ଜାତୀୟସ୍ତରରେ ଚାମ୍ପିଅନ ଓଡ଼ିଶା ହ୍ଵିଲ ଚେୟାର ରଗବୀ ଦଳକୁ ସମ୍ବର୍ଦ୍ଧିତ କଲା ବାଣିଜ୍ୟ ଓ ପରିବହନ ବିଭାଗ

ଭୁବନେଶ୍ୱର: ଓଡ଼ିଶା ହ୍ୱିଲଚେୟାର ରଗବି ଦଳ ୭ମ ଜାତୀୟ ହ୍ୱିଲଚେୟାର ରଗବି ଚାମ୍ପିଅନସିପ୍ ୨୦୨୫ରେ ବିଜୟୀ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଅତୁଳନୀୟ ଉତ୍ସାହ, ଶୃଙ୍ଖଳା ଏବଂ ଦଳଗତ କାର୍ଯ୍ୟ ପାଇଁ ସେମାନେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିପାରିଛନ୍ତି। ଏହି ଟିମରେ ଏମିତି ତିନି ଜଣ ସଦସ୍ୟ ରହିଥିଲେ, ଯେଉଁମାନେ ଦିନେ ସଡ଼କ ଦୁର୍ଘଟଣା ଯୋଗୁଁ ଦିବ୍ୟାଙ୍ଗ ପାଲଟିଯାଇଛନ୍ତି। କିନ୍ତୁ, ହାର୍ ନ ମାନି ଜୀବନରେ ଜୟଯାତ୍ରା ସହ ଆଗକୁ ବଢ଼ୁଛନ୍ତି।

ଏହି ଉଲ୍ଲେଖନୀୟ ସଫଳତାକୁ ପାଳନ କରିବା ପାଇଁ, ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଚାମ୍ପିଅନ ଦଳର ସମସ୍ତ ସଦସ୍ୟ, କୋଚ୍ ଓ ମେଣ୍ଟରଙ୍କୁ ସମ୍ମାନିତ କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ପରିବହନ ଆୟୁକ୍ତ ଅମିତାଭ ଠାକୁର, କ୍ରୀଡ଼ା ନିର୍ଦ୍ଦେଶକ ୟେଦୁଲା ବିଜୟ ପ୍ରମୁଖ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଟିମକୁ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଜଣାଇଥିଲେ।

ଏହି ଅବସରରେ ଶ୍ରୀମତୀ ପାଢୀ କହିଛନ୍ତି,“ଏହି ଦିବ୍ୟାଙ୍ଗ ଚାମ୍ପିଅନମାନେ ଦୃଢ ଇଚ୍ଛାଶକ୍ତି ଏବଂ ଶକ୍ତିର ପ୍ରତୀକ। ଏମାନଙ୍କର ଯାତ୍ରା ଆମକୁ ଶିଖାଏ ଯେ ଦୃଢ଼ ନିଷ୍ଠାର ସହ କାର୍ଯ୍ୟ କଲେ ଯେକୌଣସି ଅସମ୍ଭବ କାର୍ଯ୍ୟ ସମ୍ଭବ କରିହେବ। ଶ୍ରୀ ଠାକୁର ତାଙ୍କ ବକ୍ତବ୍ୟରେ ଖେଳାଳିଙ୍କ ଦୃଢ଼ ଇଚ୍ଛାଶକ୍ତିକୁ ଉଚ୍ଚ ପ୍ରଶଂସା କରିବା ସହ ଏହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି କହିଥିଲେ।

ଓଡିଶା ହ୍ୱିଲଚେୟାର ରଗବି ଦଳର ଅଧିନାୟକ ଗୌତମ ସିଂଙ୍କ ସମେତ ବିକ୍ରମାଦିତ୍ୟ ଜେନା, ପ୍ରଶାନ୍ତ ନାୟକ, ସୁଜିତ କୁମାର ନନ୍ଦ, ଆକାଶ ବନଛୋର, ଲିଟନ ସାହୁ, ସୁଧୀର ମଲିକ, ମୁରଲୀ ବେନିଆଁ ପ୍ରମୁଖ ଉପସ୍ଥିତ ଥିଲେ। କିଛି ଚାମ୍ପିଅନ ବଡ଼ ବଡ଼ ସଡ଼କ ଦୁର୍ଘଟଣା ଦେଇ ଗତି କରିଛନ୍ତି। ତଥାପି, ସେମାନଙ୍କର ମନୋବଳ ଏବଂ ଦୃଢ଼ ଇଚ୍ଛାଶକ୍ତି ଆଜି ଓଡ଼ିଶା ପାଇଁ ଗର୍ବ ଆଣିଛି, ଏମାନେ ଦୁର୍ଘଟଣାରେ ହାର ମାନି ନାହାନ୍ତି ବରଂ କିଛି ନିଆରା କରିବା ଲକ୍ଷ୍ୟରେ ନୂତନ ରାସ୍ତା ବାଛିଛନ୍ତି।

ଏହି କାର୍ଯ୍ୟକ୍ରମରେ ପରିବହନ ବିଭାଗର ବରିଷ୍ଠ କର୍ମଚାରୀ ଏବଂ ଓଡ଼ିଶା ପାରା ସ୍ପୋର୍ଟ୍ସ ଆସୋସିଏସନ ସମ୍ପାଦକ କମଳାକାନ୍ତ ରଥ ମଧ୍ୟ ଯୋଗଦେଇ ଚାମ୍ପିଅନ ଟିମକୁ ଶୁଭେଚ୍ଛା ଜଣାଇ ଆଗାମୀ ସୁଖ ଭବିଷ୍ୟତର କାମନା କରିଥିଲେ।

Leave a Reply

Your email address will not be published. Required fields are marked *