ଭୁବନେଶ୍ୱର : ଓଡିଶାକୁ ବିଶ୍ୱସ୍ତରରେ ଏକ ପ୍ରଶଂସିତ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବା ପାଇଁ ରାଜ୍ୟପାଳ ଡ଼. ହରିବାବୁ କମ୍ଭମ୍ ପାଟି ଆହ୍ୱାନ ଜଣାଇଛନ୍ତି। ଭୁବନେଶ୍ୱରଠାରେ ଓଡିଶା ପର୍ଯ୍ୟଟନ କନକ୍ଲେଭର ଷଷ୍ଠ ସଂସ୍କରଣର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇବା ସହ ଏ ଦିଗରେ ପୂର୍ଣ୍ଣ ସହଯୋଗ ଏବଂ ମାର୍ଗଦର୍ଶନ ଯୋଗାଇ ଦିଆଯିବ ବୋଲି କହିଛନ୍ତି।
ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ପର୍ଯ୍ୟଟନ ହେଉଛି ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ସମ୍ଭାବ୍ୟ କ୍ଷେତ୍ର ମଧ୍ୟରୁ ଅନ୍ୟତମ ଯାହା ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ବାହକ ଭାବେ ବିବେଚନା କରାଯାଏ। ଏହା ମଧ୍ୟ ଏକ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୈତିକ କ୍ଷେତ୍ର ମଧ୍ୟରୁ ଗୋଟିଏ ଏବଂ ଏହା ଆତିଥ୍ୟ, ଖାଦ୍ୟ ଏବଂ ପାନୀୟ, ପରିବହନ, ପର୍ଯ୍ୟଟନ ମାର୍ଗଦର୍ଶିକା, ହସ୍ତଶିଳ୍ପ ଏବଂ ସାଂସ୍କୃତିକ କାର୍ଯ୍ୟକଳାପ ସମେତ ବିବିଧ କ୍ଷେତ୍ରରେ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବାରେ ସମ୍ଭାବନା ରଖିଛି। ପର୍ଯ୍ୟଟନ, ବାଣିଜ୍ୟ, ନିବେଶ, ଭିତ୍ତିଭୂମି ବିକାଶ ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣ କରିବା ଉପରେ ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଏତଦବ୍ୟତୀତ ଏହା ସାଂସ୍କୃତିକ ଏବଂ ପ୍ରାକୃତିକ ଐତିହ୍ୟର ସଂରକ୍ଷଣ ପାଇଁ ସମ୍ବଳ ସୃଷ୍ଟି କରିପାରିବ ଏବଂ ଏହା ସ୍ଥାୟୀ ବିକାଶ ପାଇଁ ସକାରାତ୍ମକ ଯୋଗଦାନ ଦେବାର ବିପୁଳ ସମ୍ଭାବନା ରଖିଛି ବୋଲି ରାଜ୍ୟପାଳ କହିଥିଲେ। ପୁଣି ରାଜ୍ୟପାଳ କହିଥିଲେ ଯେ, ଓଡ଼ିଶାର ବିଭିନ୍ନ ଅଂଚଳର ଅନନ୍ୟ ସାଂସ୍କୃତିକ ଏବଂ ପ୍ରାକୃତିକ ସମ୍ପଦ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରେ। ଏହାର ପ୍ରାଚୀନ ସଭ୍ୟତାର ମୂଳଭିତ୍ତି, ସମୃଦ୍ଧ ମନ୍ଦିର ଐତିହ୍ୟ, ମନୋରମ ପ୍ରାକୃତିକ ଦୃଶ୍ୟରାଜି, କଳାତ୍ମକ ଐତିହ୍ୟ ଏବଂ ଜୈବ ବିବିଧତା ପର୍ଯ୍ୟଟକମାନଙ୍କୁ ସୁନ୍ଦର ଅଭିଜ୍ଞତା ଓ ଉପଲବ୍ଧି ପ୍ରଦାନ କରିଥାଏ।
ପର୍ଯ୍ୟଟନକୁ ଜାତୀୟ ପ୍ରାଥମିକତାରେ ସ୍ଥାନିତ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ପାଇଁ ରାଜ୍ୟପାଳ ପ୍ରଶଂସା କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ଏପରି ମାର୍ଗଦର୍ଶନରେ ପର୍ଯ୍ୟଟନ ଶିଳ୍ପ ଏକ ବିଶ୍ୱସ୍ତରୀୟ ଭିତ୍ତିଭୂମି ସୃଷ୍ଟି କରିବା ଦିଗରେ ଭାରତ ଉଲ୍ଲେଖନୀୟ ପ୍ରଗତି କରୁଛି। ୨୦୩୬ ସୁଦ୍ଧା ବିକଶିତ ଓଡିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ସ୍ୱପ୍ନ ହାସଲ ପାଇଁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଭିତ୍ତିଭୂମି ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟପାଳ କହିଥିଲେ। ଭିତ୍ତିଭୂମିର ବିକାଶ, ସଂଯୋଗୀକରଣ ଏବଂ ଡିଜିଟାଲ ପ୍ରସାରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି ବୋଲି ରାଜ୍ୟପାଳ ଉଲ୍ଲେଖ କରି କହିଥିଲେ ଯେ ଅନ୍ତର୍ଜାତୀୟ ବିମାନ ଚଳାଚଳ କ୍ଷେତ୍ରରେ ଭୂବନେଶ୍ବର ଏବେ ଦୁବାଇ, ଆବୁଧାବି ଭଳି ପ୍ରମୁଖ ବିଶ୍ୱ ଗନ୍ତବ୍ୟସ୍ଥଳ ସହିତ ସଂଯୋଗ ହୋଇଛି। ଇଲେକ୍ଟ୍ରିକ ବସ୍ ଚଳାଚଳ ରୋପ ୱେ, ଚିଲିକା ଏବଂ ଭିତରକନିକାରେ ଇନ୍ ଲାଣ୍ଡ ୱାଟର ୱେ ସଂଯୋଗକୁ ସୁଗମ କରିବ। ଜଗନ୍ନାଥ ଧାମକୁ ଏକ ବିଶ୍ୱ ଆଧ୍ୟାତ୍ମିକ କେନ୍ଦ୍ରରେ ପରିଣତ କରିବା ପାଇଁ ଦୃଷ୍ଟି କେନ୍ଦ୍ରିତ କରିବା, ଭୁବନେଶ୍ୱର- ପୁରୀ- କୋଣାର୍କ ଭଳି ଐତିହ୍ୟ ସର୍କିଟ ବିକଶିତ କରିବା, ରତ୍ନଗିରି, ଉଦୟଗିରି ଏବଂ ଲଳିତଗିରି ଭଳି ବୌଦ୍ଧସ୍ଥଳୀର ଏକକାଳୀନ ବିକାଶ ଉପରେ ରାଜ୍ୟପାଳ ଉଲ୍ଲେଖ କରିଥିଲେ। ଇକୋ-ଟୁରିଜିମ କ୍ଷେତ୍ରରେ ଓଡିଶା ଅଗ୍ରଣୀ ଭୂମିକା ନେଇ ପାରିବ ଏବଂ ପୂର୍ବ ଭାରତର ଇକୋ-ଟୁରିଜିମ ରାଜଧାନୀ ଭାବେ ଓଡିଶାକୁ ଗଢିବା ସ୍ୱପ୍ନ ସାକାର ହୋଇପାରିବ ବୋଲି ରାଜ୍ୟପାଳ କହିଥିଲେ। ପର୍ଯ୍ୟଟନ କ୍ଷେତ୍ରରେ ସାଂସ୍କୃତିକ ଅର୍ଥନୀତିର ବିକାଶ ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ କହିବା ସହିତ ଦକ୍ଷତା ବିକାଶ ମାଧ୍ୟମରେ ଜୀବିକା ନିର୍ବାହ ସୁଯୋଗ ସୃଷ୍ଟି ପାଇଁ ଓଡ଼ିଶାର ପ୍ରସିଦ୍ଧ ପଟ୍ଟଚିତ୍ର, ଚାନ୍ଦୁଆ, ଡୋକ୍ରା ଭଳି ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା, ଭାଷା, ଆତିଥ୍ୟ ଏବଂ ପର୍ଯ୍ୟଟନ ପରିଚାଳନରେ ଯୁବପିଢିଙ୍କୁ ସଶକ୍ତ କରିବା ଜରୁରୀ ବୋଲି ରାଜ୍ୟପାଳ କହିଥିଲେ।
ପର୍ଯ୍ୟଟନ କନକ୍ଲେଭ୍ ଆୟୋଜନ ଏକ ସମୟ ଉପଯୋଗୀ ପଦକ୍ଷେପ ବୋଲି କହିବା ସହିତ ରାଜ୍ୟପାଳ ଆୟୋଜକମାନ ହୋଟେଲ ଆଣ୍ଡ୍ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ୍ ଓଡ଼ିଶାର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ। ଏହି ସମାରୋହରେ ହୋଟେଲ ଆଣ୍ଡ୍ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ୍ ଓଡ଼ିଶାର ଚେୟାରମ୍ୟାନ ଡ଼. ଜେ.କେ. ମହାନ୍ତି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।