ଭକ୍ତି ଓ ଆଧ୍ୟାତ୍ମିକ ଭରା ସଙ୍ଗୀତ କାର୍ଯ୍ୟକ୍ରମ ‘ଗୁହାରି ୨୦୨୫’ର ଦ୍ୱିତୀୟ ସଂଧ୍ୟାରେ ଦର୍ଶକ ବିଭୋର

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ନିବେଦିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ‘ଗୁହାରି ୨୦୨୫’ର ଆଜି ଥିଲା ଦ୍ୱିତୀୟ ସଂଧ୍ୟା। ଶ୍ରୀ ମନ୍ଦିରରୁ ତିନି ଗୋଟି ରଥ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଓ ଶ୍ରୀ ଗୁଣ୍ଡିଚା ମନ୍ଦିରରୁ ବାହାରି ଶ୍ରୀମନ୍ଦିର ଯାତ୍ରା ଅତୀବ ରହସ୍ୟମୟ। ଅଗଣିତ ବିଶ୍ୱବାସୀଙ୍କ ଆଶା ଓ ଆକାଂକ୍ଷା ଏବଂ ଉଦ୍ଦୀପନାର ଏ ଯାତ୍ରା, କିଏ କହେ ଘୋଷ ଯାତ୍ରା, କିଏବା କହେ ନବଦିନାତ୍ମକ ଯାତ୍ରା। କେହିବା କହନ୍ତି ଜନ୍ମ ବେଦୀକୁ ଚତୁର୍ଦ୍ଧାମୂତ୍ତିଙ୍କର ଯାତ୍ରା। ଏଭଳି ଏକ ଭାବାପୂର୍ଣ୍ଣ ପରିବେଶରେ କଣ୍ଠଶିଳ୍ପୀମାନଙ୍କର ଜଗନ୍ନାଥଙ୍କ ଉପରେ ଭକ୍ତି ସଙ୍ଗୀତ ପ୍ରବିବେଷଣ ଏହି ଉତ୍ସବକୁ ଦ୍ୱିଗୁଣିତ କରିଛି। 

ଦ୍ୱିତୀୟ ସଂଧ୍ୟାର ପ୍ରଥମ ଗାୟକ ଥିଲେ ମହାପ୍ରସାଦ କର ସେ ପରିବେଷଣ କରିଥିଲେ ଭୁଜ ତଳେ ଓ ସାଲବେଗଙ୍କ ରଚିତ ଗୁଣନିଧୀ ମୋ। ପରେ ପରେ ଅନସୂୟା ନାଥ ସାଲବେଗଙ୍କ ରଚିତ ଆହେ ନୀଳଗିରୀ ଓ ସାରିଆ ଭିକଙ୍କ ରଚିତ ଥକା ମନ ଚାଲ ଯିବା ଗାୟନ କରିଥିଲେ। ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ଦୁଃଖ ନାଶନ ହେ ଓ ଦୀନବନ୍ଧୁ ଦୈତାରୀ ଯାହାକୁ ଗାୟନ କରିଥିଲେ ବସନ୍ତ ପାତ୍ର। ତା ପରେ ସୃଷ୍ଟି ସରୂପା ପରିବେଷଣ କରିଥିଲେ ବନମାଳୀଙ୍କ ରଚିତ ଏହି କଥାରେ ମୋ ମନ ଓ ଗୌଡ ଦ୍ୱିଜଙ୍କ ରଚିତ ନୀଳ ଚକ୍ର ହେ। ପରେ ପରେ ଆଲୋକ କୁଣ୍ଡୁଙ୍କ ପ୍ରସ୍ତୁତିରେ ଥିଲା ସାଲବେଗଙ୍କ ଦ୍ୱାରା ରଚିତ ଅଣସର ଘରୁ ଆଜ ବାହାର ହେଲ ଓ ଭୀମଭୋଇ ରଚିତ ମନରେ ହରି ଭଜନ। ପରବର୍ତ୍ତୀ କଣ୍ଠଶିଳ୍ପୀ ଥିଲେ ନିଶିପ୍ରଭା ପାଣି ସେ ପ୍ରଥମେ ବୀରକିଶୋରଙ୍କ ରଚିତ ପତିତପାବନ ବାନା ଓ ପରେ ପରେ ବନମାଳୀ ରଚିତ ଦୀନବନ୍ଧୁ ଦୈତାରୀ ଗାୟନ କରିଥିଲେ। ପରବର୍ତ୍ତୀ ସଙ୍ଗୀତଟି ଥିଲା ଗୋପାଳ କୃଷ୍ଣଙ୍କ ରଚିତ ରାଧା ଶ୍ରୀ ପାଦ ବ୍ରଜ ଓ ବାଙ୍କ ଦାଶଙ୍କ ରଚିତ ଶ୍ରୀପତି ମୋ ବିପତି କୁ ପରିବେଷଣ କରିଥିଲେ ପ୍ରଭାତ କୁମାର ପାତ୍ର। ପରେ ପରେ ଦିପ୍ତି ଦାଶ ଗାୟନ କରିଥିଲେ ଭୀମଭୋଇଙ୍କ ରଚିତ ଶ୍ରୀ ଗୁରୁଙ୍କ ପାଦେ ରଖ ଓ ଦୀନବନ୍ଧୁଙ୍କ ଦ୍ୱାରା ରଚିତ ଜୟ ଜଗବନ୍ଧୁ ହେ ଜଦୁ ନନ୍ଦନ। ଦ୍ୱିତୀୟ ସନ୍ଧ୍ୟାର ଅନ୍ତିମ ପରିବେଷଣରେ ଥିଲା ଦିବ୍ୟରଂଜନ ଦାଶଙ୍କ ଦ୍ୱାରା ଅଭିମନୁ୍ୟ ସାମନ୍ତସିଂହାରଙ୍କ ରଚିତ ଜୟ ଜୟ ଜଗନ୍ନାଥ ଓ ଭୀମଭୋଇଙ୍କ ରଚିତ ମନରେ ହରି ଭଜନ। ସେମାନଙ୍କୁ ତବଲାରେ ଦୁଶ୍ମନ୍ତ କୁମାର ପରିଡ଼ା, ଢୋଲକରେ ବୈଭବ କୁମାର ଦାଶ, ବଂଶୀରେ ପ୍ରିତୀ ରଞ୍ଜନ ସ୍ୱାଇଁ, ଅକ୍‌ଟୋପ୍ୟାଡ଼ରେ ସୁଧାଂଶୁ ଶେଖର ଜେନା, କିବୋର୍ଡ଼ରେ ଚିନ୍ତାମଣୀ ମିଶ୍ର ଏବଂ ହାରମୋନିୟମରେ ସୁମନ୍ତ ମହାରଣା ସହଯୋଗ କରିଥିଲେ। 

ଦ୍ୱିତୀୟ ସଂଧ୍ୟାର ଅତିଥିମାନେ ଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ  ଡ଼କ୍ଟର କୁମ୍‌କୁମ୍‌ ମହାନ୍ତି, ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ; ବିଶିଷ୍ଟ ଭାଷାବିତ୍‌ ପ୍ରଫେସର କିର୍ତ୍ତନ ନାରାୟଣ ପାଢୀ ଓ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର। କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ ଡ଼କ୍ଟର ମୃତୁ୍ୟଞ୍ଜୟ ରଥ।

Leave a Reply

Your email address will not be published. Required fields are marked *