ରାଜଧାନୀରେ ମୟୂରଭଞ୍ଜ ଉତ୍ସବ ରାଜ୍ୟପାଳଙ୍କ ଦ୍ୱାରା ଉଦଘାଟିତ

ଭୁବନେଶ୍ୱର: ସଂସ୍କୃତି ଓ ବିକାଶ  ପରସ୍ପର ବିରୋଧୀ ନୁହନ୍ତି ବରଂ ପରସ୍ପର ପରିପୂରକ ବୋଲି ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତିI ଶୁକ୍ରବାର ଦିନ ମୟୁରଭଞ୍ଜ ସାଂସ୍କୃତିକ ସଂଘ ଆନୁକୂଲ୍ୟରେ ରାଜଧାନୀ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପଠାରେ ଆୟୋଜିତ ତିନିଦିନିଆ ମୟୁରଭଞ୍ଜ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ରାଜ୍ୟପାଳ ଏହା କହିଛନ୍ତିI ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ମୟୂରଭଞ୍ଜ ଉତ୍ସବ ଭଳି ଉତ୍ସବଗୁଡ଼ିକ ଅତୀତ ଓ ଭବିଷ୍ୟତ ମଧ୍ୟରେ ଏକ ସୁଦୃଢ଼ ସେତୁ ଭାବରେ କାର୍ଯ୍ୟ କରିଥାଏ। ଏହା ସାଂସ୍କୃତିକ ମୂଳକୁ ଜୀବନ୍ତ ରଖିବା ସହିତ ସନ୍ତୁଳିତ ଓ ସମାବେଶୀ ବିକାଶକୁ ପ୍ରୋତ୍ସାହନ ଦେଇଥାଏ।

ଆଜିର ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ଯେଉଁଠାରେ ପ୍ରଯୁକ୍ତିବିଦ୍ୟା ପରମ୍ପରାଠାରୁ ଅଧିକ ଦ୍ରୁତଗତିରେ ଆଗକୁ ବଢ଼ୁଛି, ଏଭଳି ସାଂସ୍କୃତିକ ମଞ୍ଚଗୁଡ଼ିକ ଆହୁରି ଅଧିକ ଆବଶ୍ୟକ ହୋଇପଡ଼ୁଛି। ଏହା ଆମକୁ ମନେପକାଇ ଦେଇ ଥାଏ ଯେ ଆମେ କିଏ, ଆମେ କେଉଁଠାରୁ ଆସିଛୁ ଏବଂ ଆଗକୁ ବଢ଼ିବା ସମୟରେ କେଉଁ ମୂଲ୍ୟବୋଧଗୁଡ଼ିକ ଆମକୁ ପଥ ପ୍ରଦର୍ଶନ କରିବ ସେ ସମ୍ପର୍କରେ ରାଜ୍ୟପାଳ ଅବତାରଣା କରିଥିଲେ। ଏହି ଉତ୍ସବକୁ ବିବିଧତାରେ ଏକତା, ପରମ୍ପରାରେ ଶକ୍ତି ଏବଂ ଐତିହ୍ୟର ନିରନ୍ତରତାର ଉତ୍ସବ ଭାବରେ ରାଜ୍ୟପାଳ ବର୍ଣ୍ଣନା କରିଥିଲେ।

ଉତ୍ସବରେ ଯୋଗଦାନ କରି ଅତ୍ୟନ୍ତ ଆନନ୍ଦିତ ବୋଲି ରାଜ୍ୟପାଳ ପ୍ରକାଶ କରି କହିଥିଲେ ଯେ ମୟୂରଭଞ୍ଜ ଉତ୍ସବ ଓଡ଼ିଶାର ଆତ୍ମା, ଶକ୍ତି ଓ ଚେତନାକୁ ପ୍ରତିଫଳିତ କରେ। ଏହି ଉତ୍ସବ ମୟୂରଭଞ୍ଜର ଲୋକମାନଙ୍କୁ ରାଜ୍ୟର ରାଜଧାନୀରେ ଏକତ୍ରିତ କରି ସାଂସ୍କୃତିକ ବନ୍ଧନକୁ ସୁଦୃଢ଼ କରୁଛି  ଏବଂ ସାମାଜିକ ଆଦାନପ୍ରଦାନକୁ ବୃଦ୍ଧି କରିବା ସହିତ ଜିଲ୍ଲାର ସମୃଦ୍ଧ ଐତିହ୍ୟର ମହକକୁ ପରିବ୍ୟାପ୍ତ କରୁଛି।

ମୟୂରଭଞ୍ଜ ସାଂସ୍କୃତିକ ସଂଘର ନେତୃତ୍ୱ ଏବଂ ଜିଲ୍ଲାର ଜନପ୍ରତିନିଧିମାନଙ୍କର ପ୍ରୟାସକୁ ପ୍ରଶଂସା କରି ରାଜ୍ୟପାଳ କହିଥିଲେ ଯେ ସେମାନେ ଏହି ଉତ୍ସବକୁ ରାଜ୍ୟ ତଥା ଜାତୀୟସ୍ତରରେ ଏକ ପ୍ରମୁଖ ସାଂସ୍କୃତିକ ମଞ୍ଚ ଭାବରେ ରୂପାନ୍ତରିତ କରିଛନ୍ତି।

ମୟୂରଭଞ୍ଜର ଐତିହ୍ୟକୁ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ଏହି ଜିଲ୍ଲା ଓଡ଼ିଶାର ଏକ ଅମୂଲ୍ୟ ରତ୍ନ, ଯେଉଁଠାରେ ପ୍ରକୃତି ଓ ସଂସ୍କୃତିର ସମନ୍ୱୟ ବିରାଜମାନ। ସିମିଳିପାଳ ଜୈବମଣ୍ଡଳ, ଭଞ୍ଜ ରାଜବଂଶର ଐତିହ୍ୟ ଏବଂ ଆଧୁନିକ ଓଡ଼ିଶା ଗଠନରେ ଜିଲ୍ଲାର ମହାନ ଅବଦାନକୁ ରାଜ୍ୟପାଳ ଉଲ୍ଲେଖ କରିଥିଲେ।

ମୟୂରଭଞ୍ଜର ଜୀବନ୍ତ ଆଦିବାସୀ ସଂସ୍କୃତି, ବିଶେଷକରି ସାନ୍ତାଳ ଓ ହୋ ସମ୍ପ୍ରଦାୟର ସଂସ୍କୃତି, ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମୟୂରଭଞ୍ଜ ଛଉ ନୃତ୍ୟ, ସମୃଦ୍ଧ ହସ୍ତଶିଳ୍ପ, ଅନନ୍ୟ ଖାଦ୍ୟ ଏବଂ ବାରିପଦା ରଥଯାତ୍ରା ଭଳି ସମାବେଶୀ ପରମ୍ପରା ବିଷୟରେ  ମଧ୍ୟ ରାଜ୍ୟପାଳ ଅବତାରଣା କରିଥିଲେ। ପୁଣି ରାଜ୍ୟପାଳ କହିଥିଲେ ଯେ ମୟୂରଭଞ୍ଜ ଜାତୀୟସ୍ତରର ନେତୃତ୍ୱ ସୃଷ୍ଟି କରିଛିI ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଯାତ୍ରା ଦେଶବ୍ୟାପୀ ଲୋକଙ୍କୁ ପ୍ରେରଣା ଯୋଗାଉଛି। ମୟୂରଭଞ୍ଜର ସଂସ୍କୃତିକୁ ଉତ୍ସବରେ ପାଳନ କରି ଓଡ଼ିଶା ତାହାର ମୂଲ୍ୟବୋଧକୁ ପ୍ରାଦେଶିକ ସୀମା ବାହାରେ ବ୍ୟାପ୍ତ କରୁଛି ଏବଂ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଉଛି ବୋଲି ରାଜ୍ୟପାଳ କହିଥିଲେ।

ଏହି ସମାରୋହରେ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗୃହ ଓ ନଗର ଉନ୍ନୟନ ଏବଂ ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମାନ୍ୟବର ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ ସ୍ୱାଗତ ଭାଷଣ ଦେଇଥିବାବେଳେ ମୟୂରଭଞ୍ଜ ସାଂସ୍କୃତିକ ସଂଘର ସାଧାରଣ ସମ୍ପାଦକ ଡ଼ ରଜନୀକାନ୍ତ ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *