ଭୁବନେଶ୍ୱର: ଜୁଲାଇ ୧ରୁ ୩ ତାରିଖପର୍ଯ୍ୟନ୍ତ ଚେନ୍ନାଇ ବ୍ୟବସାୟିକ କେନ୍ଦ୍ର (ଟ୍ରେଡ୍ ସେଣ୍ଟର)ରେ ଅନୁଷ୍ଠିତ ହୋଇଥିବା “ସିଫୁଡ୍ ଏକ୍ସପୋ ଭାରତ-୨୦୨୫ (ଏସଇବି-୨୫)” ରେ ଓଡ଼ିଶାରୁ ଅଂଶ ଗ୍ରହଣ କରିଥିବା ଇସିଆରଆଇସିସି (ଏକ୍ରିକ୍) ପ୍ରକଳ୍ପ ସରକାରୀ କ୍ଷେତ୍ର ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ଜଳବାୟୁ ସହନଶୀଳତା ବୃଦ୍ଧି ପରିପ୍ରେକ୍ଷୀରେ ଓଡ଼ିଶାରେ କାର୍ଯ୍ୟକାରୀ ଭାରତର କୋଷ୍ଟାଲ୍ କମ୍ୟୁନିଟିମାନଙ୍କର ଇସିଆରଆଇସିସି (ଏକ୍ରିକ୍) ପ୍ରକଳ୍ପ ଏହି ସମ୍ମାନ ଜନକ ପୁରସ୍କାର ଲାଭ କରିଛି। ଏହି ସ୍ୱୀକୃତି ଏକ୍ରିକ୍, ଓଡିଶାର ଜଳବାୟୁ ସହନଶୀଳ ଜଳଚାଷ ଏବଂ ସମାବେଶୀ ଗୋଷ୍ଠୀଭିତ୍ତିକ ବିକାଶ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରୟାସକୁ ପ୍ରତିଫଳିତ କରିଛି। ଏଥିରେ ଓଡ଼ିଶାରେ ଜଳବାୟୁ ସହନଶୀଳ କଙ୍କଡ଼ା ଚାଷ ସଂପର୍କରେ ଆକର୍ଷଣୀୟ ଉପସ୍ଥାପନ କରାଯାଇଥିଲା। “ଆମ ଭଳି ଶେଷ ସ୍ତରରେ କାର୍ଯ୍ୟକରୁଥିବା ଲୋକଙ୍କୁ ଓଡ଼ିଶାକୁ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିବା, ଏହା ଅଦ୍ୱିତୀୟ ସୁଯୋଗ ଥିଲା” ବୋଲି ଜଣେ ମହିଳା ପରିବେଶ ଚମ୍ପିଅନ୍ ଦୃଢତାର ସହ ତାଙ୍କର ଏଠିକୁ ଯାତ୍ରା ସଂପର୍କରେ ମଂଚରେ ନିଜର ଅନୁଭୂତି ପ୍ରକାଶ କରିଥିଲେ, ଯାହା ଅନ୍ୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ହୋଇଥିଲା।
ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଅଧୀନରେ ସାମୁଦ୍ରିକ ଉତ୍ପାଦ ଉନ୍ନୟନ କର୍ତ୍ତୃପକ୍ଷ(ଏମପିଇଡିଏ) ଦ୍ୱାରା ଆୟୋଜିତ ଏହି ଏକ୍ସପୋ, ଭାରତର ମାଛ ସହ ଓ ଜଳଚାଷ(ଆକ୍ୱାକଲ୍ଚର) ମୂଲ୍ୟ ଶୃଙ୍ଖଳା (ଭାଲ୍ୟୁ ଚେନ୍) କ୍ଷେତ୍ର ପାଇଁ ସମସ୍ତ ଅଂଶୀଦାରମାନଙ୍କ ନିମନ୍ତେ ବୃହତ୍ ସୁଯୋଗ ସୃଷ୍ଟି କରିଥିଲା। ଏହି ଏକ୍ରିକ୍ ପ୍ରକଳ୍ପ ଜାତୀୟ ସ୍ତରରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଗ୍ରୀନ କ୍ଲାଇମେଟ୍ ଫଣ୍ଡ (ଜିସିଏଫ) ଏବଂ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ( ଯୁଏନଡିପି) ସହଯୋଗରେ ଏବଂ ଓଡ଼ିଶାରେ ଏହା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଇଛି।
ଏହି ପ୍ରକଳ୍ପ ସାମୁଦ୍ରିକ ଉପକୂଳବର୍ତ୍ତୀ ଗୋଷ୍ଠୀ ସମୁଦାୟମାନଙ୍କରେ ସ୍ଥାୟୀ ପରିସଂସ୍ଥା ଭିତ୍ତିକ ଏବଂ ଜଳବାୟୁ ସହନଶୀଳ ଜୀବନ ଜୀବିକାକୁ ପ୍ରୋତ୍ସାହିତ କରୁଛି। ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଥିବା କେତେକ ପ୍ରମୁଖ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା। ଓଡ଼ିଶା ଏହାର ସଶକ୍ତ ସ୍ଥାନୀୟ ସଂସ୍ଥାଓ ଜଳବାୟୁ ଚମ୍ପିୟନଙ୍କ ସମର୍ଥନରେ ବୈଜ୍ଞାନିକ ପଦ୍ଧତିରେ ସ୍ୱତନ୍ତ୍ର ଭାବେ କଙ୍କଡ଼ା ଚାଷ (ମଡ୍ କ୍ରାବ୍ ଫାର୍ମିଂ, ସୁନ୍ଦର ରଙ୍ଗୀନ ମାଛ ଚାଷ ଏବଂ ସ୍ଥାୟୀ ଜଳଚାଷ ଅଭ୍ୟାସ ପୂର୍ବକ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି। ଏହି ପରିଯୋଜନା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଏବଂ ୨୦୩୬ ମସିହା ସୁଦ୍ଧା‘ବିକଶିତ ଓଡିଶା’ ପାଇଁ ରାଜ୍ୟର ପ୍ରତିବଦ୍ଧତା ସହ ପ୍ରଧାନମନ୍ତ୍ରୀଙ୍କ ୨୦୪୭ ମସିହା ସୁଦ୍ଧା ‘ବିକଶିତ ଭାରତ’ ଆଭିମୁଖ୍ୟରେ ଉଲ୍ଲେଖନୀୟ ଯୋଗଦାନ ଏବଂ ଉଦ୍ୟମ ବୃଦ୍ଧି କରିବ।
ଆୟୋଜିତ ପ୍ରଦର୍ଶନୀରେ ଏକ୍ରିକ୍, ଓଡିଶା ନିର୍ଦ୍ଦିଷ୍ଟ ଷ୍ଟଲରେ ଏହାର ସାମୁଦ୍ରିକ ଖାଦ୍ୟ ବ୍ୟବସାୟ, ଚିଙ୍ଗୁଡ଼ି ଚାଷ, ଏହାର ଉତ୍ପାଦନ କୌଶଳ, ମୂଲ୍ୟଯୁକ୍ତ ଉତ୍ପାଦ ଓ ଅନ୍ୟାନ୍ୟ ବୈଷୟିକ ଅଧିବେଶନକୁ ଗୁରୁତ୍ୱ ଦେଇ ସକ୍ରିୟ ଭାବେ ଅଂଶଗ୍ରହଣ ପୂର୍ବକ ଏହାର ସଫଳତାକୁ ପ୍ରଦର୍ଶିତ କରିଥିଲା। ପୋଖରୀ-ଭିତ୍ତିକ ମଡ୍ କ୍ରାବ୍ ଆକ୍ୱାକଲଚର ର ଲାଇଭ୍ ଉପସ୍ଥାପନ,ଏହି ଷ୍ଟଲର ଏକ ପ୍ରମୁଖ ଆକର୍ଷଣ ଥିଲା, ଯାହା ପ୍ରଦର୍ଶନୀ ପରିଦର୍ଶନ କରୁଥିବା ପ୍ରତିନିଧିମାନଙ୍କୁ ଆକୃଷ୍ଟ କରିଥିଲା। ଏହି ଉପସ୍ଥାପନ, ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ନବସୃଜନକୁ ସମନ୍ୱିତ କରି ପର୍ଯ୍ୟାୟ କ୍ରମିକ ବୈଜ୍ଞାନିକ ପ୍ରଣାଳୀରେ କଙ୍କଡ଼ା ଚାଷ, ସ୍ଥାୟୀ ଅଭ୍ୟାସ ଭଳି ମୂଲ୍ୟବାନ ଦୃଷ୍ଟିକୋଣ ରଖୁଛି। ଏହି ମଲ୍ଟିମିଡିଆ ପ୍ରଦର୍ଶନୀରେ ରୂପାନ୍ତରଣର ସଫଳ କାହାଣୀ-ବିଶେଷକରି ମହିଳା ଓ ଅପେକ୍ଷାକୃତ ସମାଜରେ ବିଶେଷ ଗୁରୁତ୍ୱ ଦିଆଯାଉନଥିବା ମାର୍ଜିନାଲାଇଜ୍ଡ ଗ୍ରୁପ୍, ସମାବେଶୀ ପ୍ରକଳ୍ପ ଏବଂ ଜନକୈନ୍ଦ୍ରିକ ଆଭିମୁଖ୍ୟ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଓଡିଶାରୁ ରାଜ୍ୟ ଏବଂ ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ ରୁ ଅଧିକାରୀ, ଜଳବାୟୁ ଚମ୍ପିଅନ୍, କଙ୍କଡ଼ା ଚାଷୀ ହିତାଧିକାରୀଙ୍କ ସମେତ ୧୪ ଜଣିଆ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କର ଅଂଶଗ୍ରହଣ ପାରସ୍ପରିକ ଜ୍ଞାନ ଆହରଣ ଓ ଭାଗିଦାରିତା ବୃଦ୍ଧି ସକ୍ଷମ କରିବା ସହ ଗୋଷ୍ଠିଭିତ୍ତିକ ଜଳଚାଷ କରିବାରେ ନୂତନ ଅନ୍ୱେଷଣର ମାର୍ଗ ପ୍ରଶସ୍ତ କରିଛି । ଏକ୍ରିକ୍, ଓଡ଼ିଶା ଷ୍ଟଲକୁ କୋଷ୍ଟାଲ୍ ଆକ୍ୱାକଲ୍ଚର୍ ଅଥରିଟି (ସିଏଏ)ର ସଚିବ, ସ୍ପେନ୍ ଦୂତାବାସ (ନୂଆଦିଲ୍ଲୀ)ର କୃଷି, ମତ୍ସ୍ୟ ପାଳନ ଏବଂ ଖାଦ୍ୟ ପରାମର୍ଶଦାତା ଏବଂ ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦ (ଏନଏଫଡିବି), ହାଇଦ୍ରାବାଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପରିଦର୍ଶନ କରିଥିଲେ। ସେମାନଙ୍କର ଏହି କାର୍ଯ୍ୟକ୍ରମରେ ଯୋଗଦାନ, ଜଳବାୟୁ ସହନଶୀଳ ଜଳଚାଷ କ୍ଷେତ୍ରରେ ଓଡ଼ିଶାର ପ୍ରଗତିକୁ ପ୍ରଦର୍ଶିତ କରିବାରେ ଏବଂ ଏ କ୍ଷେତ୍ରରେ ବ୍ୟାପକ ସହଯୋଗ ପାଇଁ ସୁଯୋଗ ପ୍ରଦାନ କରିଛି ।
୩୦୦୦ରୁ ଅଧିକ ଜାତୀୟ ଏବଂ ଅନ୍ତର୍ଜାତିକ ପ୍ରତିନିଧି ଯୋଗଦାନ କରିଥିବା ଏହି ପ୍ରଦର୍ଶନୀରେ, ଏକ୍ରିକ୍, ଓଡିଶାର ପୁରସ୍କାର ଲାଭ, ପ୍ରକଳ୍ପର ଉଲ୍ଲେଖନୀୟ ଉପସ୍ଥାପନକୁ ପ୍ରତିଫଳିତ କରିଛି ଏବଂ ସାମୁଦ୍ରିକ ବେଳାଭୂମି ପରିସଂସ୍ଥାର ପୁନରୁଦ୍ଧାର କ୍ଷେତ୍ରରେ ବୈଷୟିକ ସହାୟତା,ନୀତି ନିର୍ଦ୍ଧାରଣ ଏବଂ ନିବେଶ ପାଇଁ ଆକର୍ଷଣୀୟ ସମ୍ଭାବନାର ପଥ ଉନ୍ମୁକ୍ତ କରିଛି ।