗଠିତ କରାଯାଇଛି। ସେଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାର ୫୦ରୁ ଅଧିକ ସିଭିଲ୍ ସୋସାଇଟି ଅର୍ଗାନାଇଜେସନ୍ (CSO)/NGOଙ୍କୁ ସହଭାଗୀ ଭାବରେ ସାମିଲ୍ କରାଯାଇଛି।
ଚିହ୍ନଟ କରାଯାଇଥିବା ସମସ୍ତ ଗ୍ରାମରେ ୭,୬୨୩ଟି ଆଦି ସେବା କେନ୍ଦ୍ର ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ୬,୨୫୫ଟି ଆଦି ସେବା କେନ୍ଦ୍ର ଅକ୍ଟୋବର ୨ ରେ ଉଦ୍ଘାଟିତ ହୋଇଛି। ଏହି କେନ୍ଦ୍ରଗୁଡ଼ିକ ସେବା ପ୍ରଦାନ ଏବଂ ସାମୁଦାୟିକ ସମ୍ପୃକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ କାର୍ଯ୍ୟ କରିବ। ପ୍ରତ୍ୟେକ ଗ୍ରାମରେ ସାମୁଦାୟିକ ପଦଯାତ୍ରା, ଗ୍ରୁପ୍ ଆଲୋଚନା (FGD), ସମ୍ବଳ ଏବଂ ଭିଜନ୍ ମ୍ୟାପିଂ ଭଳି ପଦକ୍ଷେପ ଗ୍ରହଣ କରି ଗ୍ରାମ କାର୍ଯ୍ୟ ଯୋଜନାଗୁଡ଼ିକ ପ୍ରସ୍ତୁତ କରାଯାଇଛି। ବହୁ ବିଭାଗୀୟ ସମନ୍ୱୟ ମାଧ୍ୟମରେ ଏହି ଅଭିଯାନ ଗ୍ରାମୀଣ ଅଞ୍ଚଳରେ ସୁଶାସନକୁ ଶକ୍ତିଶାଳୀ କରୁଛି ଓ ଲୋକଙ୍କର ଶାସନକଳ ପ୍ରତି ବିଶ୍ୱାସକୁ ପୁନଃସ୍ଥାପନ କରୁଛି।