ଭୁବନେଶ୍ୱର: ଇଡ଼କୋ ପ୍ରଦର୍ଶନୀ ପଡିଆ ଠାରେ ୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ୨୦୨୫ ଉଦଘାଟିତ ହୋଇଯାଇଛି। ଉଦ୍ଘାଟନୀ ସମାରୋହରେ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଏହି କଳିଙ୍ଗ ହର୍ବାଲ ମେଳା କେବଳ ଏକ ମେଳା ନୁହେଁ, ଏହା ଆମର ପରମ୍ପରା, ଆୟୁର୍ବେଦ ଐତିହ୍ୟ, ଜଙ୍ଗଲ ଓ ପ୍ରକୃତିର ଦାନକୁ ସମ୍ମାନ କରିବାର ଏକ ଅତ୍ୟନ୍ତ ଗର୍ବର ମଞ୍ଚ। ଏହା ଆମ ଓଡ଼ିଶା ମାଟିର, ଆମ ଜନତାଙ୍କ ଜ୍ଞାନ ଓ ସମ୍ପଦର ଏକ ଅପୂର୍ବ ପ୍ରଦର୍ଶନୀ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ“କହିଲେ ଯେ ପ୍ରକୃତି ହେଉଛି ସବୁଠାରୁ ଶ୍ରେଷ୍ଠ ଚିକିତ୍ସାଳୟ”। ଓଡ଼ିଶାର ଉଦ୍ଭିଦ ସମ୍ପଦ ଆମ ଦେଶରେ ଏକ ପ୍ରମୁଖ ସ୍ଥାନ ଧାରଣ କରିଛି। ଆମ ଜଙ୍ଗଲରେ ଥିବା ଶତାଧିକ ଔଷଧୀୟ ବୃକ୍ଷ ଆଜି ଦେଶବ୍ୟାପୀ ପ୍ରସିଦ୍ଧ। ଏହି ସମ୍ପଦକୁ ସଂଗଠିତ କରିବା, ପ୍ରମାଣିତ ଆୟୁର୍ବେଦ ପ୍ରଣାଳୀକୁ ଗଢ଼ିତୋଳିବା ଏହି ମେଳାର ଏକ ବିଶେଷ ଲକ୍ଷ୍ୟ। ଆଜିର ଯୁଗରେ ଆମେ ମାନସିକ ଚାପ, ଦୂଷିତ ଆହାର, ପରିବେଶ ପ୍ରଦୂଷଣ ଆଦି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛୁ। ଏପରି ସମୟରେ ଆୟୁର୍ବେଦ ଆମର ଶାରୀରିକ ଓ ମାନସିକ ସମତାକୁ ପୁନସ୍ଥାପନ କରିବାରେ ସହାୟକ ହୋଇପାରିବ। ଓଡ଼ିଶା ସରକାର ଔଷଧୀୟ ଉଦ୍ଭିଦର ଚାଷର ପ୍ରୋତ୍ସାହନ, ଗବେଷଣା, ପ୍ରଶିକ୍ଷଣ, ଏବଂ ଉତ୍ପାଦନର ବଜାରୀକରଣକୁ ନେଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅଧିନରେ ଅନେକ ଔଷଧୀୟ ବୃକ୍ଷ ଲଗା ଯାଇଛି। ଓଡ଼ିଶାକୁ ଦେଶର ଅନ୍ୟତମ ଶୀର୍ଷ ଔଷଧୀୟ ଉଦ୍ଭିଦ ଉତ୍ପାଦର ବଜାର ହିସାବରେ ପରିଚିତ କରିବା ପାଇଁ କଳିଙ୍ଗ ହର୍ବସ ନାମରେ ବ୍ରାଣ୍ଡି କରାଯାଇ ଏହାର ଗୁଣବତ୍ତା, ବିପଣନ ପାଇଁ ରାଜ୍ୟ ବାହାର ସଂସ୍ଥା ସହିତ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଉଛି.। ଗୁଣାତ୍ମକ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିବା, ଗବେଷଣାକୁ ପ୍ରୋତ୍ସାହିତ କରିବା ଓ ସ୍ଥାନୀୟ ଚାଷୀମାନଙ୍କୁ ନ୍ୟାୟଯୁକ୍ତ ମୂଲ୍ୟ ପ୍ରଦାନ କରିବା କ୍ଷେତ୍ରରେ Kalinga Herbs ଅସାଧାରଣ କାର୍ଯ୍ୟ କରିବ ବୋଲି ଆମେ ଆଶାବାଦୀ। କଳିଙ୍ଗହର୍ବାଲ ମେଳା ଏହି ଲକ୍ଷ୍ୟକୁ ଅଧିକ ଗତିଶୀଳ କରିବ ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ ।
ବିଶିଷ୍ଟ ଅତିଥି ଭାବେ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ସୁରେଶ ପନ୍ଥ, ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ପ୍ରେମ କୁମାର ଝା ଏବଂ ଓଡିଶା ବନାଞ୍ଚଳ ଉନ୍ନୟନ ସମିତିର ପ୍ରକଳ୍ପ ନିର୍ଦେଶକ ଡ଼. କେ. ମୁରୁଗେଶନ ସେମାନଙ୍କ ଅଭିଭାଷଣରେ ଔଷଧୀୟ ଉଦ୍ଭିଦର ସୁରକ୍ଷା ଏବଂ ପାରମ୍ପରିକ ଔଷଧ ବ୍ୟବସ୍ଥାକୁ ସାମଗ୍ରୀକ ଭାବରେ ଆଗକୁ ବଢ଼ାଇବାରେ ଏହି ଏହି ମେଳା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା ପ୍ରକଟ କରିଥିଲେ। ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଔଷଧୀୟ ଉଦ୍ଭିଦ କ୍ଷେତ୍ରର ମୁଖ୍ୟ ହିତାଧୁକାରୀମାନଙ୍କ ମଧ୍ୟରେ ସମ୍ପର୍କ, ବ୍ୟବସାୟ, ଶିକ୍ଷା, ଓ ସଚେତନତା ବୃଦ୍ଧି କରିବା: ଆୟୁର୍ବେଦ, ଯୋଗ, ପ୍ରାକୃତିକ ଚିକିତ୍ସା, ୟୁନାନୀ, ସିଦ୍ଧ ଓ ହୋମିଓପାଥୁର ପ୍ରଚାର କରିବା ଏବଂ ଦର୍ଶକମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଓ ଚିକିତ୍ସା ସୁବିଧା ପ୍ରଦାନ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଔଷଧୀୟ ଉଦ୍ଭିଦ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ କାର୍ତ୍ତିକ ଭି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏବଂ ଉପ ବନ ସଂରକ୍ଷକ ଦେବାପ୍ରିୟ କମ୍ପ ଧନ୍ୟବାଦ ଅର୍ପଣ କରିଥଲେ। ସମାରୋହରେ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସରକାରୀ ଆୟୁର୍ବେଦିକ ଓ ହୋମିଓପାଥ୍ ଡାକ୍ତର, ବୈଦ୍ୟ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ।
ପ୍ରକାଶ ଥାଇ କି ଚଳିତ ବର୍ଷ ୧୩୦ରୁ ଅଧିକ ଷ୍ଟଲ ସହ ଏହି ମେଳା ରେ ଅଂଶ ଗ୍ରହଣ କରିଛନ୍ତି। ନିଶୁଳ୍କ ଆୟୁର୍ବେଦ,ହୋମିଓପାଥି ଚିକିତ୍ସା, ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ କ୍ୱିଜ୍ ସଚେତନତା ଅଭିଯାନ, ଔଷଧୀୟ ଉଦ୍ଭିଦ ସମ୍ବନ୍ଧୀୟ ବିଭିନ୍ନ କର୍ମଶାଳା, ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମୋଟ ସାତଦିନ ଧରି ଏହି ମେଳା ଲୋକମାନଙ୍କ ମଧ୍ୟରେ ଆୟୁର୍ବେଦର ପ୍ରଚାର ଓ ପ୍ରସାରରେ ସହାୟକ ହେବ।
