ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଭାରତବର୍ଷର ଦୁଇ ଅମର ବରପୁତ୍ର—ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଦେଶପ୍ରେମ, ତ୍ୟାଗ ଓ ବୀରତ୍ୱ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଅଦ୍ୱିତୀୟ ଓ ବ୍ୟାପକ। ଉଭୟଙ୍କ ବ୍ୟକ୍ତିତ୍ୱ, ସଂଗ୍ରାମ ଥିଲା ଭିନ୍ନ ମାତ୍ର ଉଦ୍ଦେଶ୍ୟ ଥିଲା ଗୋଟିଏ— ଇଂରେଜ ଶାସନର କବଳରୁ ଦେଶର ମୁକ୍ତି। ଉଭୟଙ୍କ ସଂଗ୍ରାମ ଓ ବିପ୍ଳବର ଗୌରବମୟ ଜୟଗାଥା ଭାରତୀୟ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ବିଶିଷ୍ଠ ଶିକ୍ଷାବିତ୍‌ ଓ ସାହିତ୍ୟିକ ନାରାୟଣ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ ଯେ ନେତାଜୀ ଦେଶର ସ୍ୱାଧୀନତା ପାଇଁ ସଶସ୍ତ୍ର ସଂଗ୍ରାମର ପଥ ବାଛିଥିବାବେଳେ ବୀର ସୁରେନ୍ଦ୍ର ସାଏଙ୍କ କୌଶଳପୂର୍ଣ୍ଣ ଗରିଲା ଯୁଦ୍ଧ ଓ ଅସୀମ ସାହସ ସମ୍ମୁଖରେ ଇଂରେଜ ଶାସକମାନେ ବାରମ୍ବାର ପରାଜିତ ହୋଇଥିଲେ।

ନେତାଜୀ ଉଚ୍ଚ ସରକାରୀ ପଦବୀ ଓ ସୁଖସୁବିଧାକୁ ପରିତ୍ୟାଗ କରି ଜୀବନର ୨୩ ବର୍ଷ ଦେଶମାତୃକାର ସେବାରେ ସମର୍ପଣ କରିଥିବାବେଳେ ବୀର ସୁରେନ୍ଦ୍ର ସାଏ ମାଟି ମା’ ପାଇଁ ୩୭ ବର୍ଷ କାରାଗାରରେ ବନ୍ଦୀ ଜୀବନ କାଟିଥିଲେ। ଏହି ଦୁଇ ବୀରପୁରୁଷଙ୍କ ତ୍ୟାଗ ଓ ବଳିଦାନ ଯୋଗୁ ଆଜି ଆମେ ସ୍ୱାଧୀନ ଭାରତର ନାଗରିକ ଭାବେ ଗର୍ବ ବୋଧ କରୁଛୁ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଶ୍ରୀ ପଣ୍ଡା ଆଲୋକପାତ କରିଥିଲେ ଯେ ଦୁଇ ସଂଗ୍ରାମୀଙ୍କ ବୀରତ୍ୱ, ନେତୃତ୍ୱ, ସାଂଗଠନିକ ଦକ୍ଷତା ଓ ଦେଶପ୍ରେମର କୌଣସି ତୁଳନା ନାହିଁ। ସେମାନେ ଆତ୍ମସମ୍ମାନ ସହ ଜୀବନଯାପନ ପାଇଁ ଏକ ପ୍ରଶସ୍ତ ମାର୍ଗ ଉନ୍ମୋଚନ କରି ଯାଇଛନ୍ତି। ଯୁବପିଢ଼ି ଏହି ଆଦର୍ଶକୁ ଆତ୍ମସାତ୍‌ କରି ନିଜ ପ୍ରତିଭାକୁ ଦକ୍ଷତାରେ ପରିଣତ କଲେ ରାଜ୍ୟ ଓ ଦେଶ ପାଇଁ ସୁନାମ ଅର୍ଜନ କରିପାରିବେ ବୋଲି ସେ ମତ ପ୍ରକାଶ କରିଥିଲେ।

ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ କର୍ମମୟ ଜୀବନକୁ ଦେଶପ୍ରେମ, ବଳିଦାନ ଓ ନିଷ୍ଠାର ଅମର ପାଠ ବୋଲି ଅଭିହିତ କରିଥିଲେ। ଏହି ଦୁଇ ବରପୁତ୍ରଙ୍କ ଜୀବନାଦର୍ଶ କେବଳ ଇତିହାସର ଅଂଶ ନୁହେଁ, ବରଂ ଆଧୁନିକ ଭାରତ ଗଠନର ନୈତିକ ମୂଳାଧାର ବୋଲି ସେ ଉଲ୍ଲେଖ କରିଛନ୍ତି। ଯୁବପିଢ଼ି ତାଙ୍କ ଆଦର୍ଶରୁ ପ୍ରେରଣା ନେଇ ଦେଶସେବା ଓ ସମାଜ ନିର୍ମାଣରେ ସକ୍ରିୟ ଭୂମିକା ନେବାକୁ ଆଗେଇ ଆସିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।

ପ୍ରାରମ୍ଭରେ ଅତିଥିମାନେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ  ଭାଗ ନେଇଥିବା   ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଉଛି। ୬ ରୁ ୮ମ ଶ୍ରେଣୀ ବର୍ଗରେ ବିଶ୍ୱରଞ୍ଜନ ବାରିକ ପ୍ରଥମ, ପ୍ରିୟଙ୍କା ନାୟକ ଦ୍ୱିତୀୟ ଓ ସ୍ମାଇଲ ବେଉରିଆ ତୃତୀୟ ପୁରସ୍କାର ଅର୍ଜନ କରିଥିବାବେଳେ ୯ମ ଓ ୧୦ମ ଶ୍ରେଣୀ ବର୍ଗରେ ଏନ୍‌. ଶିବଚନ୍ଦନ ଆଚାର୍ଯ୍ୟ ପ୍ରଥମ, ବର୍ଷାରାଣୀ ବେହେରା ଦ୍ୱିତୀୟ ଓ ରଶ୍ମି ସାହୁ ତୃତୀୟ ପୁରସ୍କାର ଲାଭ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଆର୍ଥିକ ପରାମର୍ଶଦାତା-ସହ ଉପସଚିବ ପୃଥ୍ୱୀ ରାଜ ପାଣି, ଉପସଚିବ ପ୍ରଣବ କୁମାର ଦାସଙ୍କ ସହ ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *