‘ଓଡ଼ିଶାର ବୟନ ପରମ୍ପରାକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଆଗକୁ ନେଉଛନ୍ତି’

ଭୁବନେଶ୍ୱର: ଓଡ଼ିଶାର ବୟନ ପରମ୍ପରାକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆଗକୁ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତବ୍ୟକ୍ତ କରିଛନ୍ତି। ମିଶନ ଶକ୍ତି ଭବନର ଅଡିଟରିୟମ ହଲରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ଉପସ୍ଥିତିରେ ବୁଣାକାର ମା ଓ ଭଉଣୀମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ମିଶନ ଶକ୍ତି  ବିଭାଗ ସହ କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ବିକାଶ ଆୟୋଗ ଅଧୀନରେ ଥିବା ବୁଣାକାର ସେବା କେନ୍ଦ୍ର(weavers’ service centre)ର ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି। ଏହି ବୁଝାମଣାପତ୍ର ରାଜ୍ୟର ବୁଣାକାର ସ୍ଵୟଂ ସହାୟକ ଗୋଷ୍ଠୀକୁ ନୂତନ ଡିଜାଇନ, ତାଲିମ ଓ ଦକ୍ଷତା ବିକାଶ ସହ ଜାତୀୟ ଓ ଅନ୍ତର୍ଜାତୀୟ ବଜାର ଉପଲବ୍ଧ କରେଇବାରେ ସହାୟକ ହେବ ବୋଲି ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି। ନିକଟରେ ମନ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିଥିବା ମୟୂରଭଞ୍ଜର ସାନ୍ତାଳି ବୟନ ଶିଳ୍ପର ପୁନରୁଦ୍ଧାର ଓ କେଉଁଝର ଜିଲ୍ଲାର ମହିଳା ସଂକୀର୍ତ୍ତନ କଥାକୁ ଦୋହରାଈ ଶ୍ରୀମତୀ ପରିଡା କହିଲେ ଯେ ଆଜି ଓଡ଼ିଶାର ମା ମାନେ ସମଗ୍ର ଦେଶରେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ଲକ୍ଷପତି ଦିଦି ସୃଷ୍ଟି ଲକ୍ଷ୍ୟକୁ ପୂର୍ଣ୍ଣ ଭାବେ ହାସଲ କରିବାପାଇଁ ଆମେ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସହଜ, ସୁବିଧା ଓ ସୁଖଦ ରୋଜଗାର ପନ୍ଥା ବାଛିବାକୁ ସୁଯୋଗ ଦେଉଛୁ। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ବିଭାଗୀୟ ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ, ବୁଣାକାର ସେବା ସଂଘର ଉପନିର୍ଦ୍ଦେଶକ ବିକାଶ  କୁମାର ଓ  ବିଭାଗୀୟ ବରିଷ୍ଠ ଅଧିକାରୀ, ବୟନ  ବିଶେଷଜ୍ଞ ଏବଂ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଓଡ଼ିଶାର ଉଦ୍ୟୋଗୀ ମହିଳାଙ୍କ ପାଇଁ ହସ୍ତତନ୍ତ ଏବଂ ବୟନ ଶିଳ୍ପ ଏକ ଉଦୀୟମାନ କ୍ଷେତ୍ର ଅଟେ। ହଜାର ହଜାର ଏସଏଚଜି ସଦସ୍ୟା ତନ୍ତ ବୁଣା, ସିଲାଇ, ଏମ୍ବ୍ରୋଇଡାରି ଏବଂ ଘରୋଇ  ଉତ୍ପାଦକୁ ନିଜର ଜୀବନ ଜୀବିକା ଭାବେ ଗ୍ରହଣ କରିଥିବା ବେଳେ ଏହି ବୁଝାବଣା ପତ୍ର  ଆଧୁନିକ, ଡିଜାଇନ୍ ଏବଂ ବଜାର ପ୍ରସ୍ତୁତ ଇକୋସିଷ୍ଟମ ନିର୍ମାଣ ଦିଗରେ ସହାୟକ ହେବ ବୋଲି ବିଭାଗୀୟ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି।

ବିଭାଗୀୟ ସହଭାଗିତାରେ ଏହି ପଦକ୍ଷେପ ଡିଜାଇନ୍ ମେଣ୍ଟରସିପ୍, ନମୁନା ସହାୟତା ଏବଂ ବଜାର ସଂଯୋଗ ପ୍ରଦାନ କରିବ ସହ ଏକ ସ୍ଥାୟୀ ମହିଳା-ନେତୃତ୍ୱାଧୀନ ବୟନ ଉଦ୍ୟୋଗ ନିର୍ମାଣ ଏବଂ ବୟନ ମୂଲ୍ୟ ଶୃଙ୍ଖଳ ଗଢ଼ିବାରେ ସହାୟକ ହେବ ବୋଲି ବିଭାଗର ନିର୍ଦ୍ଦେଶକ, ଡ. ମୋନିକା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟଗୁଡ଼ିକୁ ଆଲୋକପାତ କରି ମତ ପ୍ରକାଶ କରିଥିଲେ। 

ଏହି ଅବସରରେ ବିକାଶ କୁମାର, ଉପନିର୍ଦ୍ଦେଶକ, ବୁଣାକାର ସେବା କେନ୍ଦ୍ର କହିଛନ୍ତି ଯେ ଓଡ଼ିଶା ବୟନ ପ୍ରତିଭାର ଅନେକ କାରିଗର ଜାତୀୟସ୍ତରରେ ସ୍ୱୀକୃତି ପାଇଛନ୍ତି। ରାଜ୍ୟ ସରକାରଙ୍କ ସହିତ ଏହି ସହଭାଗିତା, ଓଡ଼ିଶା ବୟନ ସୃଜନଶୀଳତାକୁ ନୂଆ ରୂପ ଦେବା ସହ ଜାତୀୟ ବୟନ ଓ ହସ୍ତତନ୍ତ ମାନଚିତ୍ରକୁ ଆହୁରି ସଶକ୍ତ କରିବ। ଓଡ଼ିଶା ଆଜି ମହିଳା ନେତୃତ୍ୱାଧୀନ ବିକାଶରେ ଜାତୀୟ ସ୍ତରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ରାଜ୍ୟସରକାରଙ୍କ ହସ୍ତକ୍ଷେପଗୁଡ଼ିକ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଶିଳ୍ପ ଏବଂ ବସ୍ତ୍ର କ୍ଷେତ୍ରରେ ମହିଳାଙ୍କ ପାଇଁ ଆର୍ଥିକ ସୁଯୋଗର ବାଟ ଖୋଲିଛି।

ଏହି ସହଭାଗିତା ଅଧୀନରେ, ବୁଣାକାର ସେବା କେନ୍ଦ୍ର ଘରୋଇ ଏବଂ ବିଶ୍ୱସ୍ତରୀୟ ଗ୍ରାହକଙ୍କ ବିକଶିତ ରୁଚି ଅନୁସାରେ ପୋଷାକ ଏବଂ ସାଜସଜ୍ଜା ସାମଗ୍ରୀ ପାଇଁ ‘ମଲ୍ଟିପଲ କଲରୱେ’ରେ ମୌଳିକ କାଗଜ ଡିଜାଇନ୍ ବିକଶିତ କରିବ। ନମୁନା ଏବଂ ପ୍ରୋଟୋଟାଇପ୍ ବିକାଶକୁ ସମର୍ଥନ କରାଯିବ, ଏବଂ ଏସଏଚଜି ସଦସ୍ୟାମାନଙ୍କୁ ଡିଜାଇନ୍ ରେ ସୌନ୍ଦର୍ଯ୍ୟ, ଫିନିସିଂ ମାନଦଣ୍ଡ ଏବଂ ଉଦ୍ୟୋଗ ପ୍ରସ୍ତୁତତା ଉପରେ ପରାମର୍ଶ ଦିଆଯିବ। ଏହି ସହଭାଗିତା ମାଧ୍ୟମରେ ଅନଲାଇନ୍ ଏବଂ ଅଫଲାଇନ୍ ଦୃଶ୍ୟମାନତା ବୃଦ୍ଧି ପାଇଁ ସେମାନଙ୍କ ପ୍ରସ୍ତୁତ ଉତ୍ପାଦର ପେସାଦାର ଫଟୋଗ୍ରାଫି ଏବଂ ଡିଜିଟାଲ୍ କାଟାଲଗ୍ ବିକାଶରେ ସହାୟତା ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।

Leave a Reply

Your email address will not be published. Required fields are marked *