ପିଜିଟି ଶିକ୍ଷକଙ୍କ ପାଞ୍ଚ ଦିନିଆ ଦକ୍ଷତା ବିକାଶ କର୍ମଶାଳା

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଇଂରାଜୀ ବିଷୟର ସ୍ନାତକୋତ୍ତର ବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ୫ ଦିନିଆ ଦକ୍ଷତା ବିକାଶ କର୍ମଶାଳା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଠାରେ ଆୟୋଜିତ କରାଯାଇଛି। ଏହି ପ୍ରଶିକ୍ଷଣରେ ୫୦ ଜଣ ପିଜିଟି (ଇଂରାଜୀ) ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି। ଉଦଘାଟନୀ ଅଧିବେଶନରେ ବିଦ୍ୟାଳୟ  ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ,  ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିୟତୀ ପଟ୍ଟନାୟକ, ଯୁଗ୍ମ ନିର୍ଦ୍ଦେଶକ ସସ୍ମିତା ମାଳି, ଉପ-ନିର୍ଦ୍ଦେଶକ ସିଏଚ୍. ବିଜୟଲକ୍ଷ୍ମୀ, ଉପ-ନିର୍ଦ୍ଦେଶକ ଜିତେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିବାବେଳେ ଅଜିମ୍ ପ୍ରେମଜୀ ବିଶ୍ବବିଦ୍ୟାଳୟର ଦୁଇ ଜଣ ଅଧ୍ୟାପକ ପାର୍ଥ ସାରଥି ମିଶ୍ର ଏବଂ ଜେନି ଆଲେକ୍ସ ଉପସ୍ଥିତ ଥିଲେ। ଏହି ୫ ଦିନିଆ ଦକ୍ଷତା ବିକାଶ କର୍ମଶାଳା ଅଜିମ୍ ପ୍ରେମଜୀ ବିଶ୍ବବିଦ୍ୟାଳୟ ସହଯୋଗରେ ଆୟୋଜିତ କରାଯାଇଛି।  

ଉଦଘାଟନୀ ଅଧିବେଶନରେ ଯୋଗ ଦେଇ ଅତିରିକ୍ତ ଶାସନ ସଚିବ ଶୁଭଶ୍ରୀ ନନ୍ଦ କହିଛନ୍ତି, ଏହି କର୍ମଶାଳା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଯୋଗାଯୋଗ ଦକ୍ଷତାକୁ ପ୍ରୋତ୍ସାହିତ କରିବ। ଏହିଠାରୁ ତାଲିମ୍ ଗ୍ରହଣ କରି ଶିକ୍ଷକ-ଶିକ୍ଷୟିତ୍ରୀମାନେ ନିଜ ସମାଜ ଓ କଲେଜରେ ଶିକ୍ଷାଦାନ କ୍ଷେତ୍ରରେ ଆମ୍ବାସାଡର୍ ଭାବେ କାର୍ଯ୍ୟ କରିବେ। ନୂତନ ଜାତୀୟ ଶିକ୍ଷା ନୀତି ଆଧାରରେ ସମଗ୍ର ବିଶ୍ବରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଏକ ଉଦାହରଣ କରିବା ପାଇଁ ହେଲେ ଛାତ୍ରଛାତ୍ରୀମାନଙ୍କୁ କ୍ଷେତ୍ରୀୟ ଅଭିଜ୍ଞତାର ଆବଶ୍ୟକତା ରହିଛି, ଏଥିନିମନ୍ତେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ପ୍ରଥମେ ଦକ୍ଷ ହେବା ଜରୁରୀ। ଏଥିସହ ଶ୍ରୀମତୀ ନନ୍ଦ ଶିକ୍ଷାର ପ୍ରୟୋଗାତ୍ମକ ଦିଗକୁ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଛନ୍ତି।

ସେହିପରି ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିୟତୀ ପଟ୍ଟନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ରାଜ୍ୟର ସମସ୍ତ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ପର୍ଯ୍ୟାୟକ୍ରମେ ସମୟାନୁସାରେ ତାଲିମ୍ ଦିଆଯିବା ନେଇ ସୂଚନା ଦେଇଛନ୍ତି। ଏଥିସହ ଅଜିମ୍ ପ୍ରେମଜୀ ବିଶ୍ବବିଦ୍ୟାଳୟର ସହଯୋଗ ନିମନ୍ତେ ଧନ୍ୟବାଦ ଜଣାଇଛନ୍ତି। ଉପ-ନିର୍ଦ୍ଦେଶକ ସିଏଚ୍. ବିଜୟଲକ୍ଷ୍ମୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଉପ-ନିର୍ଦ୍ଦେଶକ ଜିତେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଛନ୍ତି। ସେହିପରି ଯୁଗ୍ମ ନିର୍ଦ୍ଦେଶକ ସସ୍ମିତା ମାଳି କର୍ମଶାଳାର ତଦାରଖ କରିଛନ୍ତି। 

ଏହି ପାଞ୍ଚ ଦିନିଆ ତାଲିମ୍ କାର୍ଯ୍ୟକ୍ରମରେ ପିଜିଟିମାନଙ୍କ ଦକ୍ଷତା ବିକାଶ ଉପରେ ପ୍ରାଧାନ୍ୟ ଦିଆଯିବ। ଶିକ୍ଷାଦାନ ଓ ମୂଲ୍ୟାଙ୍କନ ଅଭ୍ୟାସକୁ ସୁଦୃଢ଼ କରିବା ପାଇଁ ଏହି କର୍ମଶାଳାର ଆୟୋଜନ। କର୍ମଶାଳାରେ ଅଂଶଗ୍ରହଣକାରୀମାନେ ଶିକ୍ଷାର୍ଥୀମାନଙ୍କ ବିଭିନ୍ନ ଆହ୍ୱାନ, ଭାଷା ଶିକ୍ଷାଦାନର ଲକ୍ଷ୍ୟ ବିଷୟରେ ଜାଣିବେ। ଏଥିସହ ପାଠ୍ୟକ୍ରମ ଲକ୍ଷ୍ୟ, ଦକ୍ଷତା-ଆଧାରିତ ଯୋଗାଯୋଗ କାର୍ଯ୍ୟକଳାପ ଏବଂ ସମାଲୋଚନାମୂଳକ ବିଶ୍ଳେଷଣ ମାଧ୍ୟମରେ ପଠନ ପଦ୍ଧତି ଉପରେ ମଧ୍ୟ ଧ୍ୟାନ ଦିଆଯିବ। ଜାତୀୟ ପାଠ୍ୟକ୍ରମ ରୂପରେଖ ୨୦୨୩ ଅନୁଯାୟୀ ମୂଲ୍ୟାଙ୍କନ ଅଭ୍ୟାସ ଉପରେ ଗୁରୁତ୍ୱ ଦିଆଯିବ, ଯେଉଁଥିରେ ପ୍ରଶ୍ନପତ୍ର ବିଶ୍ଳେଷଣ ଏବଂ ଦକ୍ଷତା-ଆଧାରିତ ମୂଲ୍ୟାଙ୍କନ ଅନ୍ତର୍ଭୁକ୍ତ।

Leave a Reply

Your email address will not be published. Required fields are marked *