ଭୁବନେଶ୍ବର : ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଏକ ପ୍ରଥମ ଡିଜିଟାଲ କାର୍ଯ୍ୟକ୍ରମ ତଲାଶ୍ (TALASH )- (Tribal Aptitude, Life Skills, and Self-Esteem Hub)ର ଶୁଭାରମ୍ଭ ହୋଇଛି। ଦି ନ୍ୟାସନାଲ୍ ଏଜୁକେସନ୍ ସୋସାଇଟି ଫର୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟ୍ସ (NESTS) ୟୁନିସେଫ୍ ର ସହଯୋଗରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି। ଜାତୀୟ ଶିକ୍ଷା ନୀତି (NEP) 2020 ସହିତ ଜଡ଼ିତ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ସାରା ଦେଶରେ 1.38 ଲକ୍ଷରୁ ଅଧିକ ଜନଜାତି ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବ। ମାନସିକ ମୂଲ୍ୟାଙ୍କନ ମାଧ୍ୟମରେ ସେମାନଙ୍କର ଦକ୍ଷତା ଚିହ୍ନଟ କରିବା, କ୍ୟାରିଅର ମାର୍ଗଦର୍ଶନ କରିବା, ଯୋଗାଯୋଗ, ସମସ୍ୟା ସମାଧାନ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ଜୀବନ କୌଶଳ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସେମାନଙ୍କୁ ଲାଭ ପହଞ୍ଚାଇବ।
ଏହାକୁ ଓଡିଶାରେ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ତିନି ଦିନବ୍ୟାପୀ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ବରଠାରେ ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ 47 ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରୁ 94 ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଏହି ଅଧିବେଶନଗୁଡ଼ିକରେ କ୍ୟାରିୟର ପରାମର୍ଶ, ଆତ୍ମସମ୍ମାନ ବୃଦ୍ଧି ଏବଂ ଜୀବନ କୌଶଳ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ପାଇଁ ବ୍ୟକ୍ତିଗତ କ୍ୟାରିୟର କାର୍ଡ ବିକାଶ କରିବା ଉପରେ ଧ୍ୟାନ ଦିଆଯାଇଥିଲା। ଶିକ୍ଷାଗତ ଏବଂ କ୍ୟାରିୟର ଚୟନ କରିବାରେ ଶିକ୍ଷାର୍ଥୀଙ୍କୁ ମାର୍ଗଦର୍ଶନ କରିବା ପାଇଁ ତଲାଶ୍ ବହୁ ମାତ୍ରାରେ ସହାୟକ ହୋଇପାରିବ।
ଏହାର ଉଦଯାପନୀ ସମାରୋହରେ OMTESର ଯୁଗ୍ମ ନିର୍ଦ୍ଦେଶକ ତଥା ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଉପ ଶାସନ ସଚିବ ପ୍ରଣତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। NESTSର ଏହି ପଦକ୍ଷେପ ପାଇଁ ପ୍ରଶଂସା କରିବା ସହ ସାମଗ୍ରିକ ବିକାଶ ପାଇଁ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଶିକ୍ଷକମାନଙ୍କୁ ଆଦର୍ଶ ଓ ଉପଯୁକ୍ତ ପରାମର୍ଶଦାତା ଭାବରେ କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ।