ନୂଆଦିଲ୍ଲୀଠାରେ ଆୟୋଜିତ ଷଷ୍ଠ ଡିଜିଟାଲ୍‌ ଟ୍ରାନ୍ସଫର୍ମେସନ୍‌ ସମିଟ୍‌ ରେ ଏନ୍‌ଆଇସି-ଓଡ଼ିଶା ପୁରସ୍କୃତ

ଭୁବନେଶ୍ଵର : ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟର ଅନଲାଇନ୍‌ ସେବା (ଡିଇପିଏମ୍‌ଓଏସ୍‌) ପ୍ରକଳ୍ପ ପାଇଁ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍‌ଆଇସି-ଓଡ଼ିଶା)କୁ “ଡିଜିଟାଲ୍ ଇନିସିଏଟିଭ୍ ଆୱାର୍ଡ”ସମ୍ମାନ ମିଳିଛି। ନୂଆଦିଲ୍ଲୀଠାରେ ଆୟୋଜିତ ଷଷ୍ଠ  ଡିଜିଟାଲ୍‌ ଟ୍ରାନ୍ସଫର୍ମେସନ୍‌ ସମିଟ୍‌ ରେ ‘ଗ୍ରାମୀଣ ସଂଯୋଗ ଏବଂ ଡିଜିଟାଲ୍‌ ସେବା ସୁନିଶ୍ଚିତ ପାଇଁ ଏନ୍‌ଆଇସି-ଓଡ଼ିଶା ପୁରସ୍କୃତ ହୋଇଛି। ଏନଆଇସି-ଓଡ଼ିଶାର ନିର୍ଦ୍ଦେଶକ (ଆଇଟି) ମହମ୍ମଦ ମୁଜିବୁଲ୍ଲା ଖାନ, ଉପ-ନିର୍ଦ୍ଦେଶକ (ଆଇଟି) ସୁଧାଂଶୁ କୁମାର ମହାପାତ୍ର ଏବଂ ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ।

ଏହି ସମ୍ମାନ ଡିଜିଟାଲ୍ ଶାସନ କ୍ଷେତ୍ରରେ ନବସୃଜନ ଓ ପରିବର୍ତ୍ତନର ଏକ ବଳିଷ୍ଠ ପ୍ରମାଣ। ସୂଚନାଯୋଗ୍ୟ ଯେ, ଡିଇପିଏମ୍‌ଓଏସ୍‌ ହେଉଛି ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଇ-ଗଭର୍ଣ୍ଣାନ୍ସ ପଦକ୍ଷେପ। ଏମ୍‌ଏସ୍‌ଏମ୍‌ଇ ବିଭାଗ ଅଧୀନ ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ସେବାଗୁଡ଼ିକୁ ଡିଜିଟାଇଜ୍‌ ଏବଂ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଏନ୍‌ଆଇସି-ଓଡ଼ିଶା ଏହି ପ୍ରକଳ୍ପକୁ ବିକଶିତ ଏବଂ କାର୍ଯ୍ୟକାରୀ କରିଛି । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରଗୁଡ଼ିକୁ ସେବା ପ୍ରଦାନରେ ଏହି ପ୍ରକଳ୍ପ ଉଲ୍ଲେଖନୀୟ ଉନ୍ନତି ଆଣିଛି। କାର୍ଯ୍ୟକାରୀ ସମୟ ହ୍ରାସ ସହ ବିପଣନ ଓ କ୍ରୟ ପ୍ରକ୍ରିୟାରେ ସ୍ୱଚ୍ଛତା ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *