‘ମହିଳା ଚାଷୀଙ୍କ ପାଇଁ କୃଷି ନୀତି, ସେବା ଏବଂ ଫଳାଫଳରେ ଲିଙ୍ଗ ସମାନତାକୁ ସାମିଲ କରିବା ପାଇଁ ଲିଙ୍ଗଗତ ଦାୟିତ୍ୱବୋଧ କକ୍ଷ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ’

ଭୁବନେଶ୍ୱର: ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା କୃଷି ଭବନରେ ମିଳିତ ଭାବରେ ଲିଙ୍ଗଗତ ଦାୟିତ୍ୱବୋଧ କକ୍ଷ (GRC) ଉଦଘାଟନ କରିଛନ୍ତି। ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (IFPRI) ସହିତ ମିଳିତ ଭାବରେ ଉଦଘାଟନ ହୋଇଥିବା ଏହି କକ୍ଷ ରାଜ୍ୟର କୃଷି ଶାସନ ବ୍ୟବସ୍ଥାରେ ଲିଙ୍ଗଗତ ସମାନତାକୁ ବ୍ୟବସ୍ଥିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ। ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗୁରୁତ୍ୱାରୋପ କରିଥିଲେ ଯେ GRC ର ଶୁଭାରମ୍ଭ ଅନ୍ତର୍ଭୁକ୍ତିମୂଳକ କୃଷି ବିକାଶ ପ୍ରତି ଓଡ଼ିଶାର ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ସୁଦୃଢ଼ ​​କରୁଛି। ଓଡ଼ିଶା ସର୍ବଦା ପ୍ରଗତିଶୀଳ କୃଷି ସଂସ୍କାରକୁ ସମର୍ଥନ କରିଆସିଛି, ଏବଂ ଏହି ଲିଙ୍ଗଗତ ଦାୟିତ୍ୱବୋଧ କକ୍ଷର ଶୁଭାରମ୍ଭ କୃଷି ଶାସନକୁ ଅଧିକ ଅନ୍ତର୍ଭୁକ୍ତ, ପ୍ରମାଣ-କେନ୍ଦ୍ରିତ ଏବଂ ମହିଳା ଚାଷୀଙ୍କ ଆବଶ୍ୟକତା ପ୍ରତି ପ୍ରତିକ୍ରିୟାଶୀଳ କରିବା ପାଇଁ ଆମର ସଂକଳ୍ପକୁ ପ୍ରତିଫଳିତ କରେ। ଯେହେତୁ ମହିଳାମାନେ ଆମର କୃଷି କର୍ମଶକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଆମେ ନିଶ୍ଚିତ କରିବା ଉଚିତ ଯେପରି ସେମାନେ ଯୋଜନା, ବଜାର ଏବଂ ସୁଯୋଗରେ ସମାନ ପ୍ରବେଶ ପାଇବେ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି କକ୍ଷର ଆରମ୍ଭ କରିବାର ସମୟୋଚିତତା ଏବଂ ବ୍ୟାପକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ, ବିଶେଷକରି ବିଶ୍ୱ ଜାତିସଂଘ ମହିଳା କୃଷକଙ୍କ ଅନ୍ତର୍ଜାତୀୟ ବର୍ଷ (୨୦୨୬) ପାଳନ କରିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଆମେ ଏହି ସ୍ୱତନ୍ତ୍ର GRCର ଏହି ଶୁଭାରମ୍ଭ କରି ଆମ ରାଜ୍ୟର ମହିଳାମାନଙ୍କ ପ୍ରତି ଥିବା ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛୁ। GRC ଏପରି ଏକ ମୁହୂର୍ତ୍ତରେ ଆରମ୍ଭ ହେଉଛି ଯେତେବେଳେ ସମଗ୍ର ବିଶ୍ୱର ଧ୍ୟାନ ମହିଳା କୃଷକମାନଙ୍କ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ଅଧିକ ଅନ୍ତର୍ଭୁକ୍ତିମୂଳକ ବ୍ୟବସ୍ଥାର ଜରୁରୀ ଆବଶ୍ୟକତା ଉପରେ ଦୃଷ୍ଟି ଆକର୍ଷଣ କରୁଛି। ଆମର ଶାସନ ଢାଞ୍ଚାରେ ଲିଙ୍ଗଗତ ଅସମାନତାକୁ ଦୂରକରିବା ସହ ନୀତି ପ୍ରଣୟନ କରି ମହିଳା ଚାଷୀଙ୍କର ଆକାଂକ୍ଷାକୁ ପ୍ରକୃତରେ ପ୍ରତିଫଳିତ କରିବାରେ ସହଯୋଗ କରିବ ।

ଡ଼ ଅରବିନ୍ଦ କୁମାର ପାଢୀ, ପ୍ରମୁଖ ଶାସନ ସଚିବ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ କହିଛନ୍ତି ଯେ, ଯୋଜନା, ବଜେଟ ପ୍ରସ୍ତୁତ, ସେବା ପ୍ରଦାନ, ତଦାରଖରେ GRC ଆମକୁ ବ୍ୟବସ୍ଥିତ ଭାବରେ ଲିଙ୍ଗଗତ ଦୃଷ୍ଟିକୋଣରୁ ପ୍ରୟୋଗ କରିବାରେ ସାହାଯ୍ୟ କରିବ। ଏହି କକ୍ଷ ଏକ ବିଶ୍ଳେଷଣାତ୍ମକ କେନ୍ଦ୍ର ଭାବରେ ମଧ୍ୟ କାର୍ଯ୍ୟ କରିବ, ନୀତି ମୂଲ୍ୟାଙ୍କନ, ଲିଙ୍ଗ-ଆଧାରିତ ବଜେଟ ପ୍ରସ୍ତୁତ ଓ ତଥ୍ୟ-ଚାଳିତ ନିଷ୍ପତ୍ତି ଗ୍ରହଣକୁ ସମର୍ଥନ କରିବ।

IFPRIର ଦକ୍ଷିଣ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ଡ଼ ଶାହିଦୁର ରସିଦ, ଏକ ଦୀର୍ଘକାଳୀନ ବୈଷୟିକ ଏବଂ ଜ୍ଞାନ ଅଂଶୀଦାର ଭାବରେ ରାଜ୍ୟ ପ୍ରତି IFPRIର ସମର୍ଥନକୁ ପୁନଃ ପରିପ୍ରକାଶ କରିଥିଲେ। ଉଦଘାଟନ ସମାରୋହ ଅଧିକାରୀ, ଗବେଷକ, ବିକାଶର ପ୍ରମୁଖ ଅଂଶୀଦାର ଓ ନାଗରିକ ସମାଜ ସଂଗଠନଗୁଡ଼ିକୁ ଏକ ସୁବ୍ୟବସ୍ଥିତ କୃଷି ବ୍ୟବସ୍ଥା ଗଠନ କରିବାକୁ ଏକତ୍ରିତ କରିଥିଲା ​​ଯାହା ସମାନତା ଏବଂ ଭବିଷ୍ୟତ ପନ୍ଥା ପ୍ରସ୍ତୁତ କରିବ। ଗେଟ୍ସ ଫାଉଣ୍ଡେସନର ପ୍ରତିନିଧି, କୃଷି ଏବଂ କୃଷକ ସଶକ୍ତିକରଣ, ମତ୍ସ ଓ ପ୍ରାଣୀସମ୍ପଦ, ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *