ଭୁବନେଶ୍ୱର: ଟେକ୍ସାଟାଇଲ ଇଣ୍ଡଷ୍ଟ୍ରି କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ମଜୁରୀ ରିହାତି ମାସକୁ ଏକ ହଜାର ଟଙ୍କା ବୃଦ୍ଧି କରାଯାଇଛି। ଏହା ଦ୍ୱାରା ମହିଳା କର୍ମଚାରୀଙ୍କୁ ମାସକୁ ୬ ହଜାର ଟଙ୍କା ବଦଳରେ ୭ ହଜାର ଏବଂ ପୁରୁଷ କର୍ମଚାରୀଙ୍କୁ ମାସକୁ ୫ ହଜାର ବଦଳରେ ୬ ହଜାର ଟଙ୍କା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଅନୁଷ୍ଠିତ ଓଡିଶା ଟେକ୍ସଟାଇଲ କନ୍କ୍ଲେଭ୍ରେ ଏହା ଘୋଷଣା କହିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ଜଗତସିଂହପୁର ଏବଂ ଭଦ୍ରକ ଠାରେ ଦୁଇଟି ଟେକ୍ସଟାଇଲ ଓ ଫୁଟ୍ୱିୟର ପାର୍କର ଲୋକାର୍ପଣ କରିଥିଲେ।
ଭୁବନେଶ୍ୱର ଠାରେ ଅନୁଷ୍ଠିତ ଓ-ଟେକ୍ସ ୨୦୨୫ ହେଉଛି ରାଜ୍ୟର ପ୍ରଥମ ଟେକ୍ସଟାଇଲ ଓ ଆପାରେଲ କନ୍କ୍ଲେଭ୍। କନ୍କ୍ଲେଭ୍ରେ ୧୬୦ରୁ ଅଧିକ ବୃହତ ଓ ନୂତନ ଉଦ୍ୟୋଗୀ ଯୋଗଦେଇଥିଲେ। ବିଶ୍ୱର ନାମୀଦାମୀ ବ୍ରାଣ୍ଡ Page Industries, First Step Baby Wear, KPR Mills, Sportking, Adarsh Knitwear, Anubhav Apparels, Bon & Co., and B.L. ପ୍ରମୁଖ ଏହି କନ୍କ୍ଲେଭ୍ରେ ଅଂଶଗ୍ରହଣ କରିଥିଲେ ଓ ଦେଶର ବୟନ ଓ ପୋଷାକ ଶିଳ୍ପକ୍ଷେତ୍ରର ପ୍ରାୟ ସମସ୍ତ ଶିଳ୍ପପତି ଉପସ୍ଥିତ ଥିଲେ। ଏହା ପୂର୍ବଭାରତର ସର୍ବବୃହତ ଟେକ୍ସଟାଇଲ କନ୍କ୍ଲେଭ୍ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ସପ୍ତାହକୁ ଯେକୌଣସି ଗୋଟିଏ ଦିନ ହସ୍ତତନ୍ତ ପ୍ରସ୍ତୁତ ପୋଷାକ ପରିଧାନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି କନ୍କ୍ଲେଭ୍ରେ ମୋଟ୍ ୩୩ଟି ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ, ୭୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ଆସିଛି। ଏହା କାର୍ଯ୍ୟକାରୀ ହେବା ଦ୍ୱାରା ରାଜ୍ୟରେ ୫୩,୩୦୦ ଟି ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ଏହା ସହିତ ପ୍ରତିବର୍ଷ ଏହି କନକ୍ଲେଭ ଆୟୋଜନ କରିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଆସନ୍ତା ଦଶନ୍ଧି ମଧ୍ୟରେ ରାଜ୍ୟରେ ଟେକ୍ସଟାଇଲ କ୍ଷେତ୍ରରେ ୫ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି କରିବା ସହିତ ୫ଟି ଟେକ୍ସଟାଇଲ ଓ ଆପାରେଲ୍ ପାର୍କ ବିକଶିତ କରିବା ଦିଗରେ ସରକାର ଯୋଜନା କରୁଛନ୍ତି।
କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଛନ୍ତି ଯେ ଓଡିଶା ଟେକ୍ସ 2025 ଓଡ଼ିଶାର ବୟନ ଶିଳ୍ପ ପାଇଁ ଏକ ନୂତନ ଯୁଗର ଶୁଭାରମ୍ଭ କରୁଛି। ଦକ୍ଷତା ଏବଂ ଶିଳ୍ପ ଦ୍ୱାରା, ଓଡ଼ିଶାର ସ୍ଥାୟୀ ଅଭିବୃଦ୍ଧି, ଆଞ୍ଚଳିକ ବିକାଶ ଏବଂ ଏକ ଉତ୍ସର୍ଗୀକୃତ ଟାସ୍କ ଫୋର୍ସ ମାଧ୍ୟମରେ ନିବେଶକମାନଙ୍କୁ ଆକୃଷ୍ଟ କରୁଛି। ଓଡ଼ିଶାରେ କଞ୍ଚାମାଲ ଉପଲବ୍ଧତା ଠାରୁ ବନ୍ଦର ସଂଯୋଗୀକରଣ ଏବଂ ଏକ ସହାୟକ ନୀତି ବୟନ ଏବଂ ପୋଷାକ ନିବେଶ ପାଇଁ ସବୁଠାରୁ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ପାଲଟିଛି।
ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ, ଆମର ପ୍ରତିବଦ୍ଧତା ହେଉଛି ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ସୁଦୃଢ଼ କରିବା ସହିତ ଆଧୁନିକ ବୟନ ନିବେଶକୁ ଦ୍ୱିଗୁଣିତ କରିବା। ଏକ ଦୃଢ଼ ବୟନ ଇକୋସିଷ୍ଟମର ବିକାଶକୁ ପ୍ରାଥମିକତା ଦେଇ, ପାରମ୍ପରିକ ବୁଣାକାରମାନଙ୍କୁ ସଶକ୍ତ ଏବଂ ବଜାର ବ୍ୟବସ୍ଥାକୁ ବୃଦ୍ଧି କରି, ସରକାର ସମାବେଶୀ ଅଭିବୃଦ୍ଧି ସୁନିଶ୍ଚିତ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ଦେଶର କୋଣ ଅନୁକୋଣରୁ ଆସିଥିବା ଟେକ୍ସଟାଇଲ ଉଦ୍ୟୋଗୀ ଏବଂ ଶିଳ୍ପପତି ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସଚିବ ଗୁହା ପୁନମ ତାପସ କୁମାର ଧନ୍ୟବାଦ ଦେଇଥିଲେ।