କେନ୍ଦୁଝର ମେଡିକାଲ କଲେଜ୍ ଟ୍ରମା କେୟାର ସେଣ୍ଟରରେ ପ୍ରଥମ ଅସ୍ଥିଶଲ୍ୟ ଅସ୍ତ୍ରୋପଚାର ସମ୍ପନ୍ନ

ଭୁବନେଶ୍ୱର : କେନ୍ଦୁଝରର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରରେ ପ୍ରଥମ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି।  ୧୦ ବର୍ଷର ବାଳକ କ୍ଷିରୋଦ ଜାମୁଡ଼ାଙ୍କୁ ନୂଆ ଜୀବନ ମିଳିଛି। ଚଳିତ ମାସ ୧୪ ତାରିଖ ସନ୍ଧ୍ୟାରେ କ୍ଷିରୋଦ ଏକ ସଡ଼କ ଦୁର୍ଘଟଣାରେ ଗମ୍ଭୀର ଭାବେ ଆହତ ହୋଇଥିଲେ । କ୍ଷିରୋଦଙ୍କୁ ପ୍ରଥମେ ହରିଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଗଲାପରେ କେନ୍ଦୁଝରର ଧରଣୀଧର ମେଡିକାଲ କଲେଜ  ଓ ହସ୍ପିଟାଲକୁ ଟ୍ରମା କେନ୍ଦ୍ରକୁ ଉଚ୍ଚତର ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା। ଟ୍ରମା କେନ୍ଦ୍ରରେ ପରୀକ୍ଷା ନିରୀକ୍ଷା ପରେ ଚିକିତ୍ସକମାନେ ତାଙ୍କ ଦେହରେ  ହିମୋଗ୍ଲୋବିନ ମାତ୍ରା କମ ଥିବାର ଲକ୍ଷ୍ୟ କରିଥିଲେ। ତେଣୁ, ବିଶେଷଜ୍ଞ  ଡାକ୍ତରମାନେ ତାଙ୍କୁ ଆବଶ୍ୟକୀୟ ଆଶୁ ଚିକିତ୍ସା ଦେଇଥିଲେ। ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ମାନକ ଗୁଡିକ ଅସ୍ତ୍ରୋପଚାର ସ୍ଥିତିକୁ ଆସିଲା ପରେ ଅର୍ଥୋପେଡିକ ଅସ୍ତ୍ରୋପଚାର ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ।

 ଏଥିପାଇଁ ଅର୍ଥୋପେଡିକ ପ୍ରଫେସର ଅଶୋକ କୁମାର ନାୟକ, ଆନେସ୍ଥେସିଆ ପ୍ରଫେସର ଦେବାଶିଷ ସ୍ୱାଇଁ, ଡାକ୍ତର ଅନନ୍ତ ନାରାୟଣ ପାତ୍ର ଓ ଅଧ୍ୟକ୍ଷ ପ୍ରଫେସର ମହେନ୍ଦ୍ର କୁମାର ନାୟକଙ୍କୁ ନେଇ ଏକ ବିଶେଷଜ୍ଞ ଟିମ ଗଠନ କରାଯାଇଥିଲା। ସଫଳ ଅସ୍ତ୍ରୋପଚାର ପରେ ଏବେ କ୍ଷିରୋଦଙ୍କୁ ଟ୍ରମା କେୟାର ଆଇସିୟୁରେ ୨୪ ଘଣ୍ଟିଆ ନିରୀକ୍ଷଣ ପାଇଁ ରଖାଯାଇଛି । ବିଶେଷଜ୍ଞ ଟିମ  କ୍ଷିରୋଦଙ୍କର  ଅସ୍ତ୍ରୋପଚାର ପରବର୍ତ୍ତୀ ସ୍ଥିତି  ନେଇ ଆତ୍ମସନ୍ତୋଷ ବ୍ୟକ୍ତ କରିବା ସହ ସେ ସେ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି। 

ସୂଚନାଯୋଗ୍ୟ, ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ସେଣ୍ଟର ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠିର ମିଳିତ ସହଯୋଗରେ ସ୍ଥାପିତ ଓ ପରିଚାଳିତ ହେଉଛି ।

Leave a Reply

Your email address will not be published. Required fields are marked *