କଳିଙ୍ଗ ଷ୍ଟାଡିୟମରେ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପ୍‌ ଉଦ୍‌ଘାଟିତ

ଭୁବନେଶ୍ୱର : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ସମ୍ମାନଜନକ ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପ୍‌ ଆରମ୍ଭ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ପାରାଲିମ୍ପିକ୍ସ କମିଟି ଅଫ୍ ଇଣ୍ଡିଆ (ପିସିଆଇ) ଏବଂ ପାରା ସ୍ପୋର୍ଟସ ଆସୋସିଏସନ୍ ଅଫ୍ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ମହାକୁମ୍ଭ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି ମହାକୁମ୍ଭରେ ୨୮ଟି ରାଜ୍ୟ ସମେତ ବିଏସଏଫ୍ (BSF) ଏବଂ ଏସଏସସିବି (SSCB) ରୁ ପ୍ରାୟ ୧୪୬୦ ପାରା ଆଥଲେଟ୍ ଅଂଶଗ୍ରହଣ କରିଛନ୍ତି, ଯେଉଁଥିରେ ଆୟୋଜକ ଓଡ଼ିଶାରୁ ୪୦ ଜଣ କ୍ରୀଡ଼ାବିତ୍ ସାମିଲ ଅଛନ୍ତି। ମୋଟ ୧୪୫ଟି ପଦକ ଇଭେଣ୍ଟ ପାଇଁ ଏଠାରେ କଡ଼ା ପ୍ରତିଯୋଗିତା ହେଉଥିବା ବେଳେ ଖେଳାଳିମାନଙ୍କ ସୁବିଧା ପାଇଁ ପ୍ରତିଦିନ ଦୁଇଟି ପର୍ଯ୍ୟାୟରେ, ଅର୍ଥାତ୍ ପୂର୍ବାହ୍ନ ୯ଟାରୁ ୧୧ଟା ଏବଂ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖେଳ ଅନୁଷ୍ଠିତ ହେଉଛି।

ଉଦ୍‌ଘାଟନୀ ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, “ଓଡ଼ିଶାର ପ୍ରତିଟି ବ୍ଲକରେ ନିର୍ମାଣ ହେଉଥିବା କ୍ରୀଡ଼ା ଭିତ୍ତିଭୂମି ସମ୍ପୂର୍ଣ୍ଣ ଭାବେ ‘ଦିବ୍ୟାଙ୍ଗ ଅନୁକୂଳ’ ହେବ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଭାରତ – ୨୦୪୭’ ସଂକଳ୍ପକୁ ସାକାର କରିବା ଦିଗରେ ଦିବ୍ୟାଙ୍ଗ ଖେଳାଳିମାନେ ସବୁଠାରୁ ଆଗରେ ରହିବେ।”

ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ କହିଥିଲେ ଯେ, “ଦିବ୍ୟାଙ୍ଗ ଭାଇଭଉଣୀମାନେ ଆମ ଦେଶର ଗର୍ବ। ଜଗନ୍ନାଥ ମାଟିର ଆତିଥେୟତା ସାରା ଭାରତବର୍ଷ ପାଇଁ ଏକ ନିଦର୍ଶନ ହୋଇ ରହିବ।” ଏହି ଅବସରରେ ପଦ୍ମଶ୍ରୀ ତଥା ଖେଳରତ୍ନ ବିଜେତା ଦେବେନ୍ଦ୍ର ଝାଝରିଆ କହିଛନ୍ତି ଯେ, ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତର ସଫଳତା ପରେ ଏହି ବୃହତ୍ତମ ଚାମ୍ପିୟନସିପ୍‌ ପାରା-ସ୍ପୋର୍ଟସ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ।

ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ବିଭାଗର ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ପଣ୍ଡା, ବିଜୟ କୁମାର ସ୍ୱାଇଁ ଏବଂ ପାରାଲିମ୍ପିଆନ୍ ମାର୍କଣ୍ଡ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *