ମେଗା ଶିଶିର ସରସ–୨୦୨୬ ପାଇଁ ପ୍ରସ୍ତୁତି ଜୋରଦାର: ପ୍ରଦର୍ଶନୀ ପଡ଼ିଆରୁ ମନ୍ତ୍ରୀଙ୍କ କ୍ଷେତ୍ରସ୍ତରୀୟ ସମୀକ୍ଷା

ଭୁବନେଶ୍ଵର : ଆରମ୍ଭ ହେବାକୁ ଯାଉଛି ମେଗା ‘ଶିଶିର ସରସ–୨୦୨୬। ମେଳା ପୂର୍ବରୁ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଭୁବନେଶ୍ଵରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ ପରିଦର୍ଶନ କରି ମେଳା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସମୀକ୍ଷା ସମୟରେ ସମସ୍ତ ବିଭାଗର ନୋଡାଲ୍ ଅଧିକାରୀଗଣ ମେଳା ପ୍ରସ୍ତୁତି ସମ୍ପର୍କରେ ମନ୍ତ୍ରୀଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ଯଥା ନିର୍ଦ୍ଧାରିତ କାର୍ଯ୍ୟ ସମ୍ପନ୍ନ ହୋଇଛି ବୋଲି ଜଣାଇଥିଲେ। ଏହି ଅବସରରେ ପ୍ରସ୍ତୁତି କାର୍ଯ୍ୟକୁ ପ୍ରଶଂସା କରିବା ସହ ମନ୍ତ୍ରୀ ଅବଶିଷ୍ଟ କାମକୁ ସମୟ ମଧ୍ୟରେ ସମ୍ପନ୍ନ ନିମନ୍ତେ ତ୍ୱରିତ ଗତିରେ କାର୍ଯ୍ୟ କରିବାକୁ ଉପଦେଶ ଦେଇଥିଲେ। ମନ୍ତ୍ରୀ ଶ୍ରୀ ନାଏକ ମେଳା ପରିସରରେ ଷ୍ଟଲ୍ ସ୍ଥାପନ, ଆଲୋକ ବ୍ୟବସ୍ଥା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ସ୍ୱଚ୍ଛତା, ପାନୀୟ ଜଳ ଓ ସୁରକ୍ଷା ବ୍ୟବସ୍ଥା ସହ ପରିଦର୍ଶକମାନଙ୍କ ସୁବିଧା ସମ୍ପର୍କିତ ବ୍ୟବସ୍ଥାକୁ ସମୀକ୍ଷା କରିଥିଲେ। ମେଳାକୁ ସୁସଂଗଠିତ, ପରିଷ୍କାର ଓ ପ୍ଲାଷ୍ଟିକମୁକ୍ତ ଭାବେ ଆୟୋଜନ କରାଯିବା ପାଇଁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ ୧୦ ରୁ ୧୮ ଜାନୁଆରୀ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ମେଳାରେ ୩୪୦ଟି ବିକ୍ରୟ ଷ୍ଟଲ୍ ସହ ଦେଶର ୨୦ଟି ରାଜ୍ୟର କାରିଗର ଓ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଅଂଶଗ୍ରହଣ କରିବେ। ବିବିଧ ହସ୍ତଶିଳ୍ପ, ସାଂସ୍କୃତିକ ସନ୍ଧ୍ୟା ଓ ପ୍ରାୟ ୩୦ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ସହ ଏହି ମେଗା ମେଳା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହ ଆତ୍ମନିର୍ଭର ଓଡ଼ିଶା ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସାବ୍ୟସ୍ତ ହେବ ବୋଲି ମାନ୍ୟବର ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି I

Leave a Reply

Your email address will not be published. Required fields are marked *