ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ନାମ କାନରେ ବାଜିଲେ, ମନ ଓ ହୃଦୟରେ ସତ୍ୟ ଓ ଅହିଂସା ଭାବ ସ୍ୱତଃ ଉଦ୍ରେକ ହୋଇଥାଏ। ଗାନ୍ଧିଜୀ ଥିଲେ ସତ୍ୟ ଓ ଅହିଂସାର ନିଷ୍ଠାପର ପୂଜାରୀ ଓ ସାଧକ, ଖୁବ୍ ଉଚ୍ଚମନା, ଦେଶପ୍ରେମୀ, ସେବକ ଓ ତ୍ୟାଗୀ। ସତ୍ୟ ପ୍ରତି ଆଗ୍ରହ, ସତ୍ୟାଗ୍ରହ ଓ ଅସତ୍ୟ ପ୍ରତି ଉପେକ୍ଷା-ଅସହଯୋଗ ତାଙ୍କର ପ୍ରଚଣ୍ଡ ଆତ୍ମଶକ୍ତିର ଅଭିବ୍ୟକ୍ତି। ରାମ ନାମ ସ୍ମରଣ ଓ ସତ୍ୟ ଏବଂ ଅହିଂସାକୁ ଆନ୍ଦୋଳନର ପ୍ରଧାନ ଅସ୍ତ୍ର ରୂପେ ବ୍ୟବହାର କରି ସେ ଦେଇଥିଲେ ଭାରତକୁ ସ୍ୱାଧୀନତା। ପୃଥିବୀ ପୃଷ୍ଠରେ ଯେତେ ମୁକ୍ତି ସଂଗ୍ରାମ ହୋଇଛି, ସବୁଠି ବ୍ୟବହାର ହୋଇଛି ଖଣ୍ଡା, ବର୍ଚ୍ଛା, ଧନୁ, ବୋମା ଓ ବନ୍ଧ୍ୁକ। ସବୁଠି ବହିଛି ରକ୍ତର ନଈ। ମାତ୍ର ଗାନ୍ଧିଜୀ ମୁକ୍ତି ଯୁଦ୍ଧକୁ ଦେଲେ ନୂଆ ପରିଭାଷା। ସେ ପରିଭାଷା ଥିଲା ସତ୍ୟ ଓ ଅହିଂସା, ଯାହାର ଅନ୍ତିମ ଲକ୍ଷ୍ୟ ହେଉଛି ଶାନ୍ତି। ସେହି ଅସ୍ତ୍ର ବଳରେ ସେ ଲଢ଼ିଲେ ଇଂରେଜମାନଙ୍କ ବିରୁଦ୍ଧରେ। ପୃଥିବୀ ଇତିହାସରେ ଲେଖାଗଲା ମୁକ୍ତି ସଂଗ୍ରାମର ନୂଆ କାହାଣୀ।
ଗାନ୍ଧୀବାଦ ଏକ ବିଶାଳ ବିଚାରଧାରା। ଗାନ୍ଧୀବାଦର ମୂଳମନ୍ତ୍ର ହେଉଛି ସତ୍ୟ ଓ ଅହିଂସା। ଏହା କେବଳ ଏକ ବିଶ୍ୱାସ ନୁହେଁ। ଗାନ୍ଧିଜୀଙ୍କ ପାଇଁ ଏହା ଥିଲା ଜୀବନ ସଂହିତା। ତାଙ୍କ ସମଗ୍ର ଜୀବନକୁ ଧାରଣ କରିଥିବା ଏକ ମହାନ ଆଦର୍ଶ। ଭାରତର ସ୍ୱାଧୀନତା ପାଇଁ ଗାନ୍ଧିଜୀ ଏହି ସତ୍ୟ ଓ ଅହିଂସାର ମାର୍ଗ ବାଛିଥିଲେ। ଗାନ୍ଧିଜୀ ଆଜି କେବଳ ଭାରତର ସମ୍ପଦ ହୋଇ ରହିନାହାନ୍ତି। ବୁଦ୍ଧ ଓ ଯୀଶୁଙ୍କ ଭଳି ସେ ସମଗ୍ର ବିଶ୍ୱ ମାନବ ଜାତିର ଚିର ଅମଳିନ, ଚିର ଭାସ୍ୱର ବ୍ୟକ୍ତିତ୍ୱ ରୂପେ ପୂଜିତ ହେଉଛନ୍ତି। ତାଙ୍କର ତେଜ ଓ ଆଲୋକ ସବୁଦିନ ପାଇଁ ବିଚ୍ଛୁରିତ ହେଉଥିବ, ଏଥିରେ ସନ୍ଦେହ ନାହିଁ।
ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ବିଧାନସଭା ପରିସରରେ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ବିଧାୟକ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରବିନ୍ଦ ଢାଲି ଓ ପି୍ରୟଦର୍ଶୀ ମିଶ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା, ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଅନୁଜ କୁମାର ଦାସପଟ୍ଟନାୟକ, ବୈଷୟିକ ନିର୍ଦ୍ଦେଶକ ଗୁର୍ବୀର ସିଂ ପ୍ରମୁଖ ଉପସ୍ଥିତ ରହି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଏହି ଅବସରରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହେବା ସହ ବାପୁଜୀଙ୍କ ପି୍ରୟ ଆଶ୍ରମ ଭଜନ ଓ ରାମଧୂନ ପରିବେଷିତ ହୋଇଥିଲା। ଏଥିରେ ବହୁ ଗାନ୍ଧୀପ୍ରେମୀ ଯୋଗଦେଇଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ମହାତ୍ମା ଗାନ୍ଧୀଙ୍କ ଉପରେ ଆଧାରିତ ‘ଗାନ୍ଧୀଜୀ ଓ ଓଡ଼ିଶା’ଶୀର୍ଷକ ଫଟୋଚିତ୍ର ପ୍ରଦର୍ଶନୀକୁ ଅତିଥିମାନେ ବୁଲି ଦେଖିଥିଲେ। ଏହି କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶନୀ ପରିଚାଳନା କରିଥିଲେ।