‘ରପ୍ତାନୀ କ୍ଷେତ୍ରରେ ଆମ ପାଖରେ ବ୍ୟାପକ ସୁଯୋଗ ଅଛି’

ଭୁବନେଶ୍ଵର : ରପ୍ତାନୀ କ୍ଷେତ୍ରରେ ଆମ ପାଖରେ ବ୍ୟାପକ ସୁଯୋଗ ରହିଛି। ସୁଯୋଗ ସମ୍ପର୍କରେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଅବଗତ ହେବା ଅତ୍ୟନ୍ତ ଜରୁରୀ। ଏହି ସୁଯୋଗର ସଦୁପଯୋଗ କରି ବିକଶିତ ଓଡ଼ିଶାର ସ୍ଵପ୍ନକୁ ସାକାର କରିବା ପାଇଁ ଉଦ୍ୟୋଗୀମାନେ ମଧ୍ୟ ଆଗେଇ ଆସିବା ଉଚିତ। ରପ୍ତାନି ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ଥାନୀୟ ନୟାପଲ୍ଲୀସ୍ଥିତ ରପ୍ତାନି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ  “ସରକାରୀ ଅଧିକାରୀଙ୍କ ନିମନ୍ତେ ଯୋଜନା ସମ୍ବନ୍ଧୀୟ ଦକ୍ଷତା ବିକାଶ କର୍ମଶାଳା”ରେ ଏହି ମତ ପ୍ରକାଶ ପାଇଛି।

କାର୍ଯ୍ୟକ୍ରମ ଆରମ୍ଭରେ ରପ୍ତାନି ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର ପ୍ରାରମ୍ଭିକ ଅଭିଭାଷଣ ରଖିବା ସହ ଓଡ଼ିଶାରେ ଥିବା ରପ୍ତାନୀ ସମ୍ଭାବନା ଉପରେ ସାରଗର୍ଭକ ତଥ୍ୟ ଉପସ୍ଥାପନ କରିଥିଲେ। ଅଲ୍ଟ୍ରା ଲଜିଷ୍ଟିକ୍ସର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୟ ପ୍ରଧାନ, ସେଣ୍ଟର୍ ଫର୍ ଏନଭରମେଣ୍ଟ ଆଣ୍ଡ ଡେଭଲପମେଣ୍ଟର ବରିଷ୍ଠ ଉପଦେଷ୍ଟା ଡକ୍ଟର ମନୋଜ ଦାଶ, ରପ୍ତାନି ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟର ସହାୟକ ନିର୍ଦ୍ଦେଶକ ଶିଶିର ରଞ୍ଜନ ମିଶ୍ର କର୍ମଶାଳାରେ ଅଂଶଗ୍ରହଣ କରି ଓଡ଼ିଶା ଲଜିଷ୍ଟିକ୍ସ ନୀତି, ଓଡ଼ିଶା ପ୍ରକ୍ରୁରମେଣ୍ଟ ପ୍ରିଫରେନ୍ସ ପଲିସି, ଓଡ଼ିଶା ରପ୍ତାନି ନୀତି ଉପରେ ବିଷଦ ଭାବେ ଆଲୋଚନା କରିଥିଲେ। କର୍ମଶାଳା ଶେଷରେ ପ୍ରଶ୍ନୋତ୍ତର ଅଧିବେଶନ ଅନୁଷ୍ଠିତ ହୋଇଥିବା ବେଳେ ଯୁଗ୍ମ ନିର୍ଦ୍ଦେଶକ ପ୍ରଭାକର ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ, ରାମ୍ପ୍  ଯୋଜନା ଅଧୀନରେ ଏହି କର୍ମଶାଳା ଆୟୋଜନ ହୋଇଥିଲା। ରାମ୍ପ୍  ହେଉଛି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ପାଇଁ ବିଶ୍ୱବ୍ୟାଙ୍କ ସମର୍ଥିତ କେନ୍ଦ୍ର ସରକାରଙ୍କ ଦ୍ଵାରା କାର୍ଯ୍ୟକରି ହେଉଥିବା ଏକ ଯୋଜନା। ଏହି କର୍ମଶାଳା ଏମଏସଏମଇ ପରିବେଶକୁ ଅଧିକ ଶକ୍ତିଶାଳୀ କରିବା ସହ ସରକାରୀ ଅଧିକାରୀ ଓ ଉଦ୍ୟୋଗୀଙ୍କ ଜ୍ଞାନବୃଦ୍ଧି କରିବାରେ ଏକ ସଫଳ ମଞ୍ଚ ଭାବେ ପ୍ରମାଣିତ ହୋଇଥିଲା।

Leave a Reply

Your email address will not be published. Required fields are marked *