ରାଜ୍ୟରେ ଥିବା ୨୦୧ଟି ଗ୍ରୀଡ୍ ସମ୍ପର୍କିତ ସମସ୍ତ ଭୌଗଳିକ ଏବଂ ବୈଷୟିକ ତଥ୍ୟ ଓଡ଼ିଶା ଗ୍ରୀଡ୍ ଇନସାଇଟ୍ ପୋର୍ଟାଲରେ ଉପଲବ୍ଧ ରହିବ

ଭୁବନେଶ୍ୱର : ଲୋକସେବା ଭବନ ଠାରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ, ଶକ୍ତି ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, କନକ ବର୍ଦ୍ଧନ ସିଂହଦେଓ ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଡ଼ିଶା ଗ୍ରୀଡ୍ ଇନସାଇଟ୍ (ଓଗ୍ରୀ ପୋର୍ଟାଲ- ogri.optcl.co.in)ର ଶୁଭାରମ୍ଭ କରିଛନ୍ତି। ରାଜ୍ୟରେ ଥିବା ୨୦୧ଟି ଗ୍ରୀଡ୍ ସମ୍ପର୍କିତ ସମସ୍ତ ଭୌଗଳିକ ଏବଂ ବୈଷୟିକ ତଥ୍ୟ ଏହି ୱେବସାଇଟରେ ଉପଲବ୍ଧ ରହିବ। ଗ୍ରୀଡ୍ ର ଟ୍ରାନ୍ସଫରମେସନ କ୍ଷମତା, ବିଦ୍ୟୁତ୍ ଉପଲବ୍ଧତା, ବର୍ତ୍ତମାନ କେତେ ଲୋଡ ରହିଛି ଆଉ କେତେ ଅଧିକ ନେଇ ହେବ ଏପରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସହଜରେ ସମସ୍ତଙ୍କ ପାଖେ ଉପଲବ୍ଧ ହେବ। ଏହି ୱେବସାଇଟ ପୁଞ୍ଜି ନିବେଶକ ତଥା ଶିଳ୍ପାନୁଷ୍ଠାନମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଉପଲବ୍ଧତା ସମ୍ପର୍କରେ ପ୍ରମାଣିକ ସୂଚନା ପ୍ରଦାନ କରି ନିବେଶ ନିଷ୍ପତ୍ତି ନେବାରେ ବେଶ ସହାୟକ ହେବ।

ଗ୍ରୀଡ୍ ସବଷ୍ଟେସନରେ ଉପଲବ୍ଧତା ସମ୍ପର୍କରେ ଏପରି ସ୍ପଷ୍ଟତା ରଖିବାରେ ଓଡ଼ିଶା ରାଜସ୍ଥାନ ପରେ ଦ୍ୱିତୀୟ ରାଜ୍ୟ। ଏହି ୱେବସାଇଟ ସରକାରୀ ବିଭାଗ ଓ ନୀତିନିର୍ଦ୍ଧାରକମାନଙ୍କୁ କୌଶଳଗତ ନିଷ୍ପତ୍ତି ନେବାରେ ସହାୟତା କରିବା ସହିତ ରାଜ୍ୟର ବିଦ୍ୟୁତ୍ ସରବରାହ ବ୍ୟବସ୍ଥାର ସମନ୍ୱୟ ରକ୍ଷା କରିବା ପାଇଁ ଏକ ଭରସାଯୋଗ୍ୟ ଡିଜିଟାଲ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ। ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ ଶିଳ୍ପ ନୀତିର ମୂଳ ଆଧାର ଭାବେ ଥିବା ସ୍ୱଚ୍ଛତା ଏବଂ ବ୍ୟବସାୟ କରିବାର ସହଜ ମନ୍ତ୍ରକୁ ସ୍ପଷ୍ଟଭାବେ ପ୍ରତିଫଳିତ କରେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଥିଲେ। ଏହି ଅବସରରେ ଓପିଟିସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାସ୍କର ଜ୍ୟୋତି ଶର୍ମା ଏବଂ ଓପିଟିସିଏଲ୍‌ର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *