ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀରେ ବାଚସ୍ପତି

ଭୁବନେଶ୍ୱର: ବାଚସ୍ପତି ସୁରମା ପାଢ଼ୀ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଓ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବା ପାଇଁ ବାର୍ବାଡୋସ୍‌ ଗସ୍ତରେ ଯାଇଥିବାବେଳେ ବି୍ରଜ୍‌ଟାଉନ୍‌ଠରେ ‘ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ଦୀର୍ଘସ୍ଥାୟୀ ସମାଧାନର ପନ୍ଥା ନିର୍ଦ୍ଧାରଣ’ଓ ‘ଜାତୀୟ ସଂସଦ ବନାମ ପ୍ରାଦେଶିକ, ଆଞ୍ଚଳିକ ଓ ବିକଶିତ ବିଧାନସଭା କ୍ଷମତା ପୃଥକୀକରଣକୁ ସୁରକ୍ଷା ଓ ସଂରକ୍ଷଣ’ଶୀର୍ଷକ ଆଲୋଚନାରେ ନିଜର ଅଭିଭାଷଣ ଉପସ୍ଥାପନ କରି କହିଲେ ଯେ ଜଳବାୟୁ ପରିବର୍ତ୍ତନ ଓ ଏହାର ଦୀର୍ଘସ୍ଥାୟୀ କୁପ୍ରଭାବ ଆଜି ସମଗ୍ର ବିଶ୍ୱ ପାଇଁ ଏକ ଆହ୍ୱାନ ଓ ବଡ଼ ଚିନ୍ତାର କାରଣ । ଏଥି ପ୍ରତି ସଚେତନ ହୋଇ ଯଦି ଏହାର ସମାଧାନର ପନ୍ଥା ନିର୍ଦ୍ଧାରଣ କରା ନଯାଏ ତେବେ ଆଗାମୀ ଦିନରେ ଆମକୁ ଏହାର ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ। ଅସମୟରେ ବାତ୍ୟା, ବନ୍ୟା ଓ ଗ୍ରୀଷ୍ମପ୍ରବାହ ଏବେ ସବୁଠାରେ ଦେଖିବାକୁ ମିଳୁଛି। ଏଥିରେ ପରିବେଶ ସନ୍ତୁଳନ ବିଗିଡ଼ିବା ସହ ଜନଜୀବନହାନୀ ଘଟୁଛି। ଏଭଳି ପ୍ରାକୃତିକ ବିପର୍ଯ୍ୟୟରୁ ବର୍ତ୍ତିବା ପାଇଁ ଆମକୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ।

ଓଡ଼ିଶାରେ ୧୯୯୯ ମହାବାତ୍ୟାରେ ୧୦ ହଜାରରୁ ଊଦ୍ଧ୍ୱର୍ ଜୀବନହାନୀ ହେବା ସହ ଏହାର ଦୀର୍ଘସ୍ଥାୟୀ କୁପ୍ରଭାବ ଦୀର୍ଘଦିନ ଧରି ଅନୁଭୂତ ହୋଇଥିଲା। ୨୦୧୩ ମସିହାରେ ଫାଇଲିନ୍‌, ୨୦୧୯ ମସିହା ଫନିର ପ୍ରଭାବକୁ ଆଗୁଆ ଆକଳନ କରି ସରକାର ସବୁପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିବାରୁ କ୍ଷୟକ୍ଷତି ଓ ଜନଜୀବନହାନୀକୁ ରୋକାଯାଇ ପାରିଥିଲା। ଏ କ୍ଷେତ୍ରରେ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।

ବାଚସ୍ପତି ଶ୍ରୀମତୀ ପାଢ଼ୀ ପୁଣି କହିଥିଲେ ଯେ ଶୁଦ୍ଧବାୟୁ ସୂଚକାଙ୍କରେ ଭୁବନେଶ୍ୱର ହେଉଛି ଭାରତର ପ୍ରମୁଖ ଚତୁର୍ଥ ସହର। ଚିଲିକା ହ୍ରଦର ସୁରକ୍ଷା ଦିଗରେ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହା ରାମ୍‌ସାର କ୍ଷେତ୍ର ମଧ୍ୟରେ ସ୍ଥାନୀତ ହୋଇଛି। ସେହିପରି ଶିମିଳିପାଳର ଜୈବବିବିଧତାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦିଆଯାଉଛି। ଏହା ୟୁନେସ୍କୋ ଦ୍ୱାରା ମାନ୍ୟତା ଲାଭ କରିଛି। ଆଗାମୀ ଦିନରେ ରାଜ୍ୟଗୋଷ୍ଠୀ ରାଜ୍ୟମାନେ ଏ ଦିଗରେ ନିଶ୍ଚିତ ଭାବେ ଦୃଷ୍ଟିଦେବେ ଓ ଏକ ବୃହତ୍ତର ଲକ୍ଷ୍ୟ ନେଇ ସମ୍ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ବାଚସ୍ପତି ପ୍ରକାଶ କରିଥିଲେ।

ସେହିପରି ଜାତୀୟ ସଂସଦ ବନାମ ପ୍ରଦେଶିକ, ଆଞ୍ଚଳିକ ଓ ବିକଶିତ ବିଧାନସଭା କ୍ଷମତା ପୃଥକୀକରଣକୁ ସୁରକ୍ଷା ଓ ସଂରକ୍ଷଣ ଉପରେ ନିଜର ମତବ୍ୟକ୍ତ କରି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଲେ ଯେ ଭାରତର ଗଣତନ୍ତ୍ର ସବୁବେଳେ କ୍ଷମତାର ବିକେନ୍ଦ୍ରୀକରଣ ଉପରେ ଗୁରୁତ୍ୱ ଦେଇ ଆସିଛି। ଯାହାଫଳରେ ୧୪୦ କୋଟି ଜନସଂଖ୍ୟା ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଏକତା ସୂତ୍ରରେ ସହାବସ୍ଥାନ କରୁଛନ୍ତି। ଭାରତର ସମ୍ବିଧାନ ମଧ୍ୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ କ୍ଷମତା ବିକେନ୍ଦ୍ରୀକରଣର ମୂଳମନ୍ତ୍ର ଉପରେ ଆଧାରିତ।

ଏକ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସୁସଂପର୍କ ଓ ସୁସମନ୍ୱୟର ଆବଶ୍ୟକତା ରହିଛି। ଭାରତ ସବୁବେଳେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସ୍ୱାର୍ଥ ଓ ସୁରକ୍ଷା ପ୍ରତି ପ୍ରାଧାନ୍ୟ ଦେଉଅଛି। ଫଳରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ ହୋଇପାରିଛି ବୋଲି ବାଚସ୍ପତି ପ୍ରକାଶ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ହେଉଛି ୫୬ ଦେଶର ସହଭାଗିତାରେ ଏକ ମିଳିତ ମଞ୍ଚ। ରାଜ୍ୟଗୋଷ୍ଠୀର ସଭ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବିଶ୍ୱ ଭ୍ରାତୃତ୍ୱର ଭାବକୁ ଆଗକୁ ବଢ଼ାଇ ନେବାରେ ଏହି ମଞ୍ଚ ସବୁବେଳେ ପ୍ରୟାସରତ।

Leave a Reply

Your email address will not be published. Required fields are marked *