ଭୁବନେଶ୍ୱର: ରାଜ୍ୟସ୍ତରୀୟ ଚାରାରୋପଣ ଅଭିଯାନ ‘ଏକ ପେଡ଼ ମା କେ ନାମ ୨.୦’ରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ୩୫ ଲକ୍ଷରୁ ଊଦ୍ଧ୍ୱର୍ ଚାରା ରୋପଣ କରାଯାଇଛି। ରାଜ୍ୟସ୍ତରୀୟ ଚାରାରୋପଣ ଲକ୍ଷ୍ୟ ପୂରଣରେ ଏହା ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନକୁ ସ୍ମରଣୀୟ କରିବା ସହ ପ୍ରକୃତିର ସଂରକ୍ଷଣ ଦିଗରେ ଏହି ଅଭିଯାନ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ବିଭାଗର ଏପରି ପ୍ରୟାସକୁ ସ୍ୱାଗତ କରିବା ସହ ସହଯୋଗ ନିମନ୍ତେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଭାଗର ଏହି ସଫଳତାକୁ ଗୋଷ୍ଠୀ-ନେତୃତ୍ୱାଧୀନ ପରିବେଶ ଅଭିଯାନରେ ଐତିହାସିକ ମାଇଲଖୁଣ୍ଟ ଭାବେ ସ୍ୱୀକୃତି ମିଳିଛି।
ବିଭାଗ ପକ୍ଷରୁ ପ୍ରତି ଗ୍ରାମପଞ୍ଚାୟତରେ ୫୦୦ଟି ଚାରା ରୋପଣ କରାଯାଇଛି। ଗ୍ରାମପଞ୍ଚାୟତ ସ୍ତରରେ ଜନସାଧାରଣ, ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ପ୍ରତିନିଧି, ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସକି୍ରୟ ଅଂଶଗ୍ରହଣ କରିଥିଲେ। ମିଶନ୍ ଶକ୍ତିର ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ଯୁବ ବର୍ଗ, ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଅଭିଯାନରେ ଉତ୍ସାହର ସହ ଯୋଗ ଦେଇ ଏହାକୁ ଏକ ଜନଆନ୍ଦୋଳନରେ ପରିଣତ କରିଛନ୍ତି। ବିଭାଗର କ୍ଷେତ୍ରୀୟ କାର୍ଯ୍ୟାଳୟ, ବାଡ଼ଥିବା ଅଙ୍ଗନବାଡ଼ି କେନ୍ଦ୍ର, ସରକାରୀ ହଷ୍ଟେଲ ଆଦି ବିଭିନ୍ନ ଜାଗାରେ ଏହି ଚାରାରୋପଣ କରାଯାଇଛି।
ଏହି ଚାରାରୋପଣକୁ ସଫଳ କରିବା ପାଇଁ ବିଭାଗ ପକ୍ଷରୁ ଏକ ଯୋଜନାବଦ୍ଧ ରଣନୀତି ଗ୍ରହଣ କରାଯାଇଥିଲା। ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି କେଉଁ ଅଞ୍ଚଳ ପାଇଁ କେଉଁ ଚାରା ଅନୁକୂଳ ରହିବ ତାହା ଚୟନ କରାଯାଇଥିଲା। ଫଳଦାୟକ, ଛାୟାଦାୟକ ଓ ପରିବେଶ ଉପଯୋଗୀ ପ୍ରଜାତିଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହି ଚାରାଗୁଡ଼ିକୁ ପ୍ରଥମ କିଛି ମାସ ପର୍ଯ୍ୟନ୍ତ ଚାରାକୁ ପାଣିଦେବା, ସୁରକ୍ଷା ଦେବା ଓ ଲାଳନପାଳନ କରିବା ପାଇଁ ପଞ୍ଚାୟତକର୍ମୀ ଓ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଇଛି।
ଏହି ଚାରାଗୁଡ଼ିକୁ ବଞ୍ଚାଇ ରଖିବା ଏବଂ ଏହାର ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ଦୀର୍ଘସ୍ଥାୟୀ ସବୁଜ ସମ୍ପଦ ସୃଷ୍ଟି ଉଦ୍ଦେଶ୍ୟରେ ବ୍ଲକ୍ ଓ ଜିଲ୍ଲାସ୍ତରରେ ଚାରାଗୁଡ଼ିକର ନିରୀକ୍ଷଣ ବ୍ୟବସ୍ଥା କରାଯାଇଛି। ପାଣିଦେବା, ମାଟି କାମ ଓ ସୁରକ୍ଷାମୂଳକ କାର୍ଯ୍ୟକୁ ମନରେଗା ଓ ଅନ୍ୟାନ୍ୟ ଗ୍ରାମୀଣ ବିକାଶ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରତ୍ୟେକ ଚାରାର ସ୍ଥିତି ଉପରେ କଡ଼ା ନଜର ରଖାଯିବ। ସ୍ୱଚ୍ଛତା ଏବଂ ବ୍ୟବସ୍ଥିତ ଟ୍ରାକିଂକୁ ସୁନିଶ୍ଚିତ କରିବା ପାଇଁ ରୋପଣ କରାଯାଇଥିବା ପ୍ରତି ଚାରାର ଏକ ଫଟୋଗ୍ରାଫ୍ ବିଭାଗର ସମର୍ପିତ ପୋର୍ଟାଲରେ ଅପଲୋଡ୍ କରାଯିବ। ଏହା ସହିତ ଆଗାମୀ ତିନିବର୍ଷ ପାଇଁ ଏହି ଚାରାଗୁଡ଼ିକର ଯନି ଏବଂ ରକ୍ଷଣାବେକ୍ଷଣ ପାଇଁ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧୀନରେ ପାଣ୍ଠି ଆବଣ୍ଟନ କରାଯାଇଛି ଯାହା ସେଗୁଡ଼ିକର ସୁସ୍ଥ ବୃଦ୍ଧି ଏବଂ ଦୀର୍ଘକାଳୀନ ବଞ୍ଚିବାକୁ ସୁନିଶ୍ଚିତ କରିବ। ଏହି ପ୍ରୟାସ ଜନସହଭାଗିତାର ଜ୍ୱଳନ୍ତ ଦୃଷ୍ଟାନ୍ତ ଏବଂ ମାଟିମା’ପ୍ରତି ଆମର ସମର୍ପଣ ଭାବକୁ ସୂଚାଉଛି। ଲକ୍ଷାଧିକ ଗ୍ରାମବାସୀଙ୍କୁ ଏକାଠି କରି ପରିବେଶ ଓ ସମାଜର ଉତ୍କର୍ଷ ଦିଗରେ ଏହା ଏକ ଉଦାହରଣ ପାଲଟିଛି।
ପ୍ରକାଶଯୋଗ୍ୟ ଯେ ‘ସ୍ୱଚ୍ଛତା ହି ସେବା’ଅଭିଯାନ ଗାନ୍ଧୀ ଜୟନ୍ତୀ (ଅକେଫାବର ୨) ପର୍ଯ୍ୟନ୍ତ ଚାଲିବ ଏବଂ ଏହି ଅବଧି ମଧ୍ୟରେ ଶ୍ରମଦାନ କରିବା ପାଇଁ ବିଭାଗ ପକ୍ଷରୁ ଆହ୍ୱାନ କରାଯାଇଛି। ଚାରାରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକଳାପକୁ ସମନ୍ୱୟ କରି ବିଭାଗ ଏକ ସ୍ୱଚ୍ଛ, ସବୁଜ ଓ ସୁସ୍ଥ ଓଡ଼ିଶା ଗଠନ ପାଇଁ ପ୍ରତିବଦ୍ଧ ରହିଛି।