ସଘନ ସଚେତନତା ଓ ତୃଣମୂଳ ସ୍ତରରେ ଆବଶ୍ୟକୀୟ ଔଷଧ ମହଜୁଦ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଚଳିତ ବର୍ଷ ବର୍ଷାଋତୁକାଳୀନ ରୋଗ ପ୍ରତିରୋଧ ଓ ନିୟନ୍ତ୍ରଣ ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପ୍ରାକ-ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହି ପରିପ୍ରେକ୍ଷୀରେ ବିଭାଗୀୟ ସମ୍ମିଳନୀ କକ୍ଷଠାରେ କମିଶନର-ତଥା-ଶାସନ ସଚିବ ଅଶ୍ୱତୀ ଏସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗ ଅଧିନସ୍ଥ ବିଭିନ୍ନ ନିର୍ଦ୍ଦେଶାଳୟ ଦ୍ଵାରା ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ବିଭିନ୍ନ ପ୍ରସ୍ତୁତିର ସେ ସମୀକ୍ଷା କରି ତୃଣମୂଳ ସ୍ତରରେ ସଚେତନତା କାର୍ଯ୍ୟକ୍ରମକୁ ସଘନ କରିବା ସହ ଆଶାକର୍ମୀ ଓ ଉପକେନ୍ଦ୍ର ଠାରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପଖଣ୍ଡ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ରଖିବା ପାଇଁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳସ୍ତରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଲୋକ ପ୍ରତିନିଧି, ବହୁମୁଖି ସ୍ଵାସ୍ଥ୍ୟକର୍ମୀ, ଆଶାକର୍ମୀ ଏବଂ ସ୍ଵେଚ୍ଛାସେବୀମାନଙ୍କୁ ସାମିଲ କରି ଜନସାଧାରଣଙ୍କୁ ପ୍ରତିରୋଧକ ଏବଂ ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ସଠିକ୍ ସୂଚନା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଦୀର୍ଘସ୍ଥାୟୀ ଔଷଧଯୁକ୍ତ ମଶାରୀର ଶତପ୍ରତିଶତ ବଣ୍ଟନ ଏବଂ ବାସ୍ତବ କ୍ଷେତ୍ରରେ ସେଗୁଡ଼ିକର ବ୍ୟବହାର ଉପରେ ବିଶେଷ ଗୁରୁତ୍ଵ ଦେଇ ଆଶାକର୍ମୀ ଏବଂ ବହୁମୁଖି ସ୍ଵାସ୍ଥ୍ୟକର୍ମୀମାନଙ୍କ ମାଧ୍ୟମରେ ଏହାକୁ ସୁନିଶ୍ଚିତ ନିମନ୍ତେ ସ୍ୱାସ୍ଥ୍ୟ ସଚିବ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ସମ୍ବେଦନଶୀଳ ଜିଲ୍ଲାମାନଙ୍କୁ ଗସ୍ତ କରି ସେଠାରେ ଔଷଧ ଯୁକ୍ତ ମଶାରୀ ବଣ୍ଟନ, ସଚେତନତା ଅଭିଯାନ, ବିଭିନ୍ନ ସ୍ତରରେ ଆବଶ୍ୟକୀୟ ଔଷଧ ମହଜୁଦ, ମ୍ୟାଲେରିଆ ଡେଙ୍ଗୁ ଆଦି ଜ୍ଵରର ନିରୂପଣ ନିମନ୍ତେ ଟେଷ୍ଟିଂ-କିଟ୍ ର ଉପଲବ୍ଧି, ସକ୍ରିୟ କ୍ଷେତ୍ର ନିରୀକ୍ଷଣ, ନିୟମିତ ଯାଞ୍ଚ ଓ ନମୁନା ପରୀକ୍ଷଣ ଆଦି ସୁନିଶ୍ଚିତ କରାଇବା ନିମନ୍ତେ ଶାସନ ସଚିବ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବରିଷ୍ଠ ଅଧିକାରୀମାନଙ୍କ କ୍ଷେତ୍ର ପରିଦର୍ଶନ ଓ ପରିଚାଳନା ନିମନ୍ତେ ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ଓ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ପାଇଁ ସ୍ଵତନ୍ତ୍ର ଶାସନ ସଚିବ ତଥା ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବୈଠକର ଆଲୋଚନାରୁ ଜଣାପଡିଥିଲା ଯେ, ବିଗତ ବର୍ଷମାନଙ୍କରେ ଅଧିକ ସଂଖ୍ୟକ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ୭ଟି ଜିଲ୍ଲାର ସମ୍ବେଦନଶୀଳ ସାମାଜିକ ବର୍ଗମାନଙ୍କ ମଧ୍ୟରେ ଶତ ପ୍ରତିଶତ ବଣ୍ଟନ ପାଇଁ ୪୦.୪୯ ଲକ୍ଷରୁ ଉର୍ଦ୍ଧ୍ଵ ଔଷଧଯୁକ୍ତ ମଶାରୀ ଯୋଗାଇ ଦିଆଯାଇଛି । ତେଣୁ ଏହି ଜିଲ୍ଲାମାନଙ୍କରେ ପ୍ରତିରୋଧକ, ନିରୀକ୍ଷଣ ଓ ପ୍ରତିଷେଧକ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବା ପାଇଁ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି, ଗତ ବର୍ଷ ଡେଙ୍ଗୁ ମାମଲା ଅଧିକ ଥିବା ଜିଲ୍ଲାରେ ବିଶେଷ ଧ୍ୟାନ କେନ୍ଦ୍ରୀଭୂତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଲକ୍ଷ୍ୟଭେଦୀ ଅଭିଯାନର ସବୁ କାର୍ଯ୍ୟକ୍ରମ ଜାତୀୟ ସ୍ଵାସ୍ଥ୍ୟ ମିଶନ (ଓଡିଶା) ନିର୍ଦ୍ଦେଶକ ଡା. ବୃନ୍ଦା. ଡି ଙ୍କ ତତ୍ତ୍ୱାବଧାନରେ ପରିଚାଳନା ପାଇଁ ନିଷ୍ପତ୍ତି ହୋଇଥିଲା। ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ କୁମାର ମହାପାତ୍ର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ, ଜାତୀୟ ସ୍ଵାସ୍ଥ୍ୟ ମିଶନ, ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ବୃନ୍ଦ, ବିଶେଷଜ୍ଞ ଓ ପରାମର୍ଶଦାତାମାନେ ବୈଠକର ଆଲୋଚନାର ଅଂଶଗ୍ରହଣ କରିଥିଲେ। ବୈଠକଟି ଉଭୟ ଅନ୍-ଲାଇନ୍ ଏବଂ ଅଫ୍-ଲାଇନ୍ ମୋଡରେ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *