ରାଜ୍ୟରେ କମିଛି ନୂଆ କୁଷ୍ଠ ରୋଗୀ ସଂଖ୍ୟା

ଭୁବନେଶ୍ୱର : କୁଷ୍ଠରୋଗ ସହଜରେ ଚିହ୍ନଟ ହେବା ସହିତ ସହଜରେ ଚିକିତ୍ସା ହୋଇପାରୁଛି। କୁଷ୍ଠ ରୋଗକୁ ଠିକ୍ ସମୟରେ ଚିହ୍ନଟ ଓ ଚିକିତ୍ସା କରାଗଲେ ଜଣେ ସଂପୂର୍ଣ୍ଣ ସୁସ୍ଥ ହୋଇପାରିବ। ସାମାଜିକ ସହଯୋଗ ଓ ସଚେତନତା ମାଧ୍ୟମରେ କୁଷ୍ଠ ରୋଗକୁ ହରାଯାଇପାରିବ। ସମ୍ବର୍ଦ୍ଧିତ ଡାକ୍ତର ଏବଂ ଆଶା କର୍ମୀ ମାନେ କଠିନ ପରିଶ୍ରମ ବଳରେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିବା ସହ ଏହି ମହତ୍ଵ ଉଦ୍ଦେଶ୍ୟରେ ଅନ୍ୟକୁ ସାମିଲ କରିବାକୁ ପ୍ରୋତ୍ସାହିତ କରିବେ। ରାଜ୍ୟର ୧୫ ଜିଲ୍ଲାରେ କୁଷ୍ଠ ରୋଗୀ ସଂଖ୍ୟା ଖୁବ କମ। ତେବେ କେବଳ ପୂର୍ବ ବର୍ଷର ସଫଳତାକୁ ଧ୍ୟାନ ନଦେଇ ଆଗାମୀ ଦିନରେ ଏହି ରୋଗ ସଂପୂର୍ଣ୍ଣ ନିରାକରଣ ପାଇଁ ନିଜକୁ ପ୍ରସ୍ତୁତ କରି ସମସ୍ତଙ୍କୁ ଅଧିକ କାମ କରିବାକୁ ପଡିବ ବୋଲି କୁଷ୍ଠ ନିବାରଣ ଦିବସ – ୨୦୨୬ ପାଳନ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ତଥା କମିଶନର ଅଶ୍ଵଥି ଏସ କହିଛନ୍ତି। ଏହି କାର୍ଯ୍ୟକ୍ରମ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।

ଏଥିରେ ମୁଖ୍ୟ ଅତିଥ୍ୟ ଭାବେ ଯୋଗଦେଇ ସଚିବ ତଥା କମିଶନର ଅଶ୍ଵଥି ଏସ କହିଲେ, କୁଷ୍ଠ ରୋଗ ଯେତେ ଶୀଘ୍ର ଚିହ୍ନଟ ହେବ, ସେତେ ଶୀଘ୍ର ନିରାକରଣ ହୋଇପାରିବ। ଏହି ଅବସରରେ ବହୁ କୁଷ୍ଠ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଓ ସେବା ମାଧ୍ୟମରେ ଭଲ କରିଥିବା ଶ୍ରୀପୁରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଆୟୁଷ ମେଡିକାଲ ଅଫିସର ଡାକ୍ତର ଦିବ୍ୟେନ୍ଦୁ କୁମାର ସାହୁ , ଦାନାଗାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର  ମେଡିକାଲ ଅଫିସର ଡାକ୍ତର ମନୀଷ କୁମାର ସାହୁ, ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ମେଡିକାଲ ଅଫିସର ଡାକ୍ତର ତପସ୍ଵିନୀ ମିଶ୍ରଙ୍କୁ ପ୍ରଶଂସାପତ୍ର ସହ ଅର୍ଥରାଶିରେ ସମ୍ମାନିତ କରାଯାଇଛି। ସେହିପରି ଆଶାକର୍ମୀ ପ୍ରତିମା ମଲ୍ଲିକ, ରଜନୀ ଭୋଇ, ମଞ୍ଜୁଲତା ଲେଙ୍କା, ୱାଇ ମଞ୍ଜୁ, ମନୋରମା ମଲ୍ଲିକଙ୍କୁ ନିଜ କ୍ଷେତ୍ର ରେ ଭଲ ପ୍ରଦର୍ଶନ ନିମନ୍ତେ ସମ୍ମାନିତ କରାଯାଇଛି।  

୨୦୨୪-୨୫ ବର୍ଷରେ ରାଜ୍ୟରେ ୭୩୪୯ କେସ ଚିହ୍ନଟ ହୋଇଛି। ସେହିପରି କୁଷ୍ଠ ରୋଗୀ (ଗ୍ରେଡ୍-୨) ସଂଖ୍ୟାରେ ୯୨ ପ୍ରତିଶତ ହ୍ରାସ ଘଟି ୧୦୬ ଅଛି। ଅନ୍ୟପକ୍ଷରେ ୩୯୫ଜଣ କୁଷ୍ଠ ଆକ୍ରାନ୍ତ ଶିଶୁ ରୋଗୀ ଅଛନ୍ତି।  ଶଲ୍ୟ ବିଶେଷଜ୍ଞ ତଥା ଅତିରିକ୍ତ ନିର୍ଦ୍ଦେଶକ (କୁଷ୍ଠ) ଡାକ୍ତର ଲକ୍ଷ୍ମଣ କୁମାର କର୍ମି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ଵତନ୍ତ୍ର ସଚିବ ଡାକ୍ତର ବିଜୟ କୁମାର ମହାପାତ୍ର, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡାକ୍ତର ପ୍ରଦୀପ ଗୁରୁ, ବରିଷ୍ଠ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ।

ସୂଚନା ଅନୁସାରେ ସମୁଦାୟ ଆଜି ଯାଏଁ ଅସ୍ତ୍ରୋପଚାର ମାଧ୍ୟମରେ ୬୯୭୮ କେସରେ କୁଷ୍ଠ ବିକଳାଙ୍ଗ ରୋଗୀଙ୍କୁ ପୁନଃକ୍ଷମ କରାଯାଇଛି| ତନ୍ମଧରୁ ୨୪୬୭ କେସରେ ଶଲ୍ୟ ବିଶେଷଜ୍ଞ ତଥା ଅତିରିକ୍ତ ନିର୍ଦ୍ଦେଶକ (କୁଷ୍ଠ) ଡାକ୍ତର ଲକ୍ଷ୍ମଣ କୁମାର କର୍ମି ସଫଳ ଅସ୍ତ୍ରପଚାର କରିଛନ୍ତି|

Leave a Reply

Your email address will not be published. Required fields are marked *