ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଦିଗଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି। ଶିରିପୁରସ୍ଥିତି ଇମେଜ୍ ଠାରେ ପ୍ରାୟ ୨୪୦ ଜଣ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନେଇ ଦିଗଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉଦଘାଟନୀ ଅଧିବେଶନରେ ବ୍ରହ୍ମପୁର ଉଚ୍ଚ ମାଧ୍ୟମିକ ଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ସେଠୀ, ଯୁଗ୍ମ ନିର୍ଦ୍ଦେଶକ ବିନିତା ସେନାପତି, ରାଜ୍ୟ ଶିକ୍ଷା ବିଶେଷଜ୍ଞ, ୟୁନିସେଫ୍ ଲଳିତା ପଟ୍ଟନାୟକ, ଯୁଗ୍ମ ନିର୍ଦ୍ଦେଶକ ସ୍ନିଗ୍ଧା ମିଶ୍ର, ଯୁଗ୍ମ ନିର୍ଦ୍ଦେଶକ ସସ୍ମିତା ମାଳି, ଉପନିର୍ଦ୍ଦେଶକ ସି.ଏଚ୍. ବିଜୟଲକ୍ଷ୍ମୀ, ଉପନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଆଞ୍ଚଳିକ ନିର୍ଦ୍ଦେଶକ ସେଠୀ ପିଜିଟି ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ସମାଧାନ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ସମାଜ ଓ ଦେଶ ପାଇଁ ଉତ୍ତମ ନାଗରିକର ଗଠନର ଭାର ଶିକ୍ଷକଙ୍କ ଉପରେ ନ୍ୟସ୍ତ ଥାଏ ତେବେ ଛାତ୍ରଛାତ୍ରୀଙ୍କୁ ଉଚିତ୍ ଦିଗଦର୍ଶନ ଦେବା ଶିକ୍ଷକମାନଙ୍କ କର୍ତ୍ତବ୍ୟ ବୋଲି ସେ ମତ ପ୍ରକାଶ କରିଛନ୍ତି । ଏଥିସହ ଛାତ୍ର ଓ ଶିକ୍ଷକ ମଧ୍ୟରେ ରହୁଥିବା ବ୍ୟବଧାନକୁ ଚିହ୍ନଟ କରି ଏହାର ସମାଧାନ କରିବାକୁ ଶ୍ରୀ ସେଠୀ ପରାମର୍ଶ ଦେଇଛନ୍ତି। ସେହିପରି ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସେନାପତି ଉଦବୋଧନ ଦେଇ ପିଜିଟି ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ସର୍ବଦା ଜ୍ଞାନ ଆହରଣ ପ୍ରକ୍ରିୟା ଜାରି ରଖିବାକୁ ଉପଦେଶ ଦେଇଛନ୍ତି । ଶିକ୍ଷା ଦେବା ନିମନ୍ତେ ନିଜେ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି ।
ସେହିପରି ରାଜ୍ୟ ଶିକ୍ଷା ବିଶେଷଜ୍ଞ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି, ଦିଗଦର୍ଶନ କର୍ମଶାଳା ମାଧ୍ୟମରେ ଶିକ୍ଷକମାନେ ଯାହା ଶିଖିକି ଯାଇଥାନ୍ତି, ତାହା ଛାତ୍ରଛାତ୍ରୀମାନଙ୍କୁ ଦକ୍ଷ କରିବାରେ ସହାୟକ ହୋଇଥାଏ । ଏଥିସହ ଛାତ୍ରଛାତ୍ରୀଙ୍କ କିଶୋର ଅବସ୍ଥା ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଛନ୍ତି । କିଶୋର ଅବସ୍ଥା ହେଉଛି ଛାତ୍ରଛାତ୍ରୀଙ୍କ ଦ୍ବିତୀୟ ପର୍ଯ୍ୟାୟ ବିକାଶ । ଏହି ସମୟରେ ସେମାନଙ୍କୁ ସଠିକ୍ ଦିଗଦର୍ଶନର ଆବଶ୍ୟକତା ରହିଥାଏ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସର୍ବଦା ସକରାତ୍ମକ ଭାବନା ସୃଷ୍ଟି କରିବା ହେଉଛି ଶିକ୍ଷକମାନଙ୍କର ଭୂମିକା । ପିଲାଙ୍କୁ ଜାଣିବେ ଓ ସେମାନଙ୍କୁ ଗଢିବେ ବୋଲି ବାର୍ତ୍ତା ପ୍ରଦାନ କରିଛନ୍ତି ଶ୍ରୀମତୀ ପଟ୍ଟନାୟକ । ଏଥିସହ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ମାଳି ସ୍ବାଗତ ଅଭିଭାଷଣ ରଖିଥିବା ବେଳେ ଉପନିର୍ଦ୍ଦେଶକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ସୂଚନାଯୋଗ୍ୟ, ପିଜିଟି ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନେଇ ଆୟୋଜିତ ଦିଗଦର୍ଶନ କର୍ମଶାଳା ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୩ ରୁ ଫେବୃଆରୀ ୭ ତାରିଖ ଯାଏଁ ଅନୁଷ୍ଠିତ ହେଉଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ କର୍ମଶାଳା ଫେବୃଆରୀ ୯ ତାରିଖରୁ ଫେବୃଆରୀ ୧୩ ତାରିଖ ଯାଏଁ ଅନୁଷ୍ଠିତ ହେବ। ଏହି ଦୁଇଟି ପର୍ଯ୍ୟାୟ କର୍ମଶାଳାରେ ବିଭିନ୍ନ ବିଭାଗର ୨୪୦ ଜଣ ଶିକ୍ଷକଶିକ୍ଷୟିତ୍ରୀ ଭାଗ ନେବେ । ପ୍ରଥମ ପର୍ଯ୍ୟାୟରେ ମନୋବିଜ୍ଞାନ (Psychology) , ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ଉର୍ଦ୍ଦୁ ଓ ନୃତତ୍ତ୍ବ ବିଦ୍ୟା (Anthropology) ବିଭାଗର ପିଜିଟି ଯୋଗ ଦେଇଛନ୍ତି।
