ଖଡ଼ଗପୁର-ଟାଙ୍ଗୀ-ବିଶାଖାପାଟଣା-ବିଜୟୱାଡ଼ା ହାଇସ୍ପିଡ୍‌ କରିଡ଼ର ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର : ଖଡ଼ଗପୁର-ଟାଙ୍ଗୀ-ବିଶାଖାପାଟଣା-ବିଜୟୱାଡ଼ା ଏକ୍ସପ୍ରେସ୍‌ ୱ ତଥା ହାଇସ୍ପିଡ୍‌ କରିଡ଼ର ନିର୍ମାଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ରାଜ୍ୟ ମଧ୍ୟ ଦେଇ ନିର୍ମାଣ ହେବାକୁ ଥିବା ୬ ଲେନ୍‌ବିଶିଷ୍ଟ ଏହି ନୂତନ ଗ୍ରିନ୍‌ଫିଲଡ ହାଇସ୍ପିଡ୍‌ କରିଡ଼ର ନିର୍ମାଣ ନେଇ ପ୍ରସ୍ତାବିତ ନକ୍ସା, ଜିଲ୍ଲା, ଅର୍ଥନୈତିକ ଅଞ୍ଚଳ ଏବଂ ସହର ସଂଯୋଗୀକରଣ ଓ ଜମି ଅଧିଗ୍ରହଣ ଆଦି ବିଷୟରେ ଆଲୋଚନା ହୋଇଥିଲା।

ଓଡ଼ିଶା ରାଜ୍ୟ ମଧ୍ୟ ଦେଇ ମୋଟ ୫୨୨ କିଲୋମିଟର ଦୀର୍ଘ ଏହି ନୂଆ ଗ୍ରିନ୍‌ଫିଲଡ କରିଡ଼ର ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କୋରାପୁଟ ଆଦି ୯ଟି ଜିଲ୍ଲାର ୨୭ଟି ସହରକୁ ସଂଯୋଗ କରିବ। ଏଥିସହିତ ଏହି କରିଡ଼ର ରାଜ୍ୟର ଖଣିଜ ତଥା ଅର୍ଥନୈତିକ ଅଞ୍ଚଳକୁ ଯୋଗାଯୋଗ ସୁଦୃଢ଼ କରିବା ସହିତ ରାଜ୍ୟର ବିକାଶକୁ ଏକ ନୂଆ ଦିଗ ପ୍ରଦାନ କରିବ। ପଶ୍ଚିମବଙ୍ଗ, ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଦେଇ ଯାଉଥିବା ୧୧୦୨ କିଲୋମିଟର ରାସ୍ତାରୁ ଓଡ଼ିଶାରେ ହେବାକୁ ଥିବା ୫୨୨ କିମି ରାସ୍ତା ସମ୍ପୂର୍ଣ୍ଣ ନୂତନ ଭାବେ ନିର୍ମାଣ ହେବ। ଏଥିରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୯୭ କିଲୋମିଟର ରାସ୍ତା ନିର୍ମିତ ହେବାକୁ ଥିବାବେଳେ ଢେଙ୍କାନାଳରେ ୮୮ କିମି, ମୟୂରଭଞ୍ଜ ଓ କେଉଁଝରରେ ୮୬ କିମି ଏବଂ ରାୟଗଡ଼ା ଜିଲ୍ଲାରେ ୫୩ କିମି ରାସ୍ତା ନିର୍ମିତ ହେବ ବୋଲି ବୈଠକର ଆଲୋଚନା ହୋଇଥିଲା।

ଏହି ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି (ସିଭିଲ୍‌ ତଥା ରୋଡ୍‌ସ-୨) ଇଂ ସତ୍ୟବ୍ରତ ବେହେରା, ଇଆଇସି (ରୋଡ୍‌ସ-୧) ଇଂ ଧ୍ୟାନଚାନ୍ଦ ନାୟକ, କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟର ଆଞ୍ଚଳିକ ଅଧିକାରୀ ସୁନୀଲ କୁମାର, ମୁଖ୍ୟ ଯନ୍ତ୍ରୀ (ରୋଡ୍‌ସ) ଇଂ ଶିବବ୍ରତ ତରିଆ, ମୁଖ୍ୟଯନ୍ତ୍ରୀ (ଜାତୀୟ ରାଜପଥ) ଇଂ ନାରାୟଣ ପଟେଲଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *