ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ଭିତ୍ତିଭୂମି ବିକାଶ ନେଇ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠସ୍ଥ ଅନ୍ଧାରୁଆଠାରେ ଥିବା ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନରେ ଭିତ୍ତିଭୂମି ବିକାଶ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତିଷ୍ଠାନ ପରିସର ମଧ୍ୟରେ ପାଠାଗାର କୋଠା, ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ବାସଗୃହ, ହଷ୍ଟେଲ ଓ ଏକାଡେମିକ୍‌ ବ୍ଲକ୍‌ର ଅତିରିକ୍ତ ମହଲା ନିର୍ମାଣ ନିମନ୍ତେ ଏକ ବୁଝାମଣାପତ୍ର ଖାରବେଳ ଭବନଠାରେ ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ପତ୍ର ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ଏବଂ ଓଡ଼ିଶା ନିର୍ମାଣ ନିଗମ ମଧ୍ୟରେ ସ୍ୱାକ୍ଷରିତ ହୋଇଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍‌ଙ୍କ ଉପସ୍ଥିତିରେ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଯଶୋବନ୍ତ ଜେନା ଓ ଓଡ଼ିଶା ନିର୍ମାଣ ନିଗମ ମୁଖ୍ୟ କାର୍ଯ୍ୟାଳୟର ନିର୍ମାଣ ବିଭାଗ ପରିଚାଳନା ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ଚୌଧରୀ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ। ମୋଟ ୨୬ କୋଟି ୫ ଲକ୍ଷ ଟଙ୍କା ବିନିମୟରେ ଏହି ସବୁ ନିର୍ମାଣ କାର୍ଯ୍ୟ କରାଯିବ। ଏଥି ନିମନ୍ତେ ଦୁଇବର୍ଷ ସମୟସୀମା ଧାର୍ଯ୍ୟ କରାଯାଇଛି।

ଏହି ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ଶାସନ ସଚିବ ଶିବାନୀ ମହାନ୍ତି ଶ୍ରୀମତୀ ପୂଜା ମିଶ୍ର, ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ନିର୍ଦ୍ଦେଶକ ଉର୍ମିପ୍ରଭା ମହାରଣା, ଓଡ଼ିଶା ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ବିଭୂତି ଭୂଷଣ ଦାଶ, ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ଅଧ୍ୟାପକ ଓ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *