ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଇତିହାସ ଓ ଇଂରାଜୀ ବିଭାଗ ସ୍ନାତକୋତ୍ତର ବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ପାଞ୍ଚ ଦିନିଆ ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି I ଏହି ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିୟତୀ ପଟ୍ଟନାୟକ, ପୂର୍ବତନ ପ୍ରାଣୀ ବିଜ୍ଞାନୀ ଆସୋସିଏଟ୍ ପ୍ରଫେସର ଡ଼ ଜୟକୃଷ୍ଣ ପାଣିଗ୍ରାହୀ, ଯୁଗ୍ମ ନିର୍ଦ୍ଦେଶିକା ସସ୍ମିତା ମାଳୀ , ଯୁଗ୍ମ ନିର୍ଦ୍ଦେଶିକା ସ୍ନିଗ୍ଧା ମିଶ୍ର, ଉପ ନିର୍ଦ୍ଦେଶିକା ସିଏଚ୍. ବିଜୟ ଲକ୍ଷ୍ମୀ ପ୍ରମୁଖ ଉପସ୍ଥିତ ଥିଲେI
ଏହି ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ 100 ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଥିଲେI ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଅନେକ ବିଷୟ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ବିଶେଷ କରି ସେମାନଙ୍କ ବ୍ୟକ୍ତିଗତ ବିକାଶ ଦିଗରେ ଅଧିକ ପ୍ରାଧାନ୍ୟ ଦିଆଯାଇଥିଲା। ଶିକ୍ଷକମାନେ ପ୍ରଶିକ୍ଷିତ ହେଲେ ସେମାନେ ଆଗାମୀ ପିଢ଼ିକୁ ସଠିକ୍ ଢଙ୍ଗରେ ଗଢ଼ି ପାରିବେ। ଏହି ଅବସରରେ ନିର୍ଦ୍ଦେଶିକା ନିୟତୀ ପଟ୍ଟନାୟକ କହିଛନ୍ତି, ଏହି ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ହିଁ ଶିକ୍ଷକମାନଙ୍କ ଶିକ୍ଷକତା ଯାତ୍ରାର ଶୁଭାରମ୍ଭ ହୋଇଛି। ଏହିଠାରୁ ବାହାରିବା ପରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ବିଦ୍ୟାଳୟର ଉନ୍ନତି ନିମନ୍ତେ କାର୍ଯ୍ୟ କରିବେ ବୋଲି ମତ ପ୍ରକାଶ କରିଛନ୍ତି ନିର୍ଦ୍ଦେଶିକା।
ସେହିପରି ପ୍ରଫେସର ଡ଼ ପାଣିଗ୍ରାହୀ ଉଦଯାପନୀ ଅଧିବେଶନରେ ଯୋଗ ଦେଇ ଜଣେ ଭଲ ଓ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ହେବା ପାଇଁ ପ୍ରେରିତ କରିଥିଲେ। ଯୁଗ୍ମ ନିର୍ଦ୍ଦେଶିକା ସ୍ନିଗ୍ଧା ମିଶ୍ର ପାଞ୍ଚ ଦିବସୀୟ ପ୍ରଶିକ୍ଷଣର ରିପୋର୍ଟ ପ୍ରଦାନ କରିଥିବା ଉପ-ନିର୍ଦ୍ଦେଶିକା ସିଏଚ୍. ବିଜୟଲକ୍ଷ୍ମୀ ପିଜିଟି ମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ। ଶେଷରେ ଯୁଗ୍ମ ନିର୍ଦ୍ଦେଶିକା ସସ୍ମିତା ମାଳି ଧନ୍ୟବାଦ ଅର୍ପଣ କରିଥିଲେ।