ଭୁବନେଶ୍ବର : ଶେଷ ହୋଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ଓ ଅର୍ଥନୀତି ବିଷୟର ସ୍ନାତକୋତ୍ତର ବା ପିଜିଟି ଶିକ୍ଷକଶିକ୍ଷୟତ୍ରୀମାନେ ଯୋଗଦେଇଥିଲେ। ଏହି ପ୍ରଶିକ୍ଷଣରେ ୯୦ ଜଣ ପିଜିଟି ଶିକ୍ଷକଶିକ୍ଷୟତ୍ରୀ ଯୋଗ ଦେଇଥିଲେI
ଏହି ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ନିୟତି ପଟ୍ଟନାୟକ ଯୋଗଦେଇ ପିଜିଟି ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ଉପରେ ଗୁରୁତ୍ୱ ଦେବା ନିମନ୍ତେ ନିଜର ଦକ୍ଷତା ବୃଦ୍ଧି ଜରୁରୀ ବୋଲି ସୂଚନା ଦେଇଥିଲେI ଛାତ୍ରଛାତ୍ରୀମାନଙ୍କୁ ଭୟହୀନ ପରିବେଶରେ ଚାପମୁକ୍ତ ପାଠପଢ଼ା ଉପରେ ଗୁରୁତ୍ୱାରୋପ କରିବା ନିମନ୍ତେ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶିକ ସ୍ନିଗ୍ଧା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେI ବିନିତା ସେନାପତି, ଯୁଗ୍ମ ନିର୍ଦ୍ଦେଶକ; ଜିତେନ୍ଦ୍ର ନାୟକ, ଉପ ନିର୍ଦ୍ଦେଶକ; ଡ଼. ଉମାକାନ୍ତ ସେଠୀ, OIC, SAMS ପ୍ରମୁଖ ଯୋଗ ଦେଇଥିଲେI ଉପ ନିର୍ଦ୍ଦେଶିକ ସିଏଚ. ବିଜୟଲକ୍ଷ୍ମୀ ଧନ୍ୟବାଦ ଅର୍ପଣ କରିଥିଲେI
ଏହି ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମରେ ପିଜିଟିମାନଙ୍କ ଦକ୍ଷତା ବିକାଶ ଉପରେ ପ୍ରାଧାନ୍ୟ ଦିଆଯାଇଥିଲାI ବୃତ୍ତି ସମ୍ୱନ୍ଧୀୟ ସଚେତନତା, ଶିକ୍ଷକମାନଙ୍କ ବୃତ୍ତିଗତ ବିକାଶ, ଶ୍ରେଣୀଗୃହ ପରିଚାଳନା, ଗ୍ରୁପ ଆକ୍ଟିଭିଟି, ଆକାଂକ୍ଷା ବିଦ୍ୟାଳୟର ରୂପରେଖ ଆଦି ସମ୍ପର୍କରେ ତାଲିମ୍ ଦିଆଯାଇଛି I ପ୍ରତ୍ୟେକ ଦିନ ପାଞ୍ଚଟି ଅଧିବେଶନ, ମୋଟ୍ ୨୫ ଟି ଅଧିବେଶନ ସମେତ ସ୍ଥାନୀୟ ପରିଭ୍ରମଣ ମଧ୍ୟ ଆୟୋଜିତ କରାଯାଇଥିଲା। ପରିଶେଷରେ ମତାମତ ଗ୍ରହଣ ଏବଂ ସାର୍ଟିଫିକେଟ ପ୍ରଦାନ କରାଯାଇଛି I
