ଭୁବନେଶ୍ୱର : ଖାରବେଳଭବନର ପ୍ରଥମ ମହଲାରେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଏକ କ୍ୟାଣ୍ଟିନ ‘ସୃଜନ’ଲୋକାର୍ପିତ ହୋଇଛି। ଆଇଆରସିଟିସି ଦ୍ୱାରା ପରିଚାଳିତ ଏହି କ୍ୟାଣ୍ଟିନକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି ଯେ ଏଠାରେ କାର୍ଯ୍ୟ କରୁଥିବା ବିଭାଗଗୁଡିକର ପ୍ରାୟ ସାତଶହରୁ ଅଧିକ କର୍ମଚାରୀ ଉପକୃତ ହୋଇପାରିବେ। ଏତଦ୍ବ୍ୟତିତ ବିଭିନ୍ନ ସମୟରେ ଖାରବେଳଭବନକୁ ବିଭିନ୍ନ କାର୍ଯ୍ୟପାଇଁ ଆସୁଥିବା ଲୋକେ ମଧ୍ୟ ଉପକୃତ ହୋଇପାରିବେ। କାରଣ ଏହାର ଆଖପାଖରେ ବିଶେଷ କିଛି ସୁବିଧା ନାହିଁ। ଏଠାରେ ବିମାନ ଓ ରେଳ ଟିକଟ ସୁବିଧାରେ ଉପଳବ୍ଧ କରାଯାଇଛି ଏବଂ ପର୍ଯ୍ୟଟନପାଇଁ ମଧ୍ୟ ପରାମର୍ଶ ଦିଆଯିବାର ବ୍ୟବସ୍ଥା ରହିଛି। ଏହି କ୍ୟାଣ୍ଟିନରେ ଖାଦ୍ୟର ଗୁଣବତ୍ତା, ପରିଷ୍କାର ପରିଚ୍ଛନ୍ନତା ବଜାୟ ରହିବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ କହିଛନ୍ତି ଯେ ଏହି କ୍ୟାଣ୍ଟିନ ଖାରବେଳଭବନରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗ ପାଇଁ ବ୍ୟବସ୍ଥିତ। ଏଠାକାର ବ୍ୟବସ୍ଥା ଆଦି ସମ୍ପର୍କରେ ଶ୍ରୀମତୀ ପାଢୀ ମନ୍ତ୍ରୀ ସୂଚନା ଦେଇଥିଲେ। ପ୍ରକାଶ ଥାଉ କି ଗତ ମାର୍ଚ୍ଚ ମାସ ୩ତାରିଖ ଦିନ ରାଜ୍ୟ ସରକାର ଗୃହ ଓ ନଗର ଉନ୍ନୟନ ବିଭାଗକୁ ଖାରବେଳଭବନର ପରିଚାଳନା ପାଇଁ ନୋଡାଲ ବିଭାଗ ଭାବେ ଘୋଷଣା କରି ନିର୍ଦ୍ଦେଶନାମା ଜାରି କରିଥିଲେ। ସେହି ଅନୁଯାୟୀ ଏଠାରେ ନିକଟରେ ଏକ କ୍ରେଜ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଉଦଘାଟିତ ହୋଇଥିବାବେଳେ ମନ୍ତ୍ରୀ ଡକ୍ଟର ମହାପାତ୍ରଙ୍କ କରକମଳରେ କ୍ୟାଣ୍ଟିନ୍ ‘ସୃଜନ’ ଓ ଲାଉଞ୍ଜ ଉଦଘାଟିତ ହୋଇଛି। ଏହି ଅବସରରେ ପୌର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କ ସମେତ ସମସ୍ତ ବିଭାଗୀୟ ପଦାଧିକାରୀ ଓ ଭାରତୀୟ ରେଳବାଇ ତରଫରୁ ଦକ୍ଷିଣ କେନ୍ଦ୍ରୀୟ ଜୋନ୍ର ଜିଜିଏମ୍ ପି ରାଜକୁମାର, ଭୁବନେଶ୍ୱର ଆଞ୍ଚଳିକ ପରିଚାଳକ ଅନୁଜ ଦତ୍ତ, କ୍ୟାଟରିଙ୍ଗ ସର୍ଭିସେସ୍ ସେବାର ଡିଜିଏମ୍ ବିକ୍ରମ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।
