ଭୁବନେଶ୍ୱର : ବେଆଇନ ଗଞ୍ଜେଇ ଚାଷ ରୋକିବାରେ ଓଡ଼ିଶା ପୋଲିସ ନିରନ୍ତର ଉଦ୍ୟମ କରିବା ସହିତ ଚଢାଉ ଅଭିଯାନ ଜାରି ରଖିଛି। ସ୍ଵତନ୍ତ୍ର ଯୋଜନା, ନୂତନ କୌଶଳ, ଡ୍ରୋନ ଏବଂ ସାଟେଲାଇଟ ଦ୍ଵାରା ଗଞ୍ଜେଇ ଚାଷ ଜମି ଠାବ କରିବା ସହ ଗୁଇନ୍ଦା ତଥ୍ୟ ଆଧାରରେ ବିଭିନ୍ନ ଜିଲ୍ଲାରେ ହଜାର ହଜାର ଏକର ଗଞ୍ଜେଇ ଚାଷ ସମୂଳେ ଧ୍ଵଂସ କରିବାରେ ପୋଲିସ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ରାଜ୍ୟବାସୀଙ୍କ ସୁରକ୍ଷା ଓ ଯୁବପୀଢିଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ସଂପୃକ୍ତ ଜିଲ୍ଲାର ପୁଲିସ ସ୍ଵତନ୍ତ୍ର ଟିମ୍ ଗଠନ କରି ଅଭିଯାନ ଜାରି ରଖିଛନ୍ତି। ଗଞ୍ଜେଇ ଚାଷ ହେଉଥିବା ଦୂର୍ଗମ ଅଞ୍ଚଳକୁ ଚିହ୍ନଟ କରି ଏକର ଏକର ଅବୈଧ ଚାଷକୁ ନଷ୍ଟ କରି ରାଜ୍ୟରେ ଚୋରା ମାଦକ ଦ୍ରବ୍ୟ ବିରୋଧୀ ଲଢ଼େଇକୁ ଅଧିକ ତ୍ଵରାନ୍ଵିତ କରାଯାଉଛି। ଚଳିତ ବର୍ଷ ଅଦ୍ୟାବଧି ୧୮୧୧୧ ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ଏହି ଅଭିଯାନ ଆଗାମୀ ମାର୍ଚ ୨୦୨୬ ପର୍ଯନ୍ତ ଜାରି ରହିବ।
ଚଳିତ ବର୍ଷ ନଭେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ଥାନାରେ ଗଞ୍ଜେଇ ଚୋରା ଚାଲାଣ ବିରୁଦ୍ଧରେ ୪୭୩ ଟି ମାମଲା ରୁଜୁ କରାଯାଇଥିବାବେଳେ କେବଳ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୧୮୧ ଟି ମାମଲା ରୁଜୁ କରାଯାଇ ୭ ହଜାର ୭୫୭ ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ସେହିପରି କନ୍ଧମାଳ ଜିଲ୍ଲାରେ ୧୩୨ଟି ମାମଲା ରୁଜୁ ହୋଇଥିବା ବେଳେ ୯ହଜାର ୩୧୩ ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଏହାବ୍ୟତୀତ ରାୟଗଡା ଜିଲ୍ଲାରେ ୩୩ଟି ମାମଲା ରୁଜୁ ହୋଇଥିବା ବେଳେ ୧୧୪ ଏକର, ମାଲକାନାଗିରିରେ ୩୫ଟି ମାମଲା ସହ ୪୮୩ ଏକର, କୋରାପୁଟରେ ୨୨ ଟି ମାମଲା ସହ ୫୦୮ ଏକର, ଗଜପତିରେ ୪୫ ଟି ମାମଲା ସହ ୬୫୦ ଏକର, ଗଞ୍ଜାମରେ ୨୧ ଟି ମାମଲା ସହ ୧୬୨ ଏକର, କେନ୍ଦୁଝରରେ ୧ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।
ସ୍ୱଳ୍ପ ସମୟ ମଧ୍ୟରେ ହଜାର ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ କରିବା ଆମ ପାଇଁ ବଡ଼ ସଫଳତା ବୋଲି ଡିଜିପି ଯୋଗେଶ ବାହାଦୁର ଖୁରାନିଆ ମତବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ମସିହାରେ ୫୯୪ ଟି ମାମଲା ରୁଜୁ କରାଯାଇଥିବା ବେଳେ ୨୦୮୦୩ ଏକରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଥିଲା। ରାଜ୍ୟର ରାୟଗଡା, ମାଲକାନଗିରି, କୋରାପୁଟ, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ ଏବଂ ନବରଙ୍ଗପୁର ଜିଲ୍ଳାରେ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବା ବେଳେ ଏହାର ମୂଳୋତ୍ପାଟନ ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ଅଭିଯାନ ଚାଲିଛି। ଡ୍ରୋନ ଏବଂ ସାଟେଲାଇଟ ସାହାଯ୍ୟରେ ଏକର ଏକର ଗଞ୍ଜେଇ ଚାଷ ଜମିକୁ ଚିହ୍ନଟ କରା ଯିବା ପରେ ଏହାକୁ ନଷ୍ଟ କରାଯାଉଛି। ଏହା ସହ ଗଞ୍ଜେଇ ଚାଷ କରୁଥିବା ଲୋକଙ୍କୁ ପୋଲିସ ସଚେତନ କରାଉଥିବା ବେଳେ ଗଞ୍ଜେଇ ଚାଷ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ ଚେତାବନୀ ଦେଇଛନ୍ତି।
