ସମସ୍ତ କୃଷି ଋଣ ସମବାୟ ସମିତି କାର୍ଯ୍ୟପ୍ରଣାଳୀରେ ସ୍ୱଚ୍ଛତା ବଢ଼ାଇବା ଏବଂ ସଦସ୍ୟ ସହଭାଗୀତା ସୁଦୃଢ଼ କରିବା ପାଇଁ ରାଜ୍ୟ ସମବାୟ ନିବନ୍ଧକଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ନିର୍ଦ୍ଦେଶାନୁସାରେ, ଓଡିଶା ସରକାରଙ୍କ ସମବାୟ ବିଭାଗ ରାଜ୍ୟର ସମସ୍ତ କୃଷି ଋଣ ସମବାୟ ସମିତି (PACS ଏବଂ LAMPCS) ମାନଙ୍କର କାର୍ଯ୍ୟପ୍ରଣାଳୀରେ ସ୍ୱଚ୍ଛତା ବଢ଼ାଇବା ଏବଂ ସଦସ୍ୟ ସହଭାଗୀତା ସୁଦୃଢ଼ କରିବା ପାଇଁ ରାଜ୍ୟ ସମବାୟ ନିବନ୍ଧକଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବାକୁ କହିଛନ୍ତି।

ଏହା ଅନୁଯାୟୀ, ରାଜ୍ୟ ସମବାୟ ନିବନ୍ଧକ  (RCS) ସମସ୍ତ ସମବାୟ ସମିତିକୁ ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ଦ୍ଦେଶମୁତାବକ ପରିଚାଳନା ପରିଷଦ (Board of Directors)ର ସମସ୍ତ ସଦସ୍ୟଙ୍କ ନାମ ସମିତି କାର୍ଯ୍ୟାଳୟ ପ୍ରାଙ୍ଗଣରେ ସ୍ପଷ୍ଟ ଏବଂ ସୁଦୃଶ୍ୟମାନ ସ୍ଥାନରେ ପ୍ରଦର୍ଶନ କରାଯିବ। ଏହା ସହିତ, ଚଳିତ ଆର୍ଥିକ ବର୍ଷ ପାଇଁ ବାର୍ଷିକ ସାଧାରଣ ସଭା (AGB) ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ବ୍ୟାପକ ପ୍ରଚାର-ପ୍ରସାର ସହିତ ଏବଂ ପର୍ଯ୍ୟାପ୍ତ ସଦସ୍ୟ ଅଂଶଗ୍ରହଣ ସୁନିଶ୍ଚିତ କରି ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇନଗତ ବ୍ୟବସ୍ଥା ଅନୁଯାୟୀ ପ୍ରତି ବର୍ଷ ଅନ୍ୟୁନ ୨୦୦ ଜଣ ସଦସ୍ୟଙ୍କ ଅଂଶଗ୍ରହଣ ସହିତ ନିୟମିତ ଭାବେ AGB ଆୟୋଜନ କରିବାକୁ ସମସ୍ତ ସମବାୟ ସମିତିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ଏତଦ ବ୍ୟତୀତ, ଏକ କୋଟି ଟଙ୍କାରୁ ଅଧିକ ନେଟ୍ ଲାଭ କରୁଥିବା ସମସ୍ତ ସମବାୟ ସମିତିକୁ ସମବାୟ ଆଇନ ଏବଂ ସମିତିର ଉପବିଧି ଅନୁସାରେ ସଦସ୍ୟମାନଙ୍କୁ ଲାଭାଂଶ (ଡିଭିଡେଣ୍ଡ) ବଣ୍ଟନ କରିବାକୁ ମଧ୍ୟ ଦୃଢ ନିର୍ଦ୍ଦେଶ  ଦିଆଯାଇଛି। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ନିର୍ଦ୍ଦେଶ ଅନୁପାଳନକୁ ନିରୀକ୍ଷଣ ଏବଂ ସୁନିଶ୍ଚିତ କରିବା ପାଇଁ ସମବାୟ ନିବନ୍ଧକ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ଦାୟିତ୍ୱ ଦେଇଛନ୍ତି।

Leave a Reply

Your email address will not be published. Required fields are marked *