ଓଏସଆରଟିସି  କର୍ପୋରେଟ୍ ଅଫିସରେ ଆଧୁନିକ କ୍ୟାଣ୍ଟିନ ଉଦଘାଟିତ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ର କର୍ପୋରେଟ୍ ଅଫିସ ‘ପରିବହନ ଭବନ’ଭୁବନେଶ୍ୱର ଠାରେ ଏକ ଆଧୁନିକ କ୍ୟାଣ୍ଟିନର ଉଦଘାଟନ କରାଯାଇଛି। କ୍ୟାଣ୍ଟିନଟିର ଉଦଘାଟନ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ଏବଂ ଓଏସଆରଟିସି ର ସିଏମ୍ଡି୍ ଏନ.ବି.ଏସ. ରାଜପୁତ ଓ ପରିବହନ କମିଶନର ତଥା ରାଜ୍ୟ ପରିବହନ ପ୍ରାଧିକରଣ ଅଧ୍ୟକ୍ଷ ଅମିତାଭ ଠାକୁରଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି। ନୂତନ କ୍ୟାଣ୍ଟିନ ପ୍ରତିଷ୍ଠା ଓଏସଆରଟିସି ର କର୍ମଚାରୀ କଲ୍ୟାଣ ପ୍ରତି ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହା ମାଧ୍ୟମରେ କର୍ମଚାରୀମାନଙ୍କ ପାଇଁ ପରିଷ୍କାର, ସ୍ୱଚ୍ଛ ଓ ସୁବିଧାଜନକ ଭୋଜନ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି, ଯାହା କାର୍ଯ୍ୟସ୍ଥଳର ସକାରାତ୍ମକ ପରିବେଶ ସୃଷ୍ଟିରେ ସହାୟକ ହେବ।

ଆଧୁନିକ ରୋଷେଇ ଉପକରଣରେ ସୁସଜ୍ଜିତ କ୍ୟାଣ୍ଟିନ ଉନ୍ନତମାନର ଖାଦ୍ୟ ପ୍ରସ୍ତୁତିକୁ ନିଶ୍ଚିତ କରିବ। ଏଠାରେ ପ୍ରାକୃତିକ ଆଲୋକ ଓ ମୁକ୍ତ ବାୟୁ ଚଳାଚଳ ସହିତ ୨୦ ଜଣରୁ ଅଧିକ ଲୋକ ବସିପାରିବାର ବ୍ୟବସ୍ଥା ରହିଛି। ଉତ୍ତର ଓ ଦକ୍ଷିଣ ଭାରତୀୟ ଖାଦ୍ୟ ସମେତ ବିଭିନ୍ନ ପ୍ରକାରର ଭୋଜନ ତାଲିକାରେ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ଉପଲବ୍ଧ ରହିବ। କ୍ୟାଣ୍ଟିନଟି ପ୍ରତି କାର୍ଯ୍ୟଦିବସରେ ସକାଳ ୯ଟା ୩୦ ମିନିଟ୍ ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସଚିବ ସରୋଜ ରାଉତ, ଯୁକ୍ତ ସଚିବ ଓ ରେଲ୍ ସମନ୍ୱୟ କମିଶନର କୌସ୍ତୁଭ ଦୀପ୍ତ ପାଣି, ଓଏସଆରଟିସିର ସାଧାରଣ ପରିଚାଳକ ସଞ୍ଜୟ କୁମାର ବିଶ୍ୱାଳ, ସ୍ବତନ୍ତ୍ର ସଚିବ ଦେବଦତ୍ତା ସୁରଞ୍ଜିତା ଜେନା ଓ ବାଣିଜ୍ୟ–ପରିବହନ ବିଭାଗ ଏବଂ ଓଏସଆରଟିସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *