ପ୍ରାଣିଖାଦ୍ୟ ପରିଚାଳନା କ୍ଷେତ୍ରରେ ନବସୃଜନ ଓ ସହଯୋଗ ନିମନ୍ତେ ତ୍ରିପାକ୍ଷିକ ଚୁକ୍ତିପତ୍ର ସ୍ଵାକ୍ଷରିତ

ଭୁବନେଶ୍ୱର: “ଭାରତରେ ପ୍ରାଣି ଖାଦ୍ୟ ପରିଚାଳନାର ଅଗ୍ରଗତି”ଶୀର୍ଷକ ୫ ଦିନିଆ ପ୍ରଶିକ୍ଷଣ ଓ କର୍ମଶାଳା ଆରମ୍ଭ ହୋଇଛି।  ସ୍ଥାନୀୟ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରି ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ, ଦୀର୍ଘସ୍ଥାୟୀ ପ୍ରାଣିପାଳନର ମୂଳ ଆଧାର ହେଉଛି ପ୍ରାଣୀ ଖାଦ୍ୟ ବ୍ୟବସ୍ଥାର ସୁପରିଚାଳନା। ଜଳବାୟୁ-ଅନୁକୂଳ ପ୍ରାଣି ଖାଦ୍ୟର ଉତ୍ପାଦନ ଏବଂ ବର୍ଷ ସାରା ଉପଲବ୍ଧ ହେଉଥିବା ଉଚ୍ଚ-ଗୁଣମାନ ଖାଦ୍ୟକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି। ପ୍ରାଣିସମ୍ପଦର ସମୃଦ୍ଧି ଓ ଗ୍ରାମୀଣ ଜୀବନ-ଜୀବିକାକୁ ଅଧିକ ସଶକ୍ତ କରିବା ପାଇଁ ପ୍ରାଣି ଖାଦ୍ୟ ପରିଚାଳନାରେ ବିବିଧତା ହେଉଛି ସମୟର ଆହ୍ଵାନ। ଏହି ପ୍ରଶିକ୍ଷଣ ଓ କର୍ମଶାଳା ପ୍ରାଣିପାଳନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଘାସ ଚାଷ ପାଇଁ ଏକର ପିଛା ୩୫,୦୦୦/- ଟଙ୍କା ହିସାବରେ ସର୍ବାଧିକ ୩,୫୦,୦୦୦/- ଟଙ୍କା ସହାୟତା ଯୋଗାଇ ଦେବାର ପ୍ରାବଧାନ ରହିଛି। ଏହି କ୍ରାନ୍ତିକାରୀ ଯୋଜନା ଗୋପାଳକଙ୍କ ସମୃଦ୍ଧି ଦିଗରେ ବିଶେଷ ସହାୟକ ହୋଇଛି। ଏହି ଯୋଜନାରେ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧୫ ଲକ୍ଷ ଚାଷୀଙ୍କୁ ସାମିଲ କରି  ସେମାନଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଲକ୍ଷ୍ୟ ରଖିଛି। 

ଭାରତ ସରକାରଙ୍କ ସେଣ୍ଟର ଫର୍ ଏକ୍ସେଲେନ୍ସ୍ ଇନ୍ ଆନିମଲ୍ ହଜବେଣ୍ଡ୍ରି, ବେଙ୍ଗାଲୁରୁ ଏବଂ ଭେଟେରିନାରି ଅଫିସର୍ସ ଟ୍ରେନିଂ ଇନ୍ସ୍ଟିଟ୍ୟୁଟ୍, ଭୁବନେଶ୍ୱରର ମିଳିତ ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏହି ପ୍ରଶିକ୍ଷଣ ଶିବିରରେ ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଯୋଗଦାନ କରିଛନ୍ତି। ଏହି ପାଞ୍ଚ ଦିନିଆ ପ୍ରଶିକ୍ଷଣ ଶିବିରରେ ପ୍ରାଣି ଖାଦ୍ୟ ଉତ୍ପାଦନରେ ବ୍ୟବହାର ହେଉଥିବା ନୂତନ ପ୍ରଯୁକ୍ତି ବିଦ୍ୟା, ନୂତନ ପ୍ରଜାତିର ପ୍ରାଣିଖାଦ୍ୟ ଶସ୍ୟ, ଯୋଗାଣ ବ୍ୟବସ୍ଥା ଆଦି ବିଷୟରେ ଅଂଶଗ୍ରହଣକାରୀମାନେ ଅବଗତ ହେବେ।

ଏହି ଅବସରରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ଅଫିସିଆଲ୍ ପଡକାଷ୍ଟ ଓ ହ୍ୱାଟସଆପ ଚ୍ୟାନେଲକୁ ମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଏହା ପ୍ରାଣିପାଳନକୁ ଅଧିକ ପ୍ରୋତ୍ସାହିତ କରିବ ଓ ପ୍ରାଣିପାଳକଙ୍କ ନିକଟରେ ପହଞ୍ଚିବାରେ ସହାୟକ ହେବ। ପ୍ରାଣିଖାଦ୍ୟ ପରିଚାଳନା ଏବଂ ପ୍ରାଣିପାଳନ କ୍ଷେତ୍ରରେ ନବସୃଜନ ଓ ସହଯୋଗକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ “କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ- ପ୍ରାଣି ଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନ- ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶାଳୟ” (CIWA-VOTI-DAH&VS) ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇଛି। ଆମ ରାଜ୍ୟରେ ପ୍ରାଣିପାଳନର ସଫଳତାକୁ ନେଇ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। 

ଏହି କାର୍ଯ୍ୟକ୍ରମରେ ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ସିୱାର ନିର୍ଦ୍ଦେଶକ ମୃଦୁଳା ଦେବୀ, ବେଙ୍ଗାଲୁରୁ ସିଇଏଏଚ୍ ର ନିର୍ଦ୍ଦେଶକ ଡକ୍ଟର ମହେଶ, ଅତିରିକ୍ତ ଶାସନ ସଚିବ ରିନା ମହାପାତ୍ର, ବିଭାଗୀୟ ଅଧିକାରୀ  ପ୍ରମୁଖ ଉପସ୍ଥିତ ଥିଲେ। 

Leave a Reply

Your email address will not be published. Required fields are marked *