ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦେଶାଳୟକୁ ସୁପ୍ରିମକୋର୍ଟ ଗାଳିଦେବା ସହିତ ତାହା ସମସ୍ତ ସୀମା ଟପିଯାଉଛି ଏବଂ ସଂଘୀୟ ଶାସନ ବିଚାରଧାରା ଉଲ୍ଲଂଘନ କରୁଥିବା କହିଛନ୍ତି । ତାମିଲନାଡୁରେ ସରକାରୀ ପରିଚାଳିତ ମଦ ଦୋକାନଗୁଡିକ ଉପରେ ଚଳିତ ବର୍ଷ ମାର୍ଚ୍ଚ ଏବଂ ଗତ ସପ୍ତାହରେ ଇଡି ପକ୍ଷରୁ ଚଢଉ କରାଯିବା ମାମଲାରେ ସୁପ୍ରିମକୋର୍ଟ ଏଭଳି କହିଛନ୍ତି । କ୍ଷୁବ୍ଧ ସର୍ବୋଚ୍ଚ ନ୍ୟାୟାଳୟ ଇଡିକୁ ବର୍ତ୍ତମାନ ଚୁପ୍ ରହିବାକୁ କହିଛନ୍ତି । ମଦ ପରିବହନ, ବାର ଲାଇସେନ୍ସ ପ୍ରଦାନ ଏବଂ ବୋତଲ ପ୍ରସ୍ତୁତକାରୀ ସଂସ୍ଥା ଏବଂ ଡିଷ୍ଟିଲେରୀଗୁଡିକ ମଧ୍ୟରେ ଅସାଧୁ ମେଣ୍ଟ କରାଯାଇ ପାଣ୍ଠି ଆତ୍ମସାତ କରାଯିବା ଆଦି ଅଭିଯୋଗକୁ ନେଇ ଇଡି ପକ୍ଷରୁ ଚଢଉ କରାଯାଇଥିଲା । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗଭାଇଙ୍କ ନେତୃତ୍ୱରେ ଗଠିତ ପୀଠ ଇଡିକୁ କହିଥିଲେ ଯେ, ସେମାନେ ବ୍ୟକ୍ତିବିଶେଷଙ୍କ ବିରୋଧରେ ମାମଲା ରୁଜୁ କରିପାରନ୍ତି, କିନ୍ତୁ ସରକାରୀ ନିଗମଗୁଡିକ ବିରୋଧରେ ମାମଲା ରୁଜୁ କରୁଛନ୍ତି? ଇଡି ସମସ୍ତ ସୀମା ଟପିଯାଉଛି । ଇଡି ପକ୍ଷରୁ କୋ÷ଣସି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନକରିବାକୁ ରହିତାଦେଶ ପ୍ରଦାନ ନିମନ୍ତେ କରାଯାଇଥିବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ମଞ୍ଜୁର କରିଥିଲେ । ସୁପ୍ରିମକୋର୍ଟଙ୍କର ଏଭଳି ଆଦେଶକୁ ତାମିଲନାଡୁର ଶାସକ ଡିଏମକେ ସ୍ୱାଗତ କରିଛି । ଦଳର ଜଣେ ନେତା କହିଛନ୍ତି ଯେ ଏହି ଆଦେଶ ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ବିଜେପିର ପ୍ରୟାସ ପ୍ରତି ଏକ ଶକ୍ତ ଧକ୍କା ହୋଇଛି । ସୂଚନାଯୋଗ୍ୟ ଯେ ଇଡିର କାର୍ଯ୍ୟାନୁଷ୍ଠାନଗୁ ତାମିଲନାଡୁ ହାଇକୋର୍ଟ ସବୁଜ ସଙ୍କେତ ପ୍ରଦାନ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା ।
