ଓଡ଼ିଶା ରାଜ୍ୟ କ୍ଷମତା ଏବଂ ସ୍ଥିର ଅଭିବୃଦ୍ଧି କାର୍ଯ୍ୟକ୍ରମ ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା

ଭୁବନେଶ୍ୱର: ରାଜ୍ୟ ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସଂପର୍କରେ ଓଡ଼ିଶା ରାଜ୍ୟ କ୍ଷମତା ଏବଂ ସ୍ଥିର ଅଭିବୃଦ୍ଧି କାର୍ଯ୍ୟକ୍ରମ  ଅଧୀନରେ  ବିଶ୍ୱ ବ୍ୟାଙ୍କ ସହାୟତା ପ୍ରକଳ୍ପ କାର୍ଯ୍ୟକାରିତା ନେଇ  ବିଶ୍ୱ ବ୍ୟାଙ୍କ ମିଶନ ଟିମ୍ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯୋଜନା ଓ ସଂଯୋଜନ ବିଭାଗ ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ  ରାଜ୍ୟ  ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାନନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରିଥିଲେ।  ଅନୁଷ୍ଠିତ ଏହି ବୈଠକରେ  ବିଭାଗର ସ୍ୱତନ୍ତ୍ର ଶାସନ  ସଚିବ ଦେବେନ୍ଦ୍ର କୁମାର ଜେନାଙ୍କ ସମେତ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ଶ୍ରୀ ଥମାସଙ୍କ ନେତୃତ୍ୱରେ ଏବଂ ଶ୍ରେୟା ଦତ୍ତଙ୍କ ସହ  ବିଶ୍ୱ ବ୍ୟାଙ୍କ ମିଶନ ଦଳ ବୈଠକରେ ଅଂଶଗ୍ରହଣ କରିଥିଲେ ଏବଂ ପ୍ରକଳ୍ପ ପାଇଁ ରୋଡ ମ୍ୟାପ୍ ପ୍ରସ୍ତୁତ ସମ୍ପର୍କରେ ଆଲୋଚନା କରିଥିଲେ।

 ରାଜ୍ୟ ଅର୍ଥନୀତି ଏବଂ ପରିସଂଖ୍ୟାନ  ନିର୍ଦ୍ଦେଶକ ଡକ୍ଟର ବିଜୟ ଭୂଷଣ ନନ୍ଦ ପ୍ରକଳ୍ପ ଅଧୀନରେ ରାଜ୍ୟ ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ହୋଇଥିବା ଅଗ୍ରଗତି ବିଷୟରେ ଅବଗତ କରାଇଥିଲେ।

ଉନ୍ନୟନ  କମିଶନର ଶ୍ରୀମତୀ ଗର୍ଗ କହିଥିଲେ ଯେ, ଓଡ଼ିଶାର ବ୍ୟାପକ  ବିକାଶମୂଳକ ପରିବର୍ତ୍ତନ ଯାତ୍ରାରେ ତଥ୍ୟ(ଡାଟା)କୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ଏବଂ ଏଥିରେ ରାଜ୍ୟ  ଅର୍ଥନୀତି ଏବଂ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହୁଛି। ଏହି ପ୍ରୟାସ କେବଳ ବୈଷୟିକ ନୁହେଁ, ଏହା ରଣନୈତିକ ଏବଂ ବିକଶିତ  ଓଡ଼ିଶା ୨୦୩୬  ଏବଂ  ବିକଶିତ ଭାରତ ୨୦୪୭ କୁ ସାକାର କରିବାରେ  ରାଜ୍ୟର ଆକାଂକ୍ଷା ସହିତ ଗଭୀର ଭାବରେ ଜଡିତ, ଯେଉଁଠାରେ ଶାସନ ପରିଚାଳନା ପ୍ରମାଣଭିତ୍ତିକ ପରାମର୍ଶ ଦ୍ୱାରା ହୋଇଥାଏ ଏବଂ ପ୍ରଗତିରେ ତଥ୍ୟର ପ୍ରଭାବ ଅନୁଶୀଳନ କରାଯାଇଥାଏ। ଓଡ଼ିଶା ଭାରତର ଏକମାତ୍ର ରାଜ୍ୟ ହୋଇଛି ଯିଏକି ଜେନେରିକ୍ ଷ୍ଟାଟିଷ୍ଟିକାଲ ବ୍ୟବସାୟ ପ୍ରକ୍ରିୟା ମଡେଲ୍ ( ଜିଏସବିପିଏମ) ମଡେଲକୁ  ଆନୁଷ୍ଠାନିକ ଭାବରେ ଗ୍ରହଣ କରିଛି, ଯାହା ଏହାର ପରିସଂଖ୍ୟାନ ଅଭ୍ୟାସକୁ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ମାନଦଣ୍ଡ ସହିତ ସଂଯୋଗ କରୁଛି। ଡାଟା କ୍ୟାଟାଲଗ୍ ପାଇଁ ନ୍ୟାସନାଲ ଡାଟା ଆର୍କାଇଭ୍ ( ଏନଏଡିଏ) ପ୍ରଚଳନ କରି, ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇଛି,  ଯିଏ କି  ଡାଟା ସଂରକ୍ଷଣ, ଉପଲବ୍ଧତା ଏବଂ ତଥ୍ୟ  ବିଶ୍ଳେଷଣ ପାଇଁ ଏକ ସୁଗମ ସେତୁ ସୃଷ୍ଟି କରିଛି – ଯାହା ନାଗରିକ, ଗବେଷକ ଏବଂ ନୀତି ନିର୍ଦ୍ଧାରକମାନଙ୍କୁ ସଶକ୍ତ କରୁଛି। ଓଡ଼ିଶା  ବିଭିନ୍ନ ମୂଲ୍ୟ ପରିସଂଖ୍ୟାନ ଅଧୀନରେ ତଥ୍ୟ ସଂଗ୍ରହ ପାଇଁ କମ୍ପ୍ୟୁଟର ସହାୟକ ଭିତ୍ତିକ ବ୍ୟକ୍ତିଗତ ସାକ୍ଷାତକାର (ସିଏପିଆଇ) ସଫ୍ଟୱେର୍ ପ୍ରଣୟନ କରିଛି।

ତଥ୍ୟର ବ୍ୟାପକ ସଂଗ୍ରହ, ବୈଧତା ଏବଂ ବ୍ୟାଖ୍ୟା ସୁନିଶ୍ଚିତ କରି ସ୍ୱାଧୀନ, ବୈଜ୍ଞାନିକଭିତ୍ତିରେ  ଡିଜାଇନ୍ ହୋଇଥିବା ପରିବାର ସର୍ବେକ୍ଷଣ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ  କରିବା ପାଇଁ  ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ମଧ୍ୟରେ ସର୍ଭେ ଡିଜାଇନ୍ ଏବଂ ଗବେଷଣା ବିଭାଗ (ଏସଡିଆରଡି) ପ୍ରତିଷ୍ଠା କରିବାର ଯୋଜନା କରାଯାଇଛି। ଜିଲ୍ଲାସ୍ତରୀୟ ଅର୍ଥନୈତିକ ଯୋଜନାର ଆବଶ୍ୟକତାକୁ ସ୍ୱୀକାର କରି, ଓଡ଼ିଶା ବିଶେଷଜ୍ଞମାନଙ୍କୁ ନିୟୋଜିତ କରି ଏବଂ ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର  କ୍ଷମତାକୁ ସୁଦୃଢ଼ କରି ଜିଲ୍ଲାର ଘରୋଇ ଉପ୍ତାଦ(ଡିଡିପି) ଆକଳନକୁ ତ୍ୱରାନ୍ୱିତ କରାଯିବ, ଯାହା ଫଳରେ ସ୍ଥାନୀୟ ସ୍ତରୀୟ ନୀତିଗତ ନିଷ୍ପତ୍ତି ସଂବନ୍ଧୀୟ କାର୍ଯ୍ୟ ସଂପର୍କରେ ଅଧିକ ନଜର  ରଥାଯାଇପାରିବ ।

ଅର୍ଥନୀତି ଓ ପରିସଙ୍ଖ୍ୟାନ ନିର୍ଦ୍ଦେଶାଳୟର ସଂଖ୍ୟାଭିତ୍ତିକ ତଥ୍ୟଗୁଡିକର ସମ୍ପୂର୍ଣ୍ଣ ଡିଜିଟାଲ୍ ରୂପାନ୍ତରଣ ଲକ୍ଷ୍ୟ ରହିଛି, ଯାହା ତଥ୍ୟର ଶୀଘ୍ର ପ୍ରସ୍ତୁତି, ସମୟାନୁପଯୋଗୀ ପ୍ରଦାନ ବ୍ୟବସ୍ଥା ଓ ଅଧିକ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବ। ସମସ୍ତ ବିଭାଗର ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ପ୍ରଥମ ପର୍ଯ୍ୟାୟରେ ଅର୍ଥନୀତି ଏବଂ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ରାଜ୍ୟ ଶକ୍ତି ବିଭାଗ, ପର୍ଯ୍ୟଟନ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ପରିସଂଖ୍ୟାନ ବ୍ୟବସ୍ଥାର ମୂଲ୍ୟାଙ୍କନ କରିବ ଏବଂ  ସୁଦୃଢ଼ କରିବା ପାଇଁ ପ୍ରସ୍ତାବ ଦେବ।

ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର  ଅଧିକାରୀମାନଙ୍କ ଏକ ଟିମ୍  ଆନ୍ତର୍ଜାତୀୟ ସର୍ବୋତ୍ତମ ଅଭ୍ୟାସ ସଂପର୍କିତ  ତାଲିମ ନେବେ, ଯାହା ରାଜ୍ୟ ବ୍ୟବସ୍ଥାରେ ସହକର୍ମୀଙ୍କୁ ଉନ୍ନତ ଏବଂ ପରାମର୍ଶ ଦେବା ପାଇଁ ଉତ୍ସାହିତ କରିବ। ସର୍ବୋପରି, ଓଡ଼ିଶା ତଥ୍ୟକୁ କେବଳ ଉପଲବ୍ଧ ନୁହେଁ ବରଂ ସୁଗମ, ବୋଧଗମ୍ୟ ଏବଂ କାର୍ଯ୍ୟକ୍ଷମ କରିବା ପାଇଁ ଏହାର ପ୍ରତିଶ୍ରୁତିକୁ ପୁନର୍ବାର ଦୋହରାଇଛି ଯାହା ତଥ୍ୟକୁ ଗଣତାନ୍ତ୍ରିକ କରି ଶାସନ ଏବଂ ବିକାଶକୁ ମାର୍ଗଦର୍ଶନ କରୁଛି। ଉନ୍ନୟନ କମିଶନର କହିଛନ୍ତି ଯେ ତଥ୍ୟକୁ ଅଧିକ ସୁଗମ, ବୋଧଗମ୍ୟ ଏବଂ ପ୍ରମାଣ-ଆଧାରିତ ନିଷ୍ପତ୍ତି ଗ୍ରହଣ ପାଇଁ ତଥ୍ୟକୁ ଅଧିକ ସରଳ ଓ ସ୍ପଷ୍ଟ କରି ସମସ୍ତଙ୍କ ପାଇଁ ପ୍ରୟୋଗଯୋଗ୍ୟ କରିବାକୁ ପ୍ରତିବଦ୍ଧ। ତଥ୍ୟକୁ ସଚ୍ଚୋଟତା ଏବଂ ନବସୃଜନ ସହିତ  ଆହରଣ  ଓ ବ୍ୟବହାର କରାଗଲେ ତାହା କିପରି  ମାପକର ଏକ ଉପକରଣ ହୋଇନଥାଏ,  ବରଂ ପରିବର୍ତ୍ତନର ଏକ ଶକ୍ତି ହୋଇଯାଏ, ସେ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

Leave a Reply

Your email address will not be published. Required fields are marked *