ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ଓଜନ ୫୦ ଟନ ହେବ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ତାହାର ନିଜସ୍ୱ ମହାକାଶ ଷ୍ଟେସନ କକ୍ଷପଥରେ ଅବସ୍ଥାପିତ କରିବା ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛି । ଏହା ଭାରତର ମହାକାଶ ଗବେଷଣା ଲକ୍ଷ୍ୟ ହାସଲ ଦିଗରେ ଏକ ଐତିହାସିକ ପଦକ୍ଷେପ ହେବାକୁ ଯାଉଛି ବୋଲି ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ କହିଛନ୍ତି । ଏହି ମହାକାଶ କେନ୍ଦ୍ରର ଓଜନ ୫୦ ଟନ ହେବ ଏବଂ ଏହା ଭାରତକୁ ବିଶ୍ୱର କିଛି ହାତଗଣତି ରାଷ୍ଟ୍ରଗୁଡିକ ମଧ୍ୟରେ ସ୍ଥାନିତ କରିବ ବୋଲି ସେ କହିଛନ୍ତି । ରାମ ମୋହନ ମିଶନରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ଅବସରରେ ନାରାୟଣନ ସମ୍ପ୍ରତି ଭାରତର କାର୍ଯ୍ୟକ୍ଷମ ଥିବା ୫୭ଟି କୃତ୍ରିମ ଉପଗ୍ରହର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ ଉପଗ୍ରହଗୁଡିକ ପାଣିପାଗ ପୂର୍ବସୂଚନା ପ୍ରଦାନ ସହିତ ଦୁର୍ଗମ ଅଞ୍ଚଳରେ ଦୂର ଶିକ୍ଷା କ୍ଷେତ୍ରରେ କିଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି, ତାହା ଉଲ୍ଲେଖ କରିଥିଲେ । ଏହି ଅବସରରେ ସେ ମଧ୍ୟ ଭାରତୀୟ ମହାକାଶ ବିଭାଗ ପକ୍ଷରୁ ଦେଶର ବିଶାଳ ସୀମାରେଖାକୁ ସୁରକ୍ଷା ଓ ନିରାପତ୍ତା ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ବିଭିନ୍ନ ସଂସ୍ଥା ସହିତ ମିଳିତ ଭାବରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ ।

ନିକଟରେ ଇସ୍ରୋ ପକ୍ଷରୁ ମହାକାଶକୁ ଉତକ୍ଷେପଣ ସମୟରେ ବିଫଳ ହୋଇଥିବା ପିଏସଏଲଭି-ସି୬୧/ଇଓଏସ-୦୯ ମିଶନ ସମ୍ପର୍କରେ ପ୍ରକାଶ କରି ସେ କହିଥିଲେ ଯେ ଇସ୍ରୋ ପାଇଁ ଏହାର ପ୍ରୟାସରେ ଏହା ଏକ ବ୍ୟତିକ୍ରମ ହୋଇଛି । ଅନ୍ୟପକ୍ଷରେ ଇସ୍ରୋର ମଜଭୁତ ସଫଳତା ରେକର୍ଡ ରହିଆସିଛି । ସେ ଭରସା ଦେଇ କହିଥିଲେ ଯେ ଏହି ବିଫଳତା ଇସ୍ରୋର ଭବିଷ୍ୟତ ପ୍ରକଳ୍ପଗୁଡିକ ନିମନ୍ତେ ଅନ୍ତରାୟ ହେବନାହିଁ । ଏପରିକି ମାନବ ଥିବା ମହାକାଶଯାନ ଗଗନଯାନ ମିଶନ ମଧ୍ୟ କାର୍ଯ୍ୟକାରୀ କରାଯିବ । ଗଗନଯାନର ପ୍ରଥମ ମିଶନରେ କୋ÷ଣସି ମହାକାଶଚାରୀଙ୍କୁ ପଠାଯିବ ନାହିଁ ଏବଂ ଏହା ଏକ ପରୀକ୍ଷାମୂଳକ ଅଭିଯାନ ହେବ । ଆଗାମୀ ଦିନରେ ଏହା ହାତକୁ ନିଆଯିବା କାର୍ଯ୍ୟକ୍ରମ ରହିଛି । ତାହା ପରବର୍ତ୍ତୀ ସମୟରେ ନିକଟ ଭବିଷ୍ୟତରେ ମହାକାଶଚାରୀଙ୍କୁ ନେଇ ଦୁଇଟି ମିଶନ ହାତକୁ ନିଆଯିବ । ଇସ୍ରୋ ମଧ୍ୟ ତାହାର ଚନ୍ଦ୍ର ଅଭିଯାନ କାର୍ଯ୍ୟକ୍ରମକୁ ଆଗେଇ ନେଉଛି । ଚନ୍ଦ୍ରଯାନ-୪ ଆଗାମୀ ଦୁଇରୁ ଅଢେଇ ବର୍ଷ ମଧ୍ୟରେ ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରି ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବା ଯୋଜନା ରହିଛି । ଇତିମଧ୍ୟରେ ଜାପାନ ସହଯୋଗୀତାରେ ଚନ୍ଦ୍ରଯାନ-୫ ମିଶନ ଚନ୍ଦ୍ରକୁ ୧୦୦ ଦିନିଆ ଅଭିଯାନରେ ଯାତ୍ରା କରିବ । ଏଥିରେ ୬୪୦୦ କିଲୋଗ୍ରାମ ଲ୍ୟାଣ୍ଡର ରହିବ ଯାହା ୩୫୦ କିଲୋଗ୍ରାମର ରୋଭରକୁ ଧରି ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବ ।

Leave a Reply

Your email address will not be published. Required fields are marked *