ପ୍ରଯୁକ୍ତିବିଦ୍ୟା ଯୁଗରେ ଶିକ୍ଷକମାନଙ୍କୁ ନୂତନ ଜ୍ଞାନକୌଶଳର ଶିଖିବାର ଆବଶ୍ୟକତା ରହିଛି: ଅତିଥି

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଦିଗଦର୍ଶନ କର୍ମଶାଳା ଉଦଯାପିତ ହୋଇଯାଇଛି। ଶିରିପୁରସ୍ଥିତି ଇମେଜ୍ ଠାରେ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୨୪୦ ଜଣ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନେଇ ଦିଗଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉଦଯାପନୀ ଅଧିବେଶନରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ନିୟତୀ ପଟ୍ଟନାୟକ, ଯୁଗ୍ମ ନିର୍ଦ୍ଦେଶକ ବିନିତା ସେନାପତି, ଯୁଗ୍ମ ନିର୍ଦ୍ଦେଶକ ସସ୍ମିତା ମାଳି,  ଉପନିର୍ଦ୍ଦେଶକ ସି.ଏଚ୍. ବିଜୟଲକ୍ଷ୍ମୀ, ଉପନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। 

ଏହି ଅବସରରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ସର୍ବପ୍ରଥମେ ଦିଗଦର୍ଶନ ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ନିରନ୍ତର ପ୍ରୟାସ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ସାଧୁବାଦ୍ ଜଣାଇ କହିଛନ୍ତି, ଆଜିର ପରିବର୍ତ୍ତନଶୀଳ ସମୟରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଆଜିର ପ୍ରଯୁକ୍ତିବିଦ୍ୟା ଯୁଗରେ ଶିକ୍ଷକମାନଙ୍କୁ ମଧ୍ୟ ନୂତନ ଜ୍ଞାନକୌଶଳର ଶିଖିବାର ଆବଶ୍ୟକତା ରହିଛି। ଏହି ଦିଗଦର୍ଶନରୁ ଯାହା ଶିକ୍ଷାଗ୍ରହଣ କରିବେ, ତାହା ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ କରିବାରେ ବ୍ୟବହାର କରିବେ ବୋଲି ଶ୍ରୀ ମହାପାତ୍ର ମତ ରଖିଛନ୍ତି। ଏଥିସହ ସମସ୍ୟାର ସମାଧାନ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀମତୀ ପଟ୍ଟନାୟକ ଦୁଇଟି ପର୍ଯ୍ୟାୟରେ ହୋଇଥିବା ପିଜିଟି ପ୍ରଶିକ୍ଷଣ କର୍ମଶାଳା ସଫଳ ହୋଇଥିବା ଖୁସି ବ୍ୟକ୍ତ କରିଥିଲେ ଏବଂ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ। 

ସେହିପରି ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ମାଳି ସ୍ବାଗତ ଅଭିଭାଷଣ ରଖି କର୍ମଶାଳାର ବିସ୍ତୃତ ବିବରଣୀ ଉପସ୍ଥାପନା କରିଥିବା ବେଳେ ଉପନିର୍ଦ୍ଦେଶକ ଶ୍ରୀମତୀ ସି.ଏଚ୍ ବିଜୟଲକ୍ଷ୍ମୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଏଥିସହ ସମାଜଶାସ୍ତ୍ରର ପିଜିଟି ଶିକ୍ଷୟିତ୍ରୀ ସୀକୃତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ, ପିଜିଟି ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନେଇ ଆୟୋଜିତ ଦିଗଦର୍ଶନ କର୍ମଶାଳା ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୩ ରୁ ଫେବୃଆରୀ  ୭ ତାରିଖ ଯାଏଁ ଅନୁଷ୍ଠିତ ହୋଇଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ କର୍ମଶାଳା ଫେବୃଆରୀ ୯  ତାରିଖରୁ ଫେବୃଆରୀ ୧୩ ତାରିଖ ଯାଏଁ ଅନୁଷ୍ଠିତ ହୋଇଥିଲା। କର୍ମଶାଳାରେ ପିଜିଟି ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ସ୍ଥାନୀୟ ପରିଦର୍ଶନ ନିମନ୍ତେ କଳାଭୂମୀ ନିଆଯାଇଥିବା ବେଳେ ବିଭିନ୍ନ ପ୍ରକାର ଆକ୍ଟିଭିଟି କରାଯାଇଥିଲା ଏବଂ ଶେଷରେ ଶ୍ରେଷ୍ଠ ଆକ୍ଟିଭିଟି ପ୍ରଦର୍ଶନ ଟିମ୍ କୁ ପୁରସ୍କୃତ କରାଯାଇଥିଲା। ଏଥିସହ ଧନ୍ଦାମୂଳକ ଶିକ୍ଷକଶିକ୍ଷୟିତ୍ରୀ ଓ ପିଜିଟି ଶିକ୍ଷକଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ ବାବଦରେ ଦୁଇଟି ତଥ୍ୟସମ୍ବଳିତ ପୁସ୍ତକ ଉନ୍ମୋଚିତ କରାଯାଇଥିଲା।  ପ୍ରଥମ ପର୍ଯ୍ୟାୟରେ ମନୋବିଜ୍ଞାନ (Psychology) , ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ଉର୍ଦ୍ଦୁ ଓ ନୃତତ୍ତ୍ବ ବିଦ୍ୟା (Anthropology) ବିଭାଗର ପିଜିଟି ଯୋଗ ଦେଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ତର୍କଶାସ୍ତ୍ର (Logic) , ପରିସଂଖ୍ୟାନ (Statistics), ଭୂଗୋଳ (Geography), ହିନ୍ଦୀ, ଗୃହ ବିଜ୍ଞାନ (Home science) , ସମାଜଶାସ୍ତ୍ର (Sociology) ବିଭାଗର ପିଜିଟି ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *