ଭୁବନେଶ୍ୱର: ୨୦୩୬ ମସିହା ସୁଦ୍ଧା ଏକ ବିକଶିତ ଓଡ଼ିଶା ଓ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଭାରତ ନିମନ୍ତେ ସାମୁହିକ ଉଦ୍ୟମ ପାଇଁ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତିI ଭୁବନେଶ୍ୱରରେ ଆୟୋଜିତ ବିଶ୍ୱ ବାଣିଜ୍ୟ ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତିI ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଆନ୍ତର୍ଜାତୀୟ ବାଣିଜ୍ୟ କେବଳ ସାମଗ୍ରୀ ଓ ସେବାର ବିନିମୟ ନୁହେଁ, ଏହା ଏକ ପରିବର୍ତ୍ତନଶୀଳ ଶକ୍ତି ଯାହା ନବସୃଜନକୁ ଉତ୍ସାହିତ କରିବା ସହିତ ନିଯୁକ୍ତି ସୃଷ୍ଟି କରେ ଏବଂ ସୀମା ଅତିକ୍ରମ କରି ସମୃଦ୍ଧି ଆଣେ। ଭାରତ ଭଳି ଉଦୀୟମାନ ଅର୍ଥନୀତି ପାଇଁ ବାଣିଜ୍ୟ ଏକ ସମାବେଶୀ ଓ ସ୍ଥାୟୀ ଅଭିବୃଦ୍ଧିର ଶକ୍ତିଶାଳୀ ଲିଭର ଭାବେ କାର୍ଯ୍ୟ କରେ।
ରାଜ୍ୟପାଳ କହିଥିଲେ ଯେ ଦକ୍ଷିଣ ଏସୀୟ ମୁକ୍ତ ବାଣିଜ୍ୟ କ୍ଷେତ୍ର (SAFTA), ଆସିଆନ-ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତି, ଭାରତ-ୟୁଏଇ ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତି ଏବଂ ଜାପାନ, ଦକ୍ଷିଣ କୋରିଆ ଓ ଅଷ୍ଟ୍ରେଲିଆ ଭଳି ଦେଶମାନଙ୍କ ସହ ଦ୍ୱିପାକ୍ଷିକ ଚୁକ୍ତି ମାଧ୍ୟମରେ ଭାରତ ବିଶ୍ୱ ବଜାରରେ ନିଜର ଦୃଢ଼ତାକୁ ମଜବୁତ କରିଛି। ସମ୍ପ୍ରତି ଭାରତ ଜାପାନକୁ ଅତିକ୍ରମ କରି ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥନୀତି ହେବାର ମାଇଲଖୁଣ୍ଟ ହାସଲ କରିଛି ଯାହା ଆମର ଅର୍ଥନୈତିକ ସଂସ୍କାର ଏବଂ ବୃଦ୍ଧି ପାଉଥିବା ରପ୍ତାନିର ଶକ୍ତିକୁ ପ୍ରତିଫଳିତ କରେ। ପ୍ରଯୁକ୍ତି ବିଦ୍ୟା, ଔଷଧ, କୃଷି, ଉତ୍ପାଦନ ଓ ସେବା ଭଳି ଦୃଢ଼ କ୍ଷେତ୍ର ଏବଂ ସଂସ୍କାର ଓ ବିଶ୍ୱ ସହ ସମ୍ପର୍କ ପାଇଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ସହ ଭାରତ ଧୀରେ ଧୀରେ ବିଶ୍ୱର ଶୀର୍ଷ ତିନୋଟି ବାଣିଜ୍ୟ ଶକ୍ତି ମଧ୍ୟରୁ ଗୋଟିଏ ହେବା ଆଡ଼କୁ ଅଗ୍ରସର ହେଉଛି।
ପ୍ରାକୃତିକ ସମ୍ପଦରେ ସମୃଦ୍ଧ, ଉପକୂଳବର୍ତ୍ତୀ ଅବସ୍ଥିତି, ପ୍ରଗତିଶୀଳ ନୀତି ଏବଂ ବିସ୍ତୃତ ଭିତ୍ତିଭୂମି ସହ ଓଡ଼ିଶା ବିଶ୍ୱ ବାଣିଜ୍ୟ ନେଟୱାର୍କରେ ଏକ ପ୍ରମୁଖ କେନ୍ଦ୍ର ହେବାର ସାମର୍ଥ୍ୟ ରଖିଛି। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇ ଓ ଆବୁଧାବିକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବା ଦ୍ୱାରା ଓଡ଼ିଶାର ଆନ୍ତର୍ଜାତୀୟ ବାଣିଜ୍ୟ କ୍ଷମତା, ବିଶେଷତଃ ଉଚ୍ଚମୂଲ୍ୟ ଓ ନଷ୍ଟଶୀଳ ରପ୍ତାନି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ଭିତ୍ତିଭୂମି ଓ ଲଜିଷ୍ଟିକ୍ସ ସମ୍ପ୍ରସାରଣ, ମଲ୍ଟିମୋଡାଲ ସଂଯୋଗ, କୋଲ୍ଡ ଚେନ ସିଷ୍ଟମ, ଏୟାର କାର୍ଗୋ, ଏମଏସଏମଇ ପାଇଁ ନୀତିଗତ ସହାୟତା ଏବଂ ପ୍ରତିଷ୍ଠାନିକ ସଂଯୋଗ ଆଦି ଓଡ଼ିଶାକୁ ଆନ୍ତର୍ଜାତୀୟ ବାଣିଜ୍ୟରେ ଏକ ଆକର୍ଷଣୀୟ ରାଜ୍ୟ ଭାବେ ପ୍ରତିଷ୍ଠା କରୁଛି ବୋଲି ରାଜ୍ୟପାଳ କହିଥିଲେ। ଏତତବ୍ୟତୀତ ଓଡ଼ିଶାର ହସ୍ତତନ୍ତ, ହସ୍ତଶିଳ୍ପ ଏବଂ ଜିଆଇ ଟ୍ୟାଗ ପ୍ରାପ୍ତ ଉତ୍ପାଦ ଗୁଡିକର ଉପଯୁକ୍ତ ବ୍ରାଣ୍ଡିଂ କରାଯାଇ ବିଶ୍ୱ ବଜାରରେ ଚାହିଦା ବୃଦ୍ଧି କରିବା ଦିଗରେ ସହଯୋଗର ହାତ ବଢାଇବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେI
ଏହି ସମାରୋହରେ କନ୍ସୁଲେଟ ଜେନେରାଲ ଅଫ ଇଣ୍ଡିଆ, ଅକଲାଣ୍ଡର କନସୁଲ ଜେନେରାଲ ମଦନ ମୋହନ ସେଠି, ଦୁବାଇ ଚାମ୍ବର୍ସ, ଏସିଆ ରିଜିଅନର ମୁଖ୍ୟ ପ୍ରତିନିଧି-ଇଣ୍ଡିଆ ଅଭିଜିତ ସିଂ ଜାଡେଜା ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରାରମ୍ଭରେ ଡବ୍ଲୁଟିସି ମୁମ୍ବାଇର ଚେୟାରମ୍ୟାନ ତଥା ଡବ୍ଲୁଟିସି ଭୁବନେଶ୍ୱରର ନିର୍ଦ୍ଦେଶକ ବିଜୟ କାଲାନ୍ତ୍ରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେI