ରାଜ୍ୟସ୍ତରୀୟ କଳା ଉତ୍ସବ ୨୦୨୫

ଭୁବନେଶ୍ୱର: ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୫ ବୁଧବାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୬, ଭୁବନେଶ୍ୱର ପରିସରରେ ଉଦଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା, ଅନନ୍ୟା ଦାସ‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶାର ବିଭିନ୍ନ ଜୋନରୁ ଆସିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ କଳା କ୍ଷେତ୍ରରେ ଓଡ଼ିଶାର ଅବଦାନ ସବୁବେଳେ ଅନନ୍ୟ ବୋଲି ମତବ୍ୟକ୍ତ କରିଛନ୍ତି। ଛାତ୍ରଛାତ୍ରୀମାନେ ଭିତରେ ଲୁଚିରହିଥିବା ଅନ୍ତର୍ନିହିତ ଗୁଣାବଳୀର ପ୍ରକାଶ ପାଇଁ ଏହି କାର୍ଯ୍ୟକ୍ରମ ଏକ ପ୍ରକୃଷ୍ଠ ମାଧ୍ୟମ ବୋଲି ସେ ପରିପ୍ରକାଶ କରିଛନ୍ତି। ଏଥିସହ ଛାତ୍ରଛାତ୍ରୀମାନଙ୍କର ଉତ୍ତମ ପ୍ରଦର୍ଶନ ସେମାନଙ୍କୁ କେନ୍ଦ୍ରସ୍ତରରେ ସଫଳତା ପ୍ରଦାନ କରିବବୋଲି ଆଶାବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଚଳଚିତ୍ର ଅଭିନେତ୍ରୀ ମେଘନା ମିଶ୍ର ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇ କଳାର ମହତ୍ତ୍ୱ ସମ୍ବନ୍ଧରେ ପିଲାମାନଙ୍କୁ ଅବଗତ କରାଇଥିଲେ। ପିଲାମାନେ ଉପଯୁକ୍ତ ଚିନ୍ତା, ଚେତନା, ଅନୁଭବ କରିବା ଓ ତାହାକୁ କାର୍ଯ୍ୟରେ ରୂପାନ୍ତରିତ କରିବା ପାଇଁ ପ୍ରେରଣା ଦେଇଥିଲେ।  

ଏହି ଅବସରରେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ (ସାଧାରଣ) ସଙ୍ଗୀତା ବେହେରା  ସମସ୍ତ ଅତିଥିମାନଙ୍କୁ ସ୍ୱାଗତ ଅଭିଭାଷଣର ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତାବାଳା ଦାସ ପିଲାମାନଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ।  ଓସେପାର ଯୁଗ୍ମ ନିର୍ଦ୍ଦେଶକ ଡ. ସନ୍ତୋଷ କୁମାର ରାଉତ ଅତିଥିବୃନ୍ଦ ଓ କର୍ମକର୍ତ୍ତା ମାନଙ୍କୁ ସେମାନଙ୍କର ବହୁମୂଲ୍ୟ ସମୟ ପ୍ରଦାନ କରି ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ।  ଏଠାରେ ପ୍ରକାଶ ଥାଉକି, ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୫ ରେ ରାଜ୍ୟର ୬ଟି  ଜୋନରୁ ୧୪୦ଜଣ ପିଲା ଉକ୍ତ ଉତ୍ସବରେ ଯୋଗଦେଇଛନ୍ତି।

Leave a Reply

Your email address will not be published. Required fields are marked *