ଭୁବନେଶ୍ୱର: ବ୍ୟାଙ୍କରମାନେ ସହାନୁଭୂତିଶୀଳ ହୋଇ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ବହୁଳ ସଂଖ୍ୟାରେ ଅନ୍ତର୍ଭୁକ୍ତ କରାନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତ। ଚଳିତ ଅକ୍ଟୋବର ୧୮ ତାରିଖ ଦିନ ରାଜଭବନର ନିଉ ଅଭିଷେକ ହଲଠାରେ ରାଜ୍ୟରେ ବ୍ୟାଙ୍କରମାନଙ୍କର କାର୍ଯ୍ୟାବଳୀ ସମୀକ୍ଷା କରିବା ଅବସରରେ ରାଜ୍ୟପାଳ ଏହା କହିବା ସହିତ ହିତାଧିକାରୀଙ୍କ ଜୀବନଜୀବିକାର ଉନ୍ନତିପାଇଁ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରିବାକୁ ଆହ୍ୱାନ ଜଣାଇଛନ୍ତି।
ବ୍ୟାଙ୍କ- ଲିଙ୍କଡ୍ ଜୀବିକା ଯୋଜନା ପ୍ରସଙ୍ଗ, ଦେଖାଯାଉଥିବା ଆହ୍ବାନ ଏବଂ ସଫଳତା ଉପରେ ସମୀକ୍ଷାକରି ରାଜ୍ୟପାଳ କହିଥିଲେ ଯେ ବ୍ୟାଙ୍କରମାନେ କେବଳ କାରବାର ଉପରେ ଧ୍ୟାନ ଦେବା ଉଚିତ ନୁହେଁ ବରଂ ସରକାରୀ କଲ୍ୟାଣକାରୀ ପଦକ୍ଷେପର ସାମାଜିକ ପ୍ରଭାବକୁ ବୁଝିବା ଉଚିତ। ରାଜ୍ୟର ଅଭିବୃଦ୍ଧି ହାର ୭% ରହିଛି ଏବଂ ୯% ରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି। ଏହାକୁ ହାସଲ କରିବାରେ ବ୍ୟାଙ୍କରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନରେ ବ୍ୟାଙ୍କରମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ କହିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY) ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY) ଭଳି କଲ୍ୟାଣକାରୀ ଯୋଜନା ଅଧୀନରେ ହିତାଧିକାରୀଙ୍କ ସଂଖ୍ୟା କମ୍ ଥିବାରୁ ରାଜ୍ୟପାଳ କ୍ଷୋଭ ପ୍ରକାଶ କରିଥିଲେ। ଅନେକ ବ୍ୟାଙ୍କର ଗ୍ରାହକ/ହିତାଧିକାରୀଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିବାରେ କିମ୍ବା ଏପରି ଯୋଜନାରେ ମିଳୁଥିବା ଲାଭ ବିଷୟରେ ବୁଝାଇବାରେ ଉପଯୁକ୍ତ ପଦକ୍ଷେପ ନେଉନାହାନ୍ତି। ଏଣୁ ଏ ଦିଗରେ ବ୍ୟାପକ ଜନସଚେତନତା ସୃଷ୍ଟିକରିବାକୁ ରାଜ୍ୟପାଳ କହିଥିଲେ।
ବ୍ୟାଙ୍କଗୁଡ଼ିକୁ ସାର୍ବଜନୀନ କଭରେଜ୍ ପାଇଁ ଲକ୍ଷ୍ୟ ରଖିବାକୁ ଏବଂ ଏହି ଯୋଜନାମାନଙ୍କରେ ଅତି କମରେ ୮୦ ଶତକଡ଼ା ସଞ୍ଚୟ ଖାତାଧାରକଙ୍କୁ ଅନ୍ତର୍ଭୁକ୍ତ କରିବା ନିଶ୍ଚିତ କରିବାକୁ ରାଜ୍ୟପାଳ କହିଛନ୍ତି। ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ଯେ ବ୍ୟାଙ୍କଗୁଡ଼ିକ ସରକାରୀ ଯୋଜନାର ଲାଭ ବୁଝାଇ ଗ୍ରାହକମାନଙ୍କୁ ଅବଗତ କରାଇବେ ଏବଂ କେତେ ଗ୍ରାହକ ବାଦ୍ ପଡିଛନ୍ତି ତାହା ଯାଞ୍ଚ କରିବେ। ଶିକ୍ଷା ଋଣକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ରାଜ୍ୟପାଳ ଆଲୋକପାତ କରି ପ୍ରଧାନମନ୍ତ୍ରୀ ବିଦ୍ୟା ଲକ୍ଷ୍ମୀ (PM-ବିଦ୍ୟା ଲକ୍ଷ୍ମୀ) ଯୋଜନା ବିଷୟରେ ଉଲ୍ଲେଖ କରି ବ୍ୟାଙ୍କଗୁଡ଼ିକ ଜାତୀୟସ୍ତରୀୟ ପ୍ରତିଷ୍ଠାନରେ ଆଡ଼ମିଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ବିନା ବାଧାରେ ଋଣ ପ୍ରଦାନ କରିବା ଉଚିତ ବୋଲି କହିଛନ୍ତି।
ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (PMMY) ବିଷୟରେ ରାଜ୍ୟପାଳ ଉଲ୍ଲେଖ କରି କହିଥିଲେ ଯେ ବ୍ୟାଙ୍କଗୁଡ଼ିକ ପ୍ରାୟତଃ ନୂତନ ଉଦ୍ୟୋଗୀମାନଙ୍କ ଅପେକ୍ଷା ଅଭିଜ୍ଞ ଋଣଗ୍ରହୀତାକୁ ପସନ୍ଦ କରନ୍ତି। ଆର୍ଥିକ କାର୍ଯ୍ୟକଳାପ କରୁଥିବା ଯେକୌଣସି ବ୍ୟକ୍ତି ମୁଦ୍ରା ଋଣ ପାଇଁ ଯୋଗ୍ୟ। ଜଣେ ନୂତନ ଆବେଦନକାରୀଙ୍କୁ ଆର୍ଥିକ ସହାୟତାଦେଇ ବ୍ୟାଙ୍କମାନେ ଏକ ପରିବାରକୁ ସମର୍ଥନ କରିବା ସହିତ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବାକୁ ରାଜ୍ୟପାଳ କହିଥିଲେ।
ଗୃହ ଋଣ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରି ଏହାସହ ସମ୍ପର୍କିତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ବ୍ୟାଙ୍କ ଏବଂ ଆପାର୍ଟମେଣ୍ଟ ବିଲ୍ଡରମାନଙ୍କ ମଧ୍ୟରେ ନିୟମିତ ଆଲୋଚନା ପାଇଁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ବିଷୟରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ କିଛି ଚାଷୀ ସବସିଡି ପାଇବା ପାଇଁ ସେମାନଙ୍କର ଅଂଶଧନ ପାଣ୍ଠି ଦେବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସେମାନଙ୍କୁ PMMY ସହିତ ସଂଯୋଗ କରିବା ଦ୍ୱାରା ସେମାନେ ସେମାନଙ୍କର ଉଦ୍ୟୋଗ ଆରମ୍ଭ କିମ୍ବା ବିସ୍ତାର କରିବାରେ ସମର୍ଥ ହେବେ। ଯୋଗ୍ୟ ଆବେଦନକାରୀଙ୍କ ମଧ୍ୟରୁ 100% ଆର୍ଥିକ ସହାୟତା ପାଇବା ଉଚିତ ବୋଲି ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ମଧ୍ୟ ରାଜ୍ୟପାଳ ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅଧୀନରେ ଋଣ ନ ଦେଇ, କ୍ଷୁଦ୍ର ବ୍ୟବସାୟୀଙ୍କୁ ଅତ୍ୟଧିକ ସୁଧ ଆଦାୟ କରୁଥିବା ମହାଜନଙ୍କ ଦୟାରେ ଛାଡ଼ିଦେବା ଅନୁଚିତ ବୋଲି ରାଜ୍ୟପାଳ କହିଛନ୍ତି।
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା, ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ (PMEGP), ଷ୍ଟାଣ୍ଡ-ଅପ୍ ଇଣ୍ଡିଆ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ସମେତ ଅନ୍ୟାନ୍ୟ ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ବିଷୟରେ ମଧ୍ୟ ରାଜ୍ୟପାଳ ସମୀକ୍ଷା କରିଥିଲେ।
ରାଜ୍ୟରେ କାର୍ଯ୍ୟ କରୁଥିବା ପ୍ରମୁଖ ବ୍ୟାଙ୍କମାନଙ୍କର ମୁଖ୍ୟମାନେ ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଠକରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ; ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ; ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ; କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢୀ; ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ; ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର; ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ; ରାଜ୍ୟପାଳଙ୍କ କମିଶନର- ତଥା – ଶାସନ ସଚିବ ରୂପା ରୋଶନ ସାହୁ; ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (SLBC) ର ସଂଯୋଜକ ଗୌତମ ପାତ୍ର; ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତଥିଲେ।
