ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ୪୨ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ସାମ୍ପ୍ରତିକ ସମୟରେ ରାଜ୍ୟର ଦ୍ରୁତ ଗତିରେ ବଢୁଥିବା ସହରଗୁଡ଼ିକରେ ନାଗରିକମାନଙ୍କୁ ବିଦ୍ୟୁତ୍ ଯାନ (EV) ର ବ୍ୟାପକ ବ୍ୟବହାର ଏବଂ ଏହା ଦ୍ୱାରା ପ୍ରଦୂଷଣ ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସେମାନଙ୍କର ଭୂମିକା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତିI ସୋମବାର ଭୁବନେଶ୍ୱରଠାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ୪୨ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତିI ଏହି ସମାରୋହରେ ରାଜ୍ୟପାଳ ଉଦବୋଧନ ଦେଇ ପରିବେଶ ସୁରକ୍ଷା ଏବଂ ନାଗରିକଙ୍କ ପାଇଁ ଏକ ସୁସ୍ଥ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ସାମୂହିକ ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଡ଼. କମ୍ଭମପାଟି ମଧ୍ୟ କହିଛନ୍ତି ଯେ ରାଜଭବନର ସରକାରୀ କାରକେଡ୍ କୁ ଇଭିରେ ରୂପାନ୍ତରିତ କରାଯାଇଛି ଯାହା କାର୍ବନକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିଛି ଏବଂ ଅନ୍ୟମାନଙ୍କ ପାଇଁ ଅନୁସରଣ କରିବା ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛି।

ଏହି ଅବସରରେ ରାଜ୍ୟପାଳ ଘରେ ଘରେ ସୋଲାର ସିଷ୍ଟମ ସ୍ଥାପନ କରିବାକୁ ନାଗରିକମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଏପରି ପଦକ୍ଷେପ କେବଳ ବିଦ୍ୟୁତ୍ ବିଲ୍ ହ୍ରାସ କରେ ନାହିଁ ବରଂ ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବ I ଏଥିପାଇଁ ନାଗରିକମାନେ ସମ୍ପୃକ୍ତ ଯୋଜନା ଅନୁଯାୟୀ ସରକାରୀ ସବସିଡିର ଲାଭ ମଧ୍ୟ ପାଇ ପାରିବେ। ଦ୍ରୁତ ଶିଳ୍ପାୟନ ଏବଂ ପରିବେଶଗତ ଦାୟିତ୍ୱକୁ ସନ୍ତୁଳିତ କରିବାରେ ଏକ ନିୟାମକ, ମାର୍ଗଦର୍ଶକ ଏବଂ ଅଂଶୀଦାର ଭାବରେ କାର୍ଯ୍ୟ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଚାରି ଦଶନ୍ଧିର ଯାତ୍ରାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଆଜିର ଦିବସଟି କେବଳ ଏକ ମାଇଲଖୁଣ୍ଟ ନୁହେଁ ବରଂ ଓଡ଼ିଶାର ପରିବେଶକୁ ସୁରକ୍ଷା ଦେବା ପାଇଁ ବୋର୍ଡର ସାମଗ୍ରିକ ଏବଂ ପ୍ରଗତିଶୀଳ ଆଭିମୁଖ୍ୟର ଏକ ଉତ୍ସବ ବୋଲି ରାଜ୍ୟପାଳ କହିଥିଲେ I

ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ହେଉଥିବା ବ୍ୟାପକ ବୃକ୍ଷରୋପଣ ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ନାଗରିକ ଏବଂ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତିI ଏହି ଅଭିଯାନ ଦ୍ୱାରା ସବୁଜ ଆବରଣ ବିସ୍ତାର ହେବା ସହିତ ବାୟୁ ଗୁଣବତ୍ତା ଉନ୍ନତ ହେବାରେ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ରାଜ୍ୟପାଳ କହିଛନ୍ତି I

ଡ଼. କମ୍ଭମପାଟି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ବାୟୁ ଗୁଣବତ୍ତା ଉନ୍ନତି, ନଦୀ ପୁନରୁଦ୍ଧାର ଏବଂ ଶିଳ୍ପ ଏବଂ ଜଳାଶୟର ବାସ୍ତବ-ଓ ସମୟ ଉପଯୋଗୀ ମନିଟରିଂ ଭଳି ପଦକ୍ଷେପଗୁଡ଼ିକୁ ମଧ୍ୟ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା, ଇ-ବସ୍, ଇଭି ସବସିଡି, ସୁଧମୁକ୍ତ ଋଣ ଏବଂ ଛାତ ଉପରେ ସୌରଶକ୍ତିର ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ମଧ୍ୟ ପ୍ରଶଂସା କରିଥିଲେ। ପ୍ରଦୂଷଣକୁ ସ୍ୱାସ୍ଥ୍ୟ, ଜୀବିକା ଏବଂ ଭବିଷ୍ୟତ ପିଢ଼ି ପାଇଁ ଏକ ଗୁରୁତର ବିପଦ ବୋଲି କହି ରାଜ୍ୟପାଳ ଜନସାଧାରଣଙ୍କୁ ପ୍ଲାଷ୍ଟିକ୍ ବ୍ୟବହାର ହ୍ରାସ, ଇ- ଆବର୍ଜନା ପରିଚାଳନା, ଜଳ ସଂରକ୍ଷଣ, ଗଛ ଲଗାଇବା ଏବଂ ନବୀକରଣୀୟ ଶକ୍ତିର ଉପଯୋଗ କରିବା ପାଇଁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ରାଜ୍ୟପାଳ ବୋର୍ଡକୁ ଆଗାମୀ ଦଶନ୍ଧିକୁ ସବୁଜ ପ୍ରଯୁକ୍ତିବିଦ୍ୟାର ପ୍ରୋତ୍ସାହନ, ଶୂନ୍ୟ- ଆବର୍ଜନା ଶିଳ୍ପ, ଯୁବପିଢ଼ିଙ୍କ ସମ୍ପୃକ୍ତି ଏବଂ ପରିବେଶଗତ ତଦାରଖ ପାଇଁ ଡିଜିଟାଲ୍ ଉପକରଣ ସମେତ ସାହସିକ ଲକ୍ଷ୍ୟ ସହିତ କଳ୍ପନା କରିବାକୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗୁରୁତ୍ୱାରୋପ କରିଥିଲେ ଯେ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ସ୍ଥାୟୀ ବିକାଶ ହାସଲ କରିବା ପାଇଁ ସାମୂହିକ ଦାୟିତ୍ୱ ଆବଶ୍ୟକ। ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (PCCF) ଏବଂ ବନ ବାହିନୀର ମୁଖ୍ୟ (HoFF) ସୁରେଶ ପନ୍ତ ଏବଂ PCCF ପ୍ରେମ କୁମାର ଝାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ମେମ୍ବର ସେକ୍ରେଟାରୀ ଉମା ନାନ୍ଦୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ ପରିବେଶ ଇଞ୍ଜିନିୟର ଡ. ନିହାର ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I

ଏହି ଅବସରରେ ରାଜ୍ୟପାଳ ବୋର୍ଡର ୩ ଗୋଟି ୱେବସାଇଟ୍ ଏବଂ ପ୍ରକାଶନ ଉନ୍ମୋଚନ କରିଥିଲେI ଏଥିସହିତ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କୁ ରାଜ୍ୟପାଳ ସମ୍ମାନିତ କରିଥିବା ବେଳେ କୃତୀ ସଂସ୍ଥାଗୁଡିକୁ ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ଏବଂ ପ୍ରଶଂସା ପୁରସ୍କାର ପ୍ରଦାନ କରିଥିଲେI ପ୍ରକୃତି ସଂରକ୍ଷଣ ଏବଂ ସବୁଜ ଉଦ୍ୟୋଗୀ ଭାବରେ ମହିଳାମାନଙ୍କୁ ସେମାନଙ୍କର ସଫଳତା ପାଇଁ ମଧ୍ୟ ରାଜ୍ୟପାଳ ସମ୍ମାନିତ କରିଥିଲେ।

Leave a Reply

Your email address will not be published. Required fields are marked *