ଭୁବନେଶ୍ୱର: ଓଡ଼ିଶାର ପ୍ରଗତିକୁ ଦ୍ରୁତତର କରିବା ଲାଗି ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧI ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ନେଇ ସରକାର ଲକ୍ଷ୍ୟରଖିଥିବା ବେଳେ ଭିତ୍ତିଭୂମିକୁ ସୁଦୃଢ କରିବାକୁ ପଡିବI ଏଥିପାଇଁ ଜାତୀୟ ରାଜପଥ ଠାରୁ ଆରମ୍ଭ କରି ବିଭାଗ ଅଧୀନରେ ଥିବା ବିଭିନ୍ନ ରାସ୍ତା, ସେତୁ ଓ କୋଠାବାଡି ଗୁଡିକ ଗୁଣବତ୍ତା ଓ ସମୟ ଅବଧି ମଧ୍ୟରେ କାର୍ଯ୍ୟ ପରିସମାପ୍ତିକୁ ଗୁରୁତ୍ୱ ଦେବାକୁ ପଡିବI ଏଥିପାଇଁ ବିଭାଗରେ କାର୍ଯ୍ୟ କରୁଥିବା ଅଧିକାରୀ ମାନଙ୍କୁ ସମୟ ସହିତ ତାଳ ଦେଇ ଅପଡେଟ ହେବ ସହ ଅଧିନିକ ଜ୍ଞାନକୌଶଳ ତଥା କୃତ୍ରିମ ବୁଦ୍ଧିମତାକୁ ଆପଣାଇବାକୁ ପଡିବ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତିI
ପୂର୍ତ୍ତ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକସେବା ଭବନ କନଭେନସନ ହଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୫୦ କୋଟିରୁ ଉର୍ଦ୍ଧ୍ବ ପ୍ରକଳ୍ପର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ କହିଲେ ବିଭିନ୍ନ ରାସ୍ତା ଘାଟ ତଥା କୋଠାବାଡ଼ିର ନିର୍ମାଣ ସହିତ ଏହାର ମରାମତିକୁ ଗୁରୁତ୍ୱ ଦେବାକୁ ପଡିବI ଏଥିପାଇଁ ବିଭାଗର ଇଞ୍ଜିନିୟର ମାନଙ୍କୁ ସେମାନଙ୍କ କାର୍ଯ୍ୟ ଶୈଳୀରେ ଉନ୍ନତି ଆଣିବାକୁ ପଡିବI ବର୍ତ୍ତମାନ ଆମେ ସର୍ବଭାରତୀୟ ସ୍ତରରେ ଭଲସ୍ଥାନରେ ଥିବାବେଳେ ଆମକୁ ଆହୁରି ଅଧିକ ଉପରକୁ ଯାଇ ଏକ ନମ୍ବର ସ୍ଥାନ ହାସଲ କରିବାକୁ ପଡିବI ଏଥିଲାଗି ନିୟମିତ ଅନ୍ତରରେ ଭିତ୍ତିଭୂମି ଯାଞ୍ଚ ସହିତ ଏହାର ମରାମତିକୁ ଗୁରୁତ୍ୱ ଦେବାକୁ ପଡିବI ଏଥିସହିତ ଜମିଅଧିଗ୍ରହଣ, ଜଙ୍ଗଲ ଜମି ସମସ୍ୟା ଦୂରୀକରଣ ସହ ନିର୍ମାଣ କାର୍ଯ୍ୟକୁ ସମୟ ଅବଧି ମଧ୍ୟରେ ଶେଷ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧିକାରୀ ଓ ନିର୍ମାଣ ଦାୟିତ୍ୱରେ ଥିବା ସଂସ୍ଥାକୁ ପରାମର୍ଶ ଦେଇଥିଲେI ଏହି ଅବସରରେ ମନ୍ତ୍ରୀ “ସେତୁ ମରାମତି ନୀତି” କୁ ଉନ୍ମୋଚିତ କରିଥିବା ବେଳେ ଖୁବ ଶୀଘ୍ର “ରାସ୍ତା ମରାମତି ନୀତି” ଆସିବାକୁ ଯାଉଛି ବୋଲି କହିଥିଲେI
ବୈଠକରେ ପୂର୍ତ୍ତବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଯୋଗ ଦେଇ କହିଲେ ଯେ ଆଗକୁ ବଢିବାକୁ ହେଲେ ପାରମ୍ପରିକ କାର୍ଯ୍ୟଶୈଳୀକୁ ଛାଡି ଯୁଗୋପଯୋଗୀ ହେବାକୁ ପଡିବI ତେଣୁ ବିଭାଗୀୟ କାର୍ଯ୍ୟକୁ ଆଗେଇ ନେବାପାଇଁ WAMIS ଏବଂ OSWAS ଭଳି କାର୍ଯ୍ୟପ୍ରଣାଳୀ ସହିତ ଯୋଡି ହେବାକୁ ପଡିବ ବୋଲି ସେ କହିଥିଲେI
ଏହି ଅବସରରେ ମନ୍ତ୍ରୀ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ବ୍ରହ୍ମପୁର ବାଇପାସ, ଖୋର୍ଦ୍ଧା ବାଇପାସ, ଖରିଆର ଆରଓବି, ପୁରୀ-କୋଣାର୍କ ରାସ୍ତାରେ ଥିବା ମାଟିଆପଡା ଆରଓବି, ନୟାଗଡ ବାଇପାସ, ୪ ଲେନ ବିଶିଷ୍ଟ କେସିଙ୍ଗା-ଜୟପୁର ଟାଉନ ବାଇପାସ ଆରଓବି, ବଲାଙ୍ଗୀରି ବାଇପାସ, ଟିଟିଲାଗଡ ବାଇପାସ, ବୈତରଣୀ ନଦୀ ଉପରେ ହାଇ ଲେବୁଲ ସେତୁ, ତେଲ ନଦୀ ଉପରେ ନିର୍ମାଣଧୀନ ହାଇ ଲେବୁଲ ସେତୁ, କନ୍ଦରପୁର ବାଲିକୁଦା ରାସ୍ତା, ବ୍ରହ୍ମପୁର ରିଙ୍ଗରୋଡ଼, କଟକ ରିଙ୍ଗରୋଡ଼ ଏସସିବି ପ୍ରକଳ୍ପ, ପୁରୀ ସହରର ବିଭିନ୍ନ ପ୍ରକଳ୍ପ ତଥା ମା ସାରଳା, କଟକ ଚଣ୍ଡୀ ମନ୍ଦିର ଆଦି ପ୍ରମୁଖ ମନ୍ଦିର ଉନ୍ନତି ଏବଂ ବିଭିନ୍ନ କ୍ରୀଡ଼ା ଉନ୍ନୟନ ପ୍ରକଳ୍ପ ଯଥା ନୟାଗଡ଼, ବାଲେଶ୍ୱର, ଝାରସୁଗୁଡା ଓ ଯାଜପୁର ସ୍ବିମ୍ମିଙ୍ଗ ପୁଲ ଆଦି ୫୦ କୋଟିରୁ ଉର୍ଧ୍ଵ ନିର୍ମାଣଧୀନ କୋଠାବାଡ଼ି, ରାସ୍ତା, ସେତୁ ଓ ଜାତୀୟ ରାଜପଥ ପ୍ରକଳ୍ପ ଆଦିର ସମୀକ୍ଷା କରିଥିଲେI
ଅନେକ ନିର୍ମାଣ ପ୍ରକଳ୍ପ କାର୍ଯ୍ୟ ନେଇ ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ ବିଳମ୍ବିତ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସେ ବିଭାଗୀୟ ଯନ୍ତ୍ରୀ ଏବଂ ଠିକ ସଂସ୍ଥା ଗୁଡିକୁ ନିର୍ଦ୍ଦେଶ ଦେଇଥିଲେI କାର୍ଯ୍ୟଭାର ନେଇଥିବା କିଛି ଠିକା ସଂସ୍ଥା ପ୍ରକଳ୍ପ କାର୍ଯ୍ୟକୁ ଅନ୍ୟକୁ ଦେଇଥିବା ସରକାରଙ୍କ ନଜରକୁ ଆସିଛି, ତେଣୁ ଏହାର ସତ୍ୟାସତ ଅନୁଧ୍ୟାନ କରି ଉକ୍ତ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତିI
ଏହି ବୈଠକରେ ଇଆଇସି ସିଭିଲ ସତ୍ୟବ୍ରତ ବେହେରା, ଏଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଏଲ. କେ. ପାଢ଼ୀ, ଓବିସିସି ପରିଚାଳନା ନିର୍ଦ୍ଦେଶକ ସମୀର ହୋତାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ବିଭିନ୍ନ ଜୋନର ଅଧିକ୍ଷଣ ଯନ୍ତ୍ରୀ ଏବଂ ନିର୍ମାଣ ସଂସ୍ଥା ଅଧିକାରୀ ମାନେ ଉପସ୍ଥିତ ଥିଲେI