ଓଡ଼ିଶୀ ନୃତ୍ୟ ଦେଖିବା ପାଇଁ ମୁକ୍ତେଶ୍ୱର ପ୍ରାଙ୍ଗଣରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତି, ପଦ୍ମଶ୍ରୀ ଡ଼. ଅରୁଣା ମହାନ୍ତି, ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜ୍‌ମାଦି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ସାଂସ୍କୃତିକ ସନ୍ଧ୍ୟାରେ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ଓଡ଼ିଶୀ କଣ୍ଠ ସଙ୍ଗୀତ ବିଭାଗର ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ “ସମବେତ ଶିବ ବନ୍ଦନା” ପରିବେଷଣ କରିଥିଲେ। ଓଡ଼ିଶୀ ନୃତ୍ୟଶିଳ୍ପୀ ଲକି ପ୍ରଜ୍ଞା ପ୍ରତିଷ୍ଠା ମହାନ୍ତି ରାଗ ଗୁଣ୍ଡକ୍ରିୟା ଓ ତାଳ ଏକତାଳିରେ “କଳାବତୀ ପଲ୍ଲୀବୀ” ନୃତ୍ୟ ପରିବେଷଣ କରିଥିଲେ ଯାହାର ନୃତ୍ୟ ସଂରଚନା କରିଥିଲେ ପଦ୍ମଶ୍ରୀ କୁମ୍‌କୁମ୍ ମହାନ୍ତି। ଏହାପରେ ଶାୟନି ଚକ୍ରବର୍ତ୍ତୀ ଓ ଶୁଭମ୍ କୁମାର ଓଝା “ଶିବମ୍ ଧିମହି”ରେ ନୃତ୍ୟରାଜ ନଟରାଜଙ୍କ ବନ୍ଦନା କରିଥିଲେ। ଶେଷରେ ଓଡ଼ିଶୀ ଡ୍ୟାନ୍ସ କ୍ରିଏସନ୍‌ର କଳାକାରମାନେ “ବିଶେଶ୍ୱର ବନ୍ଦନା” (ମଙ୍ଗଳାଚରଣ) ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପ୍ରକାଶଯୋଗ୍ୟ ଯେ, ଚଳିତ ବର୍ଷ ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବରେ ବିଦେଶୀ ପର୍ଯ୍ୟଟକମାନଙ୍କର ବେଶ୍ ଭିଡ଼ ଦେଖିବାକୁ ମିଳିଥିଲା। ଆମେରିକା, ଆର୍ଜେଣ୍ଟିନା, ରୁସ୍‌, ଇଜରାଇଲ ଆଦି ଦେଶରୁ ଆସିଥିବା ପର୍ଯ୍ୟଟକମାନେ ଓଡ଼ିଶୀ ନୃତ୍ୟ ତଥା ଓଡ଼ିଶାର କଳା, ସ୍ଥାପତ୍ୟ, ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀର ଭୂୟସୀ ପ୍ରଶଂସା କରିଥିଲେ। ଏଥିସହ ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବର ଭବ୍ୟ ଆୟୋଜନ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀକୁ ଧନ୍ୟବାଦ ଅର୍ପଣ କରିଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *