ପୁରୀ: ଧର୍ମ ମାସ କାର୍ତ୍ତିକ ର ହବିଷ୍ୟାଳୀ ବ୍ରତ ଓଡ଼ିଆ ଧର୍ମୀୟ ଭାବନାକୁ ଋଦ୍ଧିମନ୍ତ କରିଛି। ଏହା ନିଷ୍ଠା ଓ ସମର୍ପଣର ପ୍ରତୀକ। ମା ମାନଙ୍କର ପୂଣ୍ୟ ଆମ ସମସ୍ତ ଙ୍କୁ ଆଶୀର୍ବାଦ ଦେଇ ଚାଲିଥିବ ବୋଲି କହିଛନ୍ତି ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଅପରାହ୍ନ ରେ ବୃନ୍ଦାବତୀ ନିବାସ ହବିଷ୍ୟାଳୀ କେନ୍ଦ୍ର ପରିସରରେ କାର୍ତ୍ତିକ ବ୍ରତ ୨୦୨୫ର ଶୁଭାରମ୍ଭ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କଷ୍ଟରେ କୃଷ୍ଣ ପ୍ରାପ୍ତି ହୁଏର ବାକ୍ୟକୁ ମା ମାନେ ଅନୁପାଳନ କରିଛନ୍ତି ଏହି ହବିଷ୍ୟାଳୀ ମାସରେ। ଗୋଟିଏ ବେଳା ମହାପ୍ରସାଦ ସେବନ ସହ ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରି ସେମାନେ ଅଶେଷ ପୂଣ୍ୟ ଅର୍ଜନ କରୁଛନ୍ତି। ନିଜ ଜେଜେ, ଜେଜେ ମା ଙ୍କ ସମ୍ପର୍କରେ ମତ ଦେଇ ସେମାନେ କିପରି ହବିଷ ବ୍ରତ କରୁଥିଲେ ଓ ତାହା କିପରି ପରିବାର ଉପରେ ସକରାତ୍ମକ ପ୍ରଭାବ ପକାଉଥିଲା ସେ ସମ୍ପର୍କରେ ସେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି ଯେପରି ମା ମାନଙ୍କର ଏହି ଏକ ମାସର ରହଣୀକୁ ଶୃଙ୍ଖଳା, ସୁସ୍ଥ ଓ ସୁରକ୍ଷିତ ଭାବେ କରାଯିବ। ପ୍ରଶାସନ ଏ ସମ୍ପର୍କରେ ବିସ୍ତୃତ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏତେ ବଡ କାର୍ଯ୍ୟରେ କେଉଁଠାରେ ଛୋଟ ଛୋଟ ତୃଟି ଦେଖିଲେ ତାହାର ସମାଧାନ ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅନୁରୋଧ କରିବା ସହ ଆଗାମୀ ପିଢି ମା ମାନଙ୍କ ଏହି ବ୍ରତ ଦ୍ୱାରା ଅନୁପ୍ରାଣିତ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରୁଜ ବୈଶାଖ ରେ ଜଳଦାନ,ମାଘରେ ସ୍ନାହାନ ଓ କାର୍ତ୍ତିକ ରେ ଦୀପଦାନ ଶ୍ରେଷ୍ଠ ପୂଣ୍ୟ। ମା ମାନଙ୍କ ହବିଷ ବ୍ରତ ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ୩ କୋଟି ୩୦ ଲକ୍ଷ ଟଙ୍କାର ବ୍ୟବସ୍ଥା କରିଛନ୍ତି ଯାହା ଗତବର୍ଷ ଅପେକ୍ଷା ୭୦ ଲକ୍ଷ ଟଙ୍କା ଅଧିକ। ତେବେ ମା ମାନଙ୍କ ତ୍ୟାଗ ଓ ଆଶୀର୍ବାଦ ଆଗରେ ଏ ଅର୍ଥ କିଛି ନୁହେଁ ବୋଲି ସେ ମତ ଦେଇ କାର୍ତ୍ତିକ ମାସ ର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଶୁଭାରମ୍ଭ କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡା ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ,ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର,ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ହବିଷ୍ୟାଳୀ ମା ମାନଙ୍କର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ମାସର ପୂଣ୍ୟ ଓ ସମର୍ପଣ ସମଗ୍ର ଓଡିଶା ବାସୀ ଙ୍କ ଉନ୍ନତି, ଶାନ୍ତି ଓ ପ୍ରଗତିରେ ସହାୟକ ହେବ ବୋଲି କହିଥିଲେ।
ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସମସ୍ତଙ୍କୁ ସ୍ବାଗତ କରିବା ସହ ଓଡ଼ିଶାର ବିଭିନ୍ନ ଜିଲ୍ଲା ରୁ ଆସିଥିବା ହବିଷ୍ୟାଳୀ ମା ମାନଙ୍କର ଏକ ମାସର ଶୃଙ୍ଖଳିତ, ସୁରକ୍ଷିତ ଓ ସୁସ୍ଥ ରହଣୀ, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ ଇତ୍ୟାଦି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବରିଷ୍ଠ ଅଧିକାରୀ ,ଅନ୍ୟାନ୍ୟ ଅଧିକାରୀ , କର୍ମଚାରୀ ଓ ସ୍ବେଚ୍ଛାସେବୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଯେପରି ସମସ୍ତ ମା ମାନେ ଏକ ମାସ ପରେ ଘରକୁ ଯିବା ବେଳକୁ ସୁଖଦ ଅନୁଭତି ନେଇ ଯିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।
କାର୍ଯ୍ୟକ୍ରମରେ ଏସପି ପ୍ରତୀକ ସିଂ ଯୋଗ ଦେଇଥିଲ। ଏହି ଅବସରରେ ହବିଷ୍ୟାଳୀ ମା ମାନଙ୍କୁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର କିଟ ପ୍ରଦାନ କରାଯାଇଥିଲା ଯେଉଁ ଥିରେ ମାଳୀ,ହବିଷ ବ୍ରତ ପୁସ୍ତକ,ଶାଢୀ, ଉତ୍ତରୀୟ,ଶାଲ ଇତ୍ୟାଦି ରହିଛି। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବ୍ୟବସ୍ଥା ଦ୍ବାରା ଦୁରଦୁରାନ୍ତରୁ ଆସିଥିବା ହବିଷ୍ୟାଳୀ ମା ମାନେ କାର୍ତିକ ବ୍ରତ ପାଳନ କରିବା ପାଇଁ ସମର୍ଥ ହୋଇପାରିଥିବାରୁ ଖୁସି ବ୍ୟକ୍ତ କରିବା ସହ ହୁଳହୁଳି ପକାଇ ସମସ୍ତ ଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।