ପୂର୍ତ୍ତ ବିଭାଗ ପକ୍ଷରୁ ଇଞ୍ଜିନିୟର୍ସ ଡେ ପାଳିତ

ଭୁବନେଶ୍ୱର: ଆଜିର ଯୁଗ ହେଉଛି ଟେକନୋଲୋଜିର ଯୁଗI ଯେଉଁ ଦେଶ ଟେକନୋଲୋଜିରେ ଯେତେ ଆଗୁଆ ସେ ଦେଶ ସେତେ ମାତ୍ରାରେ ପ୍ରଗତିଶୀଳI ଆଜିର ଦଶକରେ ଭାରତ ଆଧୁନିକ ଜ୍ଞାନକୌଶଳ ଓ ଟେକନୋଲୋଜି କ୍ଷେତ୍ରରେ ବେଶ ଆଗରେ ପହଂଚି ପାରିଛି I ତେଣୁ କୋଠାବାଡି, ରାସ୍ତା ତଥା ସେତୁ ନିର୍ମାଣରେ ରାଜ୍ୟର ଇଞ୍ଜିନିୟର ମାନେ ନୂଆ ଟେକନୋଲୋଜି, ନୂଆ ଡିଜାଇନ ଏବଂ କୃତ୍ରିମ ବୁଦ୍ଧିମତାକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ I ପୂର୍ତ୍ତ ବିଭାଗ ପକ୍ଷରୁ ସ୍ଥାନୀୟ ନିର୍ମାଣ ସୌଦ୍ଧ ଠାରେ “ଇଞ୍ଜିନିୟର୍ସ-ଡେ” ପାଳନ ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ବିଭାଗରେ ଅନେକ ଦକ୍ଷ ଇଞ୍ଜିନିୟର କାର୍ଯ୍ୟ କରୁଛନ୍ତି I ଆମ ଇଞ୍ଜିନିୟର ମାନଙ୍କ ଡିଜାଇନ ଓ ନିର୍ମାଣ ସର୍ବଭାତୀୟ ସ୍ତରରେ ଓଡିଶାକୁ ଗର୍ବିତ କରିଛିI ତେଣୁ ନୂଆ ଜ୍ଞାନ କୌଶଳର ଭରପୁର ଉପଯୋଗ କରି ବିଶ୍ୱସ୍ତରୀୟ ନିର୍ମାଣ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଇଞ୍ଜିନିୟର ମାନଙ୍କୁ ପରାମର୍ଶ ଦେଇଥିଲେI

ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ କହିଲେ ଯେ ରାଜ୍ୟର ବିକାଶ ନେଇ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଯେଉଁ ଭିଜନ ରହିଛି ତାହାକୁ ପୁରା କରିବା ଲାଗି ଆମକୁ ନିଷ୍ଠାବାନ ହୋଇ କାର୍ଯ୍ୟ କରିବାକୁ ପଡିବI ତେଣୁ WAMIS, OSWAS ପରି ଆଧୁନିକ ସଫ୍ଟୱେର୍ ଓ ପ୍ରଣାଳୀର ବ୍ୟବହାର, ନିୟମିତ ତାଲିମ ଓ ଏକ୍ସପୋଜର ଭିଜିଟ ଉପରେ ଶ୍ରୀ ସିଂହ ଗୁରୁତ୍ୱ ଦେଇଥିଲେ I

ଏହି କାର୍ଯ୍ୟକ୍ରମରେ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଏଲ. କେ. ପାଢ଼ୀ, ଇଆଇସି (ସିଭିଲ) ସତ୍ୟବ୍ରତ ବେହେରା, ଓବିସିସି ପରିଚାଳନା ନିର୍ଦେଶକ ସମୀର ହୋତା, ଉପଦେଷ୍ଠା ଜୟକୃଷ୍ଣ ଦାସ ଓ ଅଶୋକ କୁମାର ଗିରି, ଅତିରିକ୍ତ ଶାସନ ସଚିବ ତଥା ମୁଖ୍ୟଯନ୍ତ୍ରୀ ପ୍ରଫୁଲ ପ୍ରଧାନ, ମୁଖ୍ୟଯନ୍ତ୍ରୀ ରାସ୍ତା-୧ ଧ୍ୟାନଚାନ୍ଦ ନାୟକ, ମୁଖ୍ୟଯନ୍ତ୍ରୀ ବିଲଡିଂ ପ୍ରିୟବ୍ରତ ସାମନ୍ତରାୟ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ( ଭୁବନେଶ୍ୱର ) ମନୋଜ ମହାନନ୍ଦ, ମୁଖ୍ୟଯନ୍ତ୍ରୀ (ସେତୁ) ଅରବିନ୍ଦ ତ୍ରିପାଠୀ, ମୁଖ୍ୟଯନ୍ତ୍ରୀ (ଏନଏଚ) ନାରାୟଣ ପଟେଲ ସମତେ ବିଭାଗୀୟ ମୁଖ୍ୟଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *