ଭୁବନେଶ୍ୱର : ଲୋକସେବା ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗୀୟ କାର୍ଯ୍ୟ ସହ ଆମ ସାଥୀ ଚାଟ୍ ବଟ୍ ର ଉପଯୋଗିତା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ହ୍ବାଟସଆପ୍ ମାଧ୍ୟମରେ ବର୍ତ୍ତମାନ୍ ଉପଲବ୍ଧ ଥିବା ଆମ ସାଥୀ ଚାଟ୍ ବଟକୁ ରାଜସ୍ୱ ସେବା ପ୍ରଦାନ ନିମନ୍ତେ ଅଧିକ ସହଜ ଏବଂ ଲୋକାଭିମୁଖୀ କରିବାକୁ ମାନ୍ୟବର ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l
ସାଧାରଣ ଲୋକେ କିପରି ଭାବରେ ସହଜରେ ପ୍ରଶାସନକୁ ନିଜ ସମସ୍ୟା ଜଣାଇ ପାରିବେ ଏବଂ ତ୍ଵରିତ ସହାୟତା ପାଇପାରିବେ, ତାହାକୁ ସୁନିଶ୍ଚିତ କରିବା ପାଇଁ ଆମ ସାଥୀ ଚାଟ୍ ବଟର ଦକ୍ଷତା ବିକାଶ କରାଯାଉଛି l ଏହା ଦ୍ଵାରା ହ୍ବାଟସଆପ୍ ମାଧ୍ୟମରେ ଜନସାଧାରଣ ନିଜର ସମସ୍ୟା କିମ୍ବା ଅଭିଯୋଗ ସହଜରେ ଜଣାଇବା ସହ ତହସିଲଦାର୍ ଏବଂ ଅନ୍ୟ ସମ୍ପର୍କିତ ଅଧିକାରୀ ତାହାକୁ ଗ୍ରହଣ କରି ତ୍ଵରିତ ପଦକ୍ଷେପ ନେଇପାରିବେl ଏ ସଙ୍କ୍ରାନ୍ତୀୟ ସମସ୍ତ ପ୍ରକିୟା ରାଜସ୍ୱ ମନ୍ତ୍ରୀ ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବ୍ୟକ୍ତିଗତ ଅବଗତି ନିମନ୍ତେ ମଧ୍ଯ ଉପଲବ୍ଧ ହେବ l ଏଥିନିମନ୍ତେ ରାଜସ୍ୱ ବିଭାଗରେ ସ୍ଵତନ୍ତ୍ର କର୍ମଚାରୀ ନିଯୁକ୍ତ ହେବା ସହ ହ୍ୱାଟସଆପରେ ରାଜସ୍ୱ ସେବା ପ୍ରଦାନ ପ୍ରକ୍ରିୟା ସୁସମ୍ପାଦିତ ହେବl ସେହିପରି ଅଭିଯୋଗ ଗ୍ରହଣ ପରେ ତ୍ଵରିତ ପଦକ୍ଷେପ ନିଆଯିବା ସହ ସମସ୍ୟା ସମାଧାନ ପରେ ଜନସାଧାରଣଙ୍କ ମତାମତ ମଧ୍ଯ ନିଆଯିବ l
ଏଥି ସହିତ ବର୍ତ୍ତମାନ୍ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ପ୍ରତିଷ୍ଠାନ (ROTI)ରେ ପ୍ରଶିକ୍ଷଣ ନେଉଥିବା ନୂତନ OAS ଏବଂ ORS ଅଧିକାରୀଙ୍କୁ ଆମ ସାଥୀ ଚାଟ୍ ବଟ୍ ମାଧ୍ୟମରେ ରାଜସ୍ୱ ସେବା ଏବଂ ଅଭିଯୋଗ ଶୁଣାଣି ସମ୍ପର୍କିତ ତାଲିମ୍ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛିl ସେହିପରି ଆଗାମୀ ଦିନରେ ରାଜ୍ୟର ସମସ୍ତ ତହସିଲଦାର୍ ଏବଂ ଅନ୍ୟାନ୍ୟ ରାଜସ୍ୱ ଅଧିକାରୀଙ୍କୁ ଆଭାସୀ ମାଧ୍ଯମରେ ତାଲିମ୍ ଦିଆଯିବା ସହ ପ୍ରଶାସନର ଦକ୍ଷତା ବିକାଶ କରାଯିବାକୁ ନିଷ୍ପତ୍ତି ହୋଇଛିl ଜନସାଧାରଣଙ୍କ ପାଇଁ ରାଜସ୍ୱ ସେବା ସହଜରେ ଉପଲବ୍ଧ କରାଯିବା ନେଇ ରାଜସ୍ୱ ବିଭାଗ ବଦ୍ଧପରିକର ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଗୁରୁତ୍ୱାରୋପ କରିଛନ୍ତି l ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ l
