ଭୁବନେଶ୍ୱର : ରାଜ୍ୟସ୍ତରୀୟ ବାଦ୍ୟ ପ୍ରତିଯୋଗିତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୬, ଭୁବନେଶ୍ୱର ପରିସରରେ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ନିୟତି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ବାଦ୍ୟ ପ୍ରତିଯୋଗିତାର ଉଦ୍ଦେଶ୍ୟ ତଥା ଆବଶ୍ୟକତା ସର୍ମ୍ପକରେ ଅବଗତ କରିଛନ୍ତି। ଓଡ଼ିଶାର ବିଭିନ୍ନ ଜୋନରୁ ଆସିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ବାଦ୍ୟ କ୍ଷେତ୍ରରେ ସେମାନଙ୍କର ପାରଙ୍ଗମତାକୁ ପ୍ରଶଂସା କରିଛନ୍ତି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ବୀରେନ୍ଦ୍ର କର୍କରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବାଦ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଦଳଗୁଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି।
ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତାବାଳା ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଓସେପାର ଯୁଗ୍ମ ନିର୍ଦ୍ଦେଶକ ହିମାଂଶୁ ଭୂଷଣ ସାମର୍ଥ ଅତିଥିବୃନ୍ଦ ଓ କର୍ମକର୍ତ୍ତାମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିସହ ଅପରାହ୍ନରେ ଆୟୋଜିତ ଉଦଯାପନୀ ଉତ୍ସବରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦ୍ଦେଶକ ସ୍ମିତା ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ରାଜ୍ୟସ୍ତରୀୟ ବାଦ୍ୟ ପ୍ରତିଯୋଗିତାରେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇବା ସହିତ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ପିଲାମାନେ ପରବର୍ତ୍ତୀ ସମୟରେ ଅଭ୍ୟାସ ଜାରିରଖି ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମଧ୍ୟ ଆହ୍ୱାନ କରିଛନ୍ତି। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପିଏମ-ପୋଷଣର ରାଜ୍ୟ ନୋଡାଲ୍ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ପରିଶେଷରେ ଓସେପାର ଯୁଗ୍ମ ନିର୍ଦ୍ଦେଶକ ଡ. ସନ୍ତୋଷ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
ଏଠାରେ ପ୍ରକାଶ ଥାଉକି, ରାଜ୍ୟସ୍ତରୀୟ ବାଦ୍ୟ ପ୍ରତିଯୋଗିତା -୨୦୨୫ ରେ ରାଜ୍ୟର ୬ଟି ଜୋନରୁ ୩୩୨ଜଣ ଛାତ୍ରଛାତ୍ରୀ ଓ ୨୪ ଜଣ ସହଯୋଗୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉକ୍ତ ଉତ୍ସବରେ ଯୋଗଦେଇଛନ୍ତି। ଏଥିସହ ରାଜ୍ୟସ୍ତରୀୟ କଳା ଉତ୍ସବ ୨୦୨୫ ମଧ୍ୟ ଉଦଯାପିତ ହୋଇସାରିଛି। ଏହି ଉଭୟ କାର୍ଯ୍ୟକ୍ରମ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୬, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା। ସଂପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ଓସେପାର ଯୁଗ୍ମ ନିର୍ଦ୍ଦେଶକ ଡ. ସନ୍ତୋଷ କୁମାର ରାଉତ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମଟିକୁ ପରିଚାଳନା କରିବାରେ ଓସେପାର ଯୁଗ୍ମ ନିର୍ଦ୍ଦେଶକ ପ୍ରାଚୀ ତନୟା ଗିରି, ଉପ- ନିର୍ଦ୍ଦେଶକ ପ୍ରଦୋଷ କୁମାର ନାୟକ ଓ ତନ୍ମୟ କୁମାର ବେହେରା , ପ୍ରଶିକ୍ଷଣ ସହାୟିକା ଜୟା ବାନାର୍ଜୀ ଓ ଶିକ୍ଷକ ମୂରଲୀଧର ପରିଡ଼ା ସହାୟତା କରିଥିଲେ।
