ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ଓଡ଼ିଆ ଜାତିର ଜମିଦାରl ସୁତରାଂ ତାଙ୍କର ସମସ୍ତ ଜମିଜମାର ସୁରକ୍ଷା ଆମ ସଭିଙ୍କର ନୈତିକ ଦାୟିତ୍ବ ବୋଲି କହିଛନ୍ତି ରାଜସ୍ୱ ସଚିବ ଡ଼ ଅରବିନ୍ଦ ପାଢ l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମା ସମ୍ବନ୍ଧୀୟ ସୁରକ୍ଷା ନିଶ୍ଚିତ କରିବା ଉଦ୍ଦେଶ୍ଯରେ ଲୋକସେବା ଭବନରେ ରାଜସ୍ୱ ବିଭାଗ ସମ୍ମିଳନୀ କକ୍ଷରେ ରାଜସ୍ୱ ସଚିବଙ୍କ ଅଧକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛିl ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମାର ସୁରକ୍ଷା ଏବଂ ପୁନରୁଦ୍ଧାର ସମ୍ବନ୍ଧରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ସମସ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ପଦକ୍ଷେପ ନେବାକୁ ବୈଠକରେ ରାଜସ୍ୱ ସଚିବ ନିର୍ଦ୍ଦେଶ ଦେଇଛନ୍ତି l

ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ୍ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ଥିବା ସମସ୍ତ ଭୂ-ସମ୍ପତ୍ତିର ଖତିୟାନ୍ ସଂଶୋଧନ ସହ ବିଭିନ୍ନ ଅପେକ୍ଷିତ ମାମଲାର ତୁରନ୍ତ ସମାଧାନ କରିବାକୁ ଡ. ପାଢୀ ଗୁରୁତ୍ବ ଦେଇଛନ୍ତିl ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ତହସିଲ୍ ତଥା ଜାତୀୟ ଏବଂ ରାଜ୍ୟ ରାଜପଥ ନିକଟରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧୀନରେ ଥିବା ଜମିଜମାକୁ ଅବୈଧ ଦଖଲରୁ ମୁକ୍ତ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛିl ପ୍ରତ୍ୟେକ ମାସର ପ୍ରଥମ ବୁଧବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବାକୁ ବୈଠକରେ ନିଷ୍ପତ୍ତି ହୋଇଛିl ଏଥିସହିତ ମହାପ୍ରଭୁଙ୍କ ଜମିଜମା ସୁରକ୍ଷା ତଥା ପରିଚାଳନାକୁ ସୁଦୃଢ଼ କରିବା ନିମନ୍ତେ ରାଜସ୍ୱ ବିଭାଗରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଜମି ଉପବିଭାଗ ବା ଲ୍ୟାଣ୍ଡ୍ ସେଲ୍ ଅବସ୍ଥାପିତ କରାଯିବା ନିମନ୍ତେ ରାଜସ୍ୱ ସଚିବ ନିର୍ଦ୍ଦେଶ ଦେଇଛନ୍ତିl ଏହି ପରିପ୍ରେକ୍ଷୀରେ ଆଗକୁ ମଧ୍ୟ ବିଭିନ୍ନ ସମୟରେ ରାଜସ୍ୱ ସଚିବଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାଜ୍ଯସ୍ତରୀୟ ବୈଠକ ସହିତ ଅନ୍ଯ ଜିଲ୍ଲାରେ ସମୀକ୍ଷା ବୈଠକ କରାଯିବ ବୋଲି ଡ. ପାଢୀ ଗୁରୁତ୍ବ ଦେଇଛନ୍ତିl ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଦେବବ୍ରତ ସାହୁ, ରାଜସ୍ୱ ବିଭାଗର ଭୂସଂସ୍କାର ଶାଖାର ବରିଷ୍ଠ ଅଧିକାରୀବୃନ୍ଦ, ଖୋର୍ଦ୍ଧା ଜିଲ୍ଲାର ଉପଜିଲ୍ଲାପାଳ ଏବଂ ତହସିଲଦାରଗଣ ଉପସ୍ଥିତ ଥିଲେl

Leave a Reply

Your email address will not be published. Required fields are marked *